ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମିଠାପାଲି ପଞ୍ଚାୟତ ମନଭଙ୍ଗ ଡ୍ୟାମ ଦେଇ ମା’ଙ୍କ ପୀଠସ୍ଥଳୀ ତ୍ରେତୟା ନୃସିଂହନାଥ ପର୍ବତମାଳା ଶିଖରରେ ଅବସ୍ଥିତ ମା’ ଦୁର୍ଗେଇଦେବୀ (ବୁଢ଼ୀ)ଙ୍କ ବାର୍ଷିକ ପୂଜାନୋତ୍ସବ ସମ୍ପନ୍ନ ହୋଇଯାଇଛି । ୪ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଦୁଇ ଦିନ ଧରି ମା’ ଦୁର୍ଗେଇ ଦେବୀଙ୍କ ବାର୍ଷିକ ପୂଜାନୋତ୍ସବ ଅନୁଷ୍ଠିତ ହୋଇଥିଲା । ପୂର୍ବ ପରମ୍ପରା ଅନୁସାରେ ମାର୍ଗଶୀର ପୂର୍ଣ୍ଣିମା ତିଥିରେ ଗୁରୁବାର ଦିନ ଭୋର ସକାଳ ୪ଟା ସମୟରେ ଦେହେରୀ (ଝାଙ୍କର) ସୁବାଷ ମଲ୍ଲିକଙ୍କ ଘରୁ ମା’ଙ୍କ ସାଜସଜ୍ଜା ତଥା ଦେବୀଙ୍କ ବସ୍ତ୍ର, ଖଣ୍ଡା, ପାଟଶାଢ଼ୀ, ଅଳଙ୍କାରକୁ ପୂଜାର୍ଚ୍ଚନା ସହ ଆବାହନ ନିମନ୍ତ୍ରଣ କରାଯାଇଥାଏ । ପରେ ବଜାଗଜା, ଘଣ୍ଟ, ଶଙ୍ଖ ସହ ଶୋଭାଯାତ୍ରାରେ ବାହାରି ସାଢେ଼ ୩ କିଲୋମିଟର ପାହାଡ଼ି ରାସ୍ତା ଉପରେ ଚାଲି ଚାଲି ମା’ଙ୍କ ପୀଠସ୍ଥଳୀକୁ ପହଞ୍ଚିଥିଲେ । ପହଞ୍ଚିବା ପରେ ସେଠାରେ ସକାଳ ୮ଟା ସମୟରେ ମା’ ଦୁର୍ଗେଇ ଦେବୀଙ୍କ ସହ ପାର୍ଶ୍ଵ ଦେବଦେବୀଙ୍କର ଶୁକ୍ଳପୂଜା ସହ ପୂଜା ସମାପନ କରାଯାଇଥାଏ । ରାତିରେ ମା’ଙ୍କ ଠାରେ ବଳିପୂଜା ଦିଆଯାଇଥାଏ । ମାନସିକଧାରୀମାନେ ନଡ଼ିଆ, ଜୁଗାର ଭୋଗ ସହିତ ବୋଦା, କୁକୁଡ଼ା ଆଦି ମା’ଙ୍କ ଠାରେ ବଳି ଦେଇଥାନ୍ତି । ପୂଜାର୍ଚ୍ଚନା ସମାପ୍ତି ପରେ ପରଦିନ ସକାଳୁ ପର୍ବତ ଶିଖରରୁ ଆସି ମାନସିକଧାରୀମାନେ ନିଜ ନିଜ ମଧ୍ୟରେ ପ୍ରସାଦ ସେବନ ପାଇଁ ଏକ ମନୋରମା ପରିବେଷ୍ଟିତ ମନଭଙ୍ଗ ଡ୍ୟାମ ପାଖରେ ରନ୍ଧାବଢାର ଆୟୋଜନ କରି ବେଶ ଉପଭୋଗ କରିଥାନ୍ତି । ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା କୋଶଳି ହାସ୍ୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ହାସ୍ୟ କବି ଲଳିତ ବାଗଙ୍କ ସମେତ ଅନେକ କବିଗଣ ନିଜ ସ୍ୱରଚିତ କବିତାମାନ ଆବୃତ୍ତ୍ତି କରିଥିଲେ । ମା’ଙ୍କ ଆରାଧନା କଲେ ସାନ୍ନିଧ୍ୟ ଲାଭ କରିବା ସହ ମାନସିକ ପୂରଣ ହୋଇଥାଏ ବୋଲି ପୂର୍ଣ୍ଣ ବିଶ୍ଵାସ ରହିଛି । ନିଘଞ୍ଚ ଅରଣ୍ୟ ଓ ବନ୍ୟଜନ୍ତୁଙ୍କ ବାସସ୍ଥଳୀ ସତ୍ତ୍ୱେ ମା’ ଦୂର୍ଗେଇଦେବୀଙ୍କ ପୂଜାରେ କୌଣସି ଦିନ ଅଟଘଣ ଘଟିନାହିଁ । ଯାହାକି ମା’ଙ୍କ ଅପାର କରୁଣା ରହିଥିବା ବିଶ୍ୱାସ ରହିଛି । ମା’ଙ୍କ ବାର୍ଷିକ ପୂଜାନୋତ୍ସବରେ ପାଇକମାଲ, ପଦ୍ମପୁର, ଝାରବନ୍ଧ, ବରଗଡ଼, ସମ୍ବଲପୁର, ନୂଆପଡା, ପାଟଣାଗଡ, କୋମନା ସହ ପଡୋଶୀ ରାଜ୍ୟ ଛତିଶଗଡ଼ରୁ ବହୁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସମାଗମ ପରିଲକ୍ଷିତ ହୋଇଥିଲା । ଏହି ମା’ ଦୂର୍ଗେଇ ଦେବୀଙ୍କ ପୀଠକୁ ବିଦ୍ୟୁତ କରଣ, ଯିବା ପାଇଁ ପାହାଚ ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି । ସରକାର ଦୃଷ୍ଟି ଦେଇ ଏହି ମା’ ଦୁର୍ଗେଇଦେବୀ ବୁଢ଼ୀ ମା’ଙ୍କ ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ଦାବୀ ହେଉଛି । ପୂଜକ ସୁବାଷ ମଲ୍ଳିକ, ଅନିରୁଦ୍ଧ ମଲ୍ଲିକ, ସଚ୍ଚିଦାନନ୍ଦ ମଲ୍ଲିକ, ତ୍ରିନାଥ ମଲ୍ଲିକ, ପ୍ରଦୀପ ମଲ୍ଲିକ, ଦେହୁରୀ ରଣଜିତ ମଲ୍ଲିକ, ସୁବାଚନ ମଲ୍ଲିକ, ବିଶିକେଶନ ମଲ୍ଲିକ, ଦୁର୍ଗେଇ ଦେବୀ ପୂଜା ପରିଚାଳନା କମିଟି ସଭାପତି ମଧୂସୁଦନ ପାଣ୍ଡେ, ଉପ ସଭାପତି ପୂର୍ଣ୍ଣ ଚନ୍ଦ୍ର ଭୋଇ, ସଂପାଦକ ବେଣୁଧର ମଲ୍ଲିକ, ସହ ସଂପାଦକ ତ୍ରିନାଥ ମଲ୍ଲିକ, କୋଷାଧ୍ୟକ୍ଷ ହିରଣ୍ୟ ମଲ୍ଲିକ, ମନଭଙ୍ଗ ଗୌନ୍ତିଆ ଅନନ୍ତ ରାମ ଭୋଇ, ମିଠାପାଲି ପୂର୍ବତନ ସରପଞ୍ଚ ପାନାଲାଲ ସେଠ, ଦିବ୍ୟ ହଂସ ପ୍ରମୁଖଙ୍କ ସହ ଅନ୍ୟମାନେ ସହଯୋଗ କରିଥିଲେ । ମା’ଙ୍କ ବାର୍ଷିକ ପୂଜାନୋତ୍ସବ ଯାତ୍ରା ଶାନ୍ତି ଶୃଙ୍ଖଳା ସହ ସମାପନ ହୋଇଥିଲା ।
Next Post