ଲକ୍ଷ ଲକ୍ଷଟଙ୍କା ଠକେଇ ମାମଲାରେ ପୋଷ୍ଟ ମାଷ୍ଟର ଗିରଫ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ସାଇନ୍ ପଡା ବ୍ରାଞ୍ଚ ପୋଷ୍ଟ ମାଷ୍ଟର ରମେଶ ଚନ୍ଦ୍ର ସାହୁ ଜନସାଧାରଣଙ୍କ ଲକ୍ଷ ଲକ୍ଷ ଟଙ୍କା ଠକି ବୁଧବାର ପୋଲିସ ହାବୁଡ଼ରେ ପଡ଼ି କୋର୍ଟ ଚାଲାଣ ହୋଇଛି । ପୋଲିସ ସୂଚନା ଅନୁସାରେ ଉକ୍ତ ପୋଷ୍ଟ ଅଫିସରେ ୨୦୨୧ ମସିହା ଠାରୁ ଅଭିଯୁକ୍ତ ରମେଶ ବିପିଏମ ଭାବେ କାର୍ଯ୍ୟରତ ଥିଲେ । ହେଲେ ସେ ବାଲିଗୁଡ଼ା ଭଗାମୁଣ୍ଡା ଠାରେ ରହି ସାଇନ୍ ପଡା କାର୍ଯ୍ୟାଳକୁ ଯିବା ଆସିବା କରୁଥିଲେ । ଅଭିଯୋଗ ପ୍ରକାରେ ଗ୍ରାମାଞ୍ଚଳର ଲୋକଙ୍କ ବିଶ୍ୱାସ ଭାଜନ ହେବା ପରେ ସୁକନ୍ୟା ଯୋଜନା, ଆରଡ଼ି ସହ ବିଭିନ୍ନ ଯୋଜନାରେ ପୋଷ୍ଟ ଅଫିସରେ ବାନ୍ଧିବା ପାଇଁ ଟଙ୍କା ଆଦାୟ କରି ଆତ୍ମସାତ କରିଥିବା ଜଣାପଡିଛି । ଚୋର ଘର ସବୁବେଳେ ଅନ୍ଧାର ନଥାଏ ଭଳି ଲୋକେ ଠକେଇର ଶିକାର ହୋଇ ଥିବା ପ୍ରଘଟ ପରେ ଅଭିଯୁକ୍ତ ପୋଷ୍ଟ ମାଷ୍ଟର ଛୁଟି ନେଇ ଫେରାର ହୋଇଯାଇଥିଲେ । ଏନେଇ ଗତ ସେପ୍ଟେମ୍ବର ୩୦ ତାରିଖରେ ସାଇନ୍ ପଡାର କଳ୍ପନା ମଲ୍ଲିକ, ରୁକ୍ମିଣୀ ବେହେରା, ପ୍ରାଣକୃଷ୍ଣ ମହାପାତ୍ର କ.ନୂଆଗାଁ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହା ପରେ ଥାନା ଅଧିକାରୀ ତଦନ୍ତ ଜାରି ରଖି ମଙ୍ଗଳବାର ଦିନ ବ୍ରହ୍ମପୁରର ପାର୍କ ସାହିରୁ ଅଭିଯୁକ୍ତ ରମେଶ ସାହୁ (୩୨)କୁ ଗିରଫ କରି ଥାନା କେସ ନଂ ୧୪୮/୨୫ରେ ଏକ ମକଦ୍ଦମା ଋଜୁ କରି ୪୦୬/୪୨୦ ଧାରାରେ ବୁଧବାର କୋର୍ଟକୁ ପଠାଇ ଥିବା ଥାନା ଅଧିକାରୀ ଅଶୋକ କୁମାର ହାଁସଦା ସୂଚନା ଦେବା ସହ ଅଧିକ ତଦନ୍ତ କରୁଥିବା ଜଣାପଡିଛି । ହେଲେ ଗରିବ ଲୋକଙ୍କ ଟଙ୍କା କିପରି ଫେରସ୍ତ ପାଇବେ ସେନେଇ ଗ୍ରାହକମାନେ ଚିନ୍ତିତ ଥୂବା ବେଳେ ସରକାର କିଛି ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି ।

Leave A Reply

Your email address will not be published.