ମୁରିବାହାଲ ଡିଗ୍ରୀ କଲେଜ ଏନଏସଏସ ପ୍ରୋଗ୍ରାମ ଅଫିସର ଛନ୍ଦାଚରଣ ଖୁଣ୍ଟିଆଙ୍କ ନେତୃତ୍ୱରେ ଗୁଜୁରାଟରେ ଅନୁଷ୍ଠିତ ଜାତୀୟ ଇଣ୍ଟିଗ୍ରେସନ ଶିବିରରେ ଓଡିଶାର ୧୦ଜଣିଆ ପ୍ରତିନିଧି ଦଳଙ୍କ ଯୋଗଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟର ଏନଏସଏସ ପ୍ରୋଗ୍ରାମ ଅଫିସର ତଥା ରାଜନୀତି ବିଜ୍ଞାନ ଅଧ୍ୟାପକ ଛନ୍ଦାଚରଣ ଖୁଣ୍ଟିଆ ଗୁଜୁରାଟରେ ଅନୁଷ୍ଠିତ ଜାତୀୟ ଇଣ୍ଟିଗ୍ରେସନ ଶିବିର ୨୦୨୫ରେ ଓଡିଶା ଟିମ୍‌ର କଣ୍ଟିଜେଣ୍ଟ ଲିଡ଼ର ଭାବେ ମନୋନୀତ ହୋଇଥିଲେ । ଏହି ଶିବିରଟି ଗତ ନଭେମ୍ବର ୨୨ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଗୁଜୁରାଟ ସର୍ଦ୍ଦାର ପଟେଲ ବିଶ୍ୱବିଦ୍ୟାଳୟ, ବଲ୍ଲଭ ବିଦ୍ୟାନଗର, ଆନନ୍ଦରେ ଆୟୋଜିତ ହୋଇଥିଲା । ଏହି ଶିବିରରେ ମୋଟ ୧୦ଟି ରାଜ୍ୟ ଓଡିଶା, ଛତିଶଗଡ଼, ମହାରାଷ୍ଟ୍ର, ରାଜସ୍ଥାନ, ଝାଡ଼ଖଣ୍ଡ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ଆସାମ, ଗୁଜରାଟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପଟନା ଅଂଶଗ୍ରହଣ କରିଥିଲେ । ସମୁଦାୟ ୨୦୦ରୁ ଅଧିକ ଏନଏସଏସ ସ୍ୱେଚ୍ଛାସେବୀ ଏଥିରେ ଭାଗ ନେଇଥିଲେ । ଓଡିଶା ଟିମ୍‌ରେ ୧୦ ଜଣ ସ୍ୱେଚ୍ଛାସେବୀ ଥିଲେ । ଯାହା ମଧ୍ୟରୁ ମୁରିବାହାଲ କଲେଜର ବାଣିଜ୍ୟ ବିଭାଗର ଛାତ୍ର ବିକାଶ ରଣା ମଧ୍ୟ ଥିଲେ । ଓଡିଶା ଟିମ୍‌ ନିଜର ସମୃଦ୍ଧ ସଂସ୍କୃତି ଓ ପାରମ୍ପରିକ ଐତିହ୍ୟକୁ ପରିଚୟ କରାଇବା ପାଇଁ ‘ରଙ୍ଗବତୀ’ ଏବଂ ‘ଡାଲଖାଇ’ ନୃତ୍ୟ ପ୍ରଦର୍ଶନ କରିଥିଲା । ଯାହା ସମସ୍ତଙ୍କର ହୃଦୟସ୍ପର୍ଶୀ ହୋଇଥିଲା । ଏହି ଶିବିରରେ ସ୍ୱେଚ୍ଛାସେବୀମାନଙ୍କୁ ସର୍ଦ୍ଧାର ଅ ୧୫୦ ପଦଯାତ୍ରାରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବା ସହିତ ବିଶ୍ୱର ସବୁଠୁ ଉଚ୍ଚ ପ୍ରତିମୂର୍ତ୍ତି ଷ୍ଟେଚ୍ୟୁ ଅଫ ୟୁନିଟି ପରିଦର୍ଶନ କରି ଅବିସ୍ମରଣୀୟ ଅନୁଭବ ସଂଗ୍ରହ କରିବାର ସୁଯୋଗ ମିଳିଥିଲା । ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯୁବକମାନଙ୍କ ମନରେ ଜାତୀୟତାବୋଧ ସ୍ଥାପିତ କରିବା, ଦେଶର ବିଭିନ୍ନ ରାଜ୍ୟର ଯୁବକମାନଙ୍କ ମଧ୍ୟରେ ଏକତା ଓ ବନ୍ଧୁତା ସୃଷ୍ଟି କରିବା ସହିତ ସର୍ଦ୍ଧାର ଅ୧୫୦ ଥିମ୍ ଉପରେ ଭିତ୍ତି କରି ଶୀକ୍ଷିକ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରିବା ତଥା ଏକତା ରୂପରେ ପ୍ରେରିତ କରିବା । ଏହି ସୁଯୋଗ ପାଇଁ ଶ୍ରୀ ଖୁଣ୍ଟିଆ ଏନଏସଏସ ରିଜିଓନାଲ ଡାଇରେକ୍ଟର ଡଃ ସରିତା ପଟେଲ, ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ସରୋଜ କୁମାର ନାୟକ, ବଲାଙ୍ଗିର ଜିଲ୍ଲା ପ୍ରୋଗ୍ରାମ୍ କୋଓର୍ଡିନେଟର୍ ଡଃ. ପ୍ରିୟଙ୍କା ଚକ୍ରବର୍ତ୍ତୀ ଏବଂ ଜିଲ୍ଲା ପ୍ରୋଗ୍ରାମ୍ ଅଫିସର୍ ଡଃ ଅଜିତ ଭୋଇଙ୍କୁ ତାଙ୍କର କୃତଜ୍ଞତା ଜଣାଇଛନ୍ତି ।

Leave A Reply

Your email address will not be published.