ନିର୍ମଳମୁଣ୍ଡା ଖୁଟକାଟି ଟ୍ରଷ୍ଟ ପକ୍ଷରୁ ସମ୍ବିଧାନ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ନିର୍ମଳ ମୁଣ୍ଡା ଖୁଟକାଟି ଟ୍ରଷ୍ଟ ପକ୍ଷରୁ ଝିରପାଣି ଫୁଟବଲ ପଡିଆରେ ସମ୍ବିଧାନ ଦିବସ ପାଳନ ହୋଇଯାଇଛି । ଟ୍ରଷ୍ଟର ସଭାପତି ଜୟରାମ କେର୍କେଟାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ବୁଧୁଆ ଜୋଜୋ, ମୁମ୍ବାଇ ଫୋରମ୍ ଫର୍ ଜଷ୍ଟିସର ଜାତୀୟ ଆବାହକ ପ୍ରବୀନ ପଟେଲ ଓ ଅନ୍ୟମାନେ ଯୋଗଦେଇ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଆଲୋଚନାରେ ଗ୍ରାମସଭା, ପେଶା ଆଇନରେ ଥିବା ନିୟମାବଳୀ, ଆଇନର ଉପଯୋଗୀତା ତଥା ଅପବ୍ୟବହାର, ନିଜ ଅଧିକାର ପାଇଁ ସମବେତ ଲଢେଇ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ଆଦିବାସୀ ସଂଗଠନ ଜାତି, ଧର୍ମ, ବର୍ଣ୍ଣ ଏବଂ ଦଳ ନିର୍ବିଶେଷରେ ଏକଜୁଟ ହୋଇ ଗୋଟିଏ ମଞ୍ଚରେ ରାଉରକେଲାର ଝିରପାଣି ଫୁଟବଲ ପଡ଼ିଆରେ ସମ୍ବିଧାନ ଦିବସ ପାଳନ କରିବା ପାଇଁ ଏକତ୍ରିତ ହୋଇଥିଲେ । ଭାରତ ସରକାର ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ରୂପେ ୨୦୧୫ ମସିହାରେ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ । ଭାରତୀୟ ସମ୍ବିଧାନରେ ଥିବା ମୌଳିକ ଅଧିକାର ଏବଂ ମୌଳିକ କର୍ତ୍ତବ୍ୟ ସମ୍ବନ୍ଧରେ ଆଦିବାସୀ ସମାଜର ଜନସାଧାରଣଙ୍କୁ ଏପର୍ଯ୍ୟନ୍ତ ଜଣା ନଥିବାରୁ ଆଦିବାସୀମାନଙ୍କ ପାଇଁ ସମ୍ବିଧାନରେ ବହୁତ ପ୍ରକାରର ଅଧିକାର ରହିଥିଲେ ମଧ୍ୟ ତାହା ଆଦିବାସୀମାନଙ୍କୁ ଜଣାନାହିଁ । ଯାହାଫଳରେ ଆଦିବାସୀ ସମାଜ ଆଜି ବି ଏ ସମସ୍ତ ଅଧିକାରରୁ ବଞ୍ଚିତ ହେଉଛି । ସୁନ୍ଦରଗଡ଼ ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ଏକ ପଞ୍ଚମ ଅନୁସୂଚୀ ଅଞ୍ଚଳ ହୋଇଥିବାରୁ ଜିଲ୍ଲାକୁ ଆଦିବାସୀ ଜିଲ୍ଲା ମଧ୍ୟ କୁହାଯାଉଛି । ସୁନ୍ଦରଗଡ଼ ଜିଲ୍ଲାର ପ୍ରଶାସନ ଏବଂ ନିୟନ୍ତ୍ରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଅଲଗା ହୋଇଥିବାରୁ ସମ୍ବିଧାନର ଧାରା-୩୪୨ ଆଦିବାସୀଙ୍କୁ ପରିଚୟ ଦେଇଛି । ସମ୍ବିଧାନର ଧାରା-୨୪୩(ଏମ୍) ପାଇଁ ୧୯୯୬ର ପେସା ଆଇନ୍ ଆଦିବାସୀମାନଙ୍କୁ ମିଳିଛି । ଏସବୁ ବିଷୟଗୁଡ଼ିକ ଉପରେ ଏହି ସମ୍ବିଧାନ ଦିବସରେ ଆଲୋଚନା କରା‌ଯାଇଥିଲା । ଆଦିବାସୀ ଅଞ୍ଚଳରେ ଦେଖା ଦେଇଥିବା ଜଳ, ଜଙ୍ଗଲ, ଜମି ଅଧିକାର ସମସ୍ୟା ଉପରେ ମଧ୍ୟ ଆଲୋଚନା କରାଯିବା ସହିତ ବାହାର ରାଜ୍ୟରୁ ବହୁ ପ୍ରତିଷ୍ଠିତ ବ୍ୟକ୍ତି ଏବଂ ବୁଦ୍ଧିଜୀବୀ ଏହି ସମ୍ବିଧାନ ଦିବସରେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ନିର୍ମଳମୁଣ୍ଡା ଖୁଟକାଟି ଟ୍ରଷ୍ଟ ସମେତ ଏସ୍.ଟି./ଏସ୍.ସି. ଆସୋସିଏସନ, ସୁନ୍ଦରଗଡ ଜିଲ୍ଲା ପେସା ଗ୍ରାମସଭା କୋର୍ଡିନେଟର କମିଟି, ଟ୍ରାଇଭେଲ ଡେଭେଲପମେଣ୍ଟ ଫାଉଣ୍ଡେସନ୍, ସୁନ୍ଦରଗଡ ସରପଞ୍ଚ ମହାସଂଘ, ରାଉରକେଲା ସୁନ୍ଦରଗଡ଼ ସାରନା ସମିତିର ସମସ୍ତ କର୍ମକର୍ତ୍ତାଙ୍କ ସହ ସ୍ଥାନୀୟ ଅଞ୍ଚଳର ଆଦିବାସୀମାନେ ଯୋଗଦେଇ ଥିଲେ । ଏହି ସମ୍ମିଳନୀରେ ନିର୍ମଳମୁଣ୍ଡା ଖୁଟକାଟି ଟ୍ରଷ୍ଟର ସାଧାରଣ ସମ୍ପାଦକ ତଥା ସମ୍ବିଧାନ ଦିବସ ପାଳନ ସମାରୋହ ସମିତିର ସଭାପତି ଜେରୋମ୍ କେର୍କେଟା, ରାଉରକେଲା ମୁଣ୍ଡା ସମାଜର ସଭାପତି ଅଗସ୍ତି ନାଗ, ରାଉରକେଲା ଇସ୍ପାତ କାରଖାନା ଏସ୍.ଟି. ୱେଲଫେୟାର କମିଟି ସାଧାରଣ ସମ୍ପାଦକ ତଥା ସମ୍ବିଧାନ ଦିବସ ପାଳନ ସମାରୋହ ସମିତିର ସାଧାରଣ ସମ୍ପାଦକ ରବିନ୍ଦ୍ର ମହାଲିଙ୍ଗ, ନିର୍ମଳ ମୁଣ୍ଡା ଖୁଟକାଟି ଟ୍ରଷ୍ଟ ତଥା ସମ୍ବିଧାନ ଦିବସ ପାଳନ ସମାରୋହ ସମିତିର କୋଷାଧ୍ୟକ୍ଷ ବଲବୀର କୁଲ୍ଲୁ, ପାଳନ ସମାରୋହ ସମିତିର ସଭ୍ୟ ଶାନ୍ତି ପ୍ରକାଶ କୁଜୁର, ଝିରପାଣି ପଞ୍ଚାୟତର ସରପଞ୍ଚ ଅଜିତ୍ ତିର୍କୀ, କୋଅର୍ଡିନେସନ କମିଟି ସଭ୍ୟ ସୁର ଓରାମ, ଅମିତ୍ କୁମାର ବାରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.