ବାଲିହୁଙ୍କା, କାକ୍ୟାଣପୁର, ଧନକେରାରେ ୩ ଟି ପ୍ରକଳ୍ପର ଶୁଭାରମ୍ଭ କଲେ ବିଧାୟକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବର୍ଷାଜଳ ଓ ନଦୀବନ୍ଧରୁ ଝରୁଥିବା ବନ୍ୟାଜଳ ଦୀର୍ଘ ପନ୍ଦର ବର୍ଷ ହେଲା ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର କଲ୍ୟାଣପୁର ପଂଚାୟତ ଅନ୍ତର୍ଗତ ବାଲିହୁଙ୍କା ଅନୁସୂଚିତ ବର୍ଗଙ୍କ ବସ୍ତିରେ ଜମି ରହି କର୍ଦମାକ୍ତ ହେବା ସହ ସାଧାରଣ ଜୀବନ ଯାତ୍ରା ଦୁର୍ବିସହ ହୋଇଥିବା ବହୁବାର ଅଭିଯୋଗ ହୋଇଆସୁଥିଲା । ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ତତ୍ପରତା ଯୋଗୁଁ ମଙ୍ଗଳବାର ଏହି ସମସ୍ୟା ସମାଧାନ ପାଇଁ ଆବଶ୍ୟକୀୟ ଡ୍ରେନେଜ ନିର୍ମାଣର ଭୂପୂଜନ ପୂର୍ବକ ଶୁଭାରମ୍ଭ ହୋଇଛି । ଡେଲାଙ୍ଗ ପଂଚାୟତ ସମିତି ପକ୍ଷରୁ ବାଲିହୁଙ୍କା ମହାବୀର ମନ୍ଦିର ଠାରୁ କଣାସ ଶାଖା କେନାଲ ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ ଶହ ମିଟର ଦୈର୍ଘ୍ୟ କଂକ୍ରିଟ ଡ୍ରେନେଜ ନିର୍ମାଣ ସହ ଗ୍ରାମ ସଂଯୋଗ ରାସ୍ତା ପାର୍ଶ୍ଵ ବାସଗୃହକୁ ଯାତାୟତ ପାଇଁ ଡ୍ରେନେଜ ଉପରେ କଂକ୍ରିଟ ସ୍ଲାବ ବିଛାଇବା ପାଇଁ ବିକଶିତ ଗାଁ, ବିକଶିତ ଓଡିଶା ଯୋଜନାରୁ ୫ ଲକ୍ଷ ଟଙ୍କା ମଂଜୁର ହୋଇଥିବା ବିଧାୟକ ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ । ଭୂମିପୂଜା ସମାବେଶରେ ବିଧାୟକ ଶ୍ରୀ ପଟ୍ଟନାୟକଙ୍କ ସହ ସ୍ଥାନୀୟ ସରପଞ୍ଚ ଗୋବର୍ଦ୍ଧନ ସେଠି, ସହକାରୀ ଯନ୍ତ୍ରୀ ଧର୍ମେନ୍ଦ୍ର ସାମନ୍ତରାୟ, ବ୍ଲକ ଆତ୍ମା ସଭାପତି ଲଡୁକିଶୋର ରାୟ, ଆଇନଜୀବୀ ବିଭୂ ପ୍ରସାଦ ଛୁଆଳସିଂହ, ବରିଷ୍ଠ କାର୍ଯ୍ୟକର୍ତା ବେଣୁଧର ମଙ୍ଗରାଜ, ମାନସ ସାହୁ, ବରିଷ୍ଠ ନାଗରିକ ଗୌରୀଶ୍ୟାମ ହରିଚନ୍ଦନ, ବାମନ ବୈରୀଗଞ୍ଜନ, ବିରାଟ ବଡ଼ଜେନା, ଶ୍ରୀକାନ୍ତ ବୈରୀଗଞ୍ଜନ, ସୂର୍ଯ୍ୟକାନ୍ତ ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ଗ୍ରାମବାସୀଙ୍କ ପକ୍ଷରୁ ବିଧାୟକ ଶ୍ରୀ ପଟ୍ଟନାୟକଙ୍କୁ ଏକ ପଟୁଆରରେ ପାଛୋଟି ନିଆଯାଇ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । କଲ୍ୟାଣପୁର ଭାଗ୍ୟେଶ୍ଵର ମହାଦେବ ମନ୍ଦିର ପ୍ରାଚୀର ନିର୍ମାଣ କାର୍ଯ୍ୟର ଭୂପୂଜନ ପୂର୍ବକ ଶୁଭାରମ୍ଭ ହୋଇଛି । ବିଧାୟକ ଆଶ୍ରିତ ପଟ୍ଟନାୟକ ନଡ଼ିଆ ଭାଙ୍ଗି ଶୁଭାରମ୍ଭ କରିବା ସହ ପ୍ରଦର୍ଶନ ଫଳକ ଉନ୍ମୋଚନ କରିଛନ୍ତି । ଏହି କାର୍ଯ୍ୟ ପାଇଁ ବିକଶିତ ଗା’, ବିକଶିତ ଓଡିଶା ଯୋଜନା ପକ୍ଷରୁ ପାଞ୍ଚ ଲକ୍ଷ ପଚାଶ ହଜାର ଟଙ୍କା ମଂଜୁର ହୋଇଥିଲା । ସରପଞ୍ଚ ଗୋବର୍ଦ୍ଧନ ସେଠି, ଆତ୍ମା ସଭାପତି ଲଡୁକିଶୋର ରାୟ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚକ୍ରଧର ପ୍ରଧାନ, ରାକେଶ କୁମାର ପ୍ରଧାନ, ସୁବାସ ପ୍ରଧାନ, ରମାକାନ୍ତ ପ୍ରଧାନ, କେଦାର ପ୍ରଧାନ ପ୍ରମୁଖ ଭୂପୂଜନରେ ସହଯୋଗ କରିଥିଲେ । ସେହିପରି ଲୁଣା ନଦୀ ବାମ ପାର୍ଶ୍ଵ ବନ୍ଧର ଌୁଇଲୁଣ୍ଡା ଗ୍ରାମଠାରୁ ଧାନକେରା ବାରପୋଲିଆ ସେତୁ ପର୍ଯ୍ୟନ୍ତ ୨ କିମି ଦୈର୍ଘ୍ୟ ନଦୀବନ୍ଧ କଂକ୍ରିଟ କରଣ କାମ ବିଧାୟକ ଶ୍ରୀ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ ହୋଇଛି । ଏଥିପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ୧କୋଟି ପଚାଶ ଲକ୍ଷ ଟଙ୍କା ମଂଜୁର ହୋଇ ଟେଣ୍ଡର ମାଧ୍ୟମରେ ଚାରି ଜଣ ଠିକାଦାରଙ୍କୁ ନିୟୋଜନ କରାଯାଇଛି । ପଞ୍ଚାୟତର ମାନ୍ୟ ଗଣ୍ୟ ବ୍ୟକ୍ତି ଓ ମହିଳା ଗୋଷ୍ଠୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.