ବୌଦ୍ଧ, (ବଂଶୀଧର ମାଝୀ) : ଧାନ ବିକ୍ରି କରିବା ପାଇଁ ମୋବାଇଲକୁ ଆସିଲା ଅନଲାଇନ୍ ମେସେଜ୍ । ପୁଅର ଫି’ ବାବଦକୁ ଅର୍ଥ ଦେବା ପାଇଁ ତାଙ୍କର ଅତ୍ୟାବଶ୍ୟକ ଥିଲା । ଫଳରେ ସେ ଭୁବନେଶ୍ବର ଜାଭିୟର ଇଣ୍ଟର ନେସନାଲ ବିଜ୍ଞାନ କଲେଜରେ ପାଠ ପଢ଼ୁଥିବା ନିଜ ପୁଅର ବାର୍ଷିକ ଫି’ ଦାଖଲ ପାଇଁ ଆଶାରେ ଖୁସି ହୋଇଥିଲେ । ହେଲେ ଟୋକନ ମିଳିଲା ନାହିଁ କି ଧାନ ଉଠିଲା ନାହିଁ । ସୂଚନା ମତେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଙ୍କୁଲେଇ ପଞ୍ଚାୟତ ଅନ୍ତର୍ଗତ ପଦାମାଲ ଗ୍ରାମର ନବୀନ କୁମାର ମହାକୁଡ଼ଙ୍କ ନିକଟକୁ ଖରିଫ ଧାନ ବିକ୍ରି କରିବା ପାଇଁ ଟୋକନ ନଂ.୧୯୧ ଫେବୃଆରୀ ୧ ତାରିଖ ଦିନ ୭୦ କୁଇଣ୍ଟାଲ ଧାନ ବିକ୍ରି କରିବାକୁ ତାଙ୍କର ମୋବାଇଲ ନମ୍ବରକୁ ସରକାରଙ୍କ ଦ୍ଵାରା ପରିଚାଳିତ ଅନଲାଇନ ମ୍ୟାସେଜ ଗତ ଡିସେମ୍ବର ୨ ତାରିଖରେ ଆସିଥିଲା । ଫଳରେ ଜାନୁୟାରୀ ୩୧ ତାରିଖରେ ସଙ୍କୁଲେଇ ସେବା ସମବାୟ ସମିତିର ଦାଇତ୍ୱରେ ଥିବା ସମ୍ପାଦକଙ୍କୁ ଭେଟି ଟୋକାନ ରସିଦ ମାଗିଥିଲେ । ହେଲେ ସମ୍ପାଦକ ସଞ୍ଜୟ କୁମାର ଗାଇଗରିଆ ତାଙ୍କୁ ଏବେ ଦେଇ ହେବନାହିଁ, ପରେ ସୁବିଧା ଦେଖି ତୁମକୁ ଦିଆଯିବ ବୋଲି କହି ଫେରାଇ ଦେଇଥିଲେ ।

ଅର୍ଥ ଅତ୍ୟାବଶ୍ୟକ ଥିବା କହିବାରୁ ମଧ୍ୟ ଶୁଣି ନଥିଲେ । ତେଣୁ ତାଙ୍କ ନିକଟକୁ ଆସିଥିବା ଅନଲାଇନ ମ୍ୟାସେଜକୁ ଭରସା କରି ନବୀନ ଏକ ଗାଡି ଯୋଗେ ୭୦ କୁଇଣ୍ଟାଲ ଧାନ ନେଇ ଛତ୍ରଙ୍ଗ ସ୍ଥିତ ମାର୍କେଟୟାର୍ଡରେ ପହଞ୍ଚି ଗେଟରେ ତାଲା ପଡିଥିବା ଦେଖିବାକୁ ପାଇଥିଲେ । ଫଳରେ ସେ ବାଧ୍ୟ ହୋଇ ଗେଟ ତଳେ ଧାନ ଅନଲୋଡ଼ କରି ସମ୍ପାଦକଙ୍କ ଆସିବା ସମୟକୁ ଅପେକ୍ଷା କରି ରହିଥିଲେ । ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ନ ଆସିବା ଓ ତାଙ୍କର ମୋବାଇଲ ସୁଇଚ୍ ଅଫ୍ ଥିବାରୁ ସେ ନିଜ ପୁଅକୁ ଧାନ ଜଗାଇ ବୌଦ୍ଧ ଜିଲ୍ଲାପାଳଙ୍କୁ ନିଜ ଅସୁବିଧା ଲିଖିତ ଭାବେ ଜଣାଇ ନ୍ୟାୟ ଭିକ୍ଷା କରିବା ସହ ଏହାର ଏକକିତା ନକଲ ବୌଦ୍ଧ ସିଏସଓ, ଏଆରସିଏସ, ଉପ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ବୌଦ୍ଧ, ଓଡିଶା ମୁଖ୍ୟମନ୍ତ୍ରୀ, ୫ଟି ସଚିବ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ, ଯୋଗାଣ ସଚିବଙ୍କୁ ପତ୍ର ଲେଖି ଜଣାଇଥିବା ଜଣାଯାଇଛି । ଅନ୍ୟପକ୍ଷେ ସେ ଗେଟ ବାହାରେ ରହିଥିବା ତାଙ୍କର ଧାନ ଗୁଡିକ ରାତିରେ ଜଗିଥିବା ଦେଖିବାକୁ ମିଳିଛି । ଉକ୍ତ ବିଷୟରେ ଜିଲ୍ଳା ଯୋଗାଣ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ଯାଞ୍ଚ ପରେ ଜଣାପଡିବ ବୋଲି କହିଛନ୍ତି ।
