ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ପୂର୍ବତନ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସୋମବାର ସନ୍ଧ୍ୟାରେ ଭେଟିଥିଲେ । ଦିଲ୍ଲୀସ୍ଥିତ ଗୃହମନ୍ତ୍ରୀଙ୍କ ଆବାସରେ ହୋଇଥିବା ଏହି ବୈଠକ ଅନୁନ୍ୟ ୧ ଘଣ୍ଟାକାଳ ଧରି ଚାଲିଥିଲା । ଯାହାକୁ ନେଇ ଏବେ ବିଜେପିରେ ଚର୍ଚ୍ଚା ଜୋର ଧରିଛି । ତେବେ ବସୁନ୍ଧରା କେବଳ ଅମିତ ଶାହ ନୁହନ୍ତି ଗତ ସପ୍ତାହରୁ ପାର୍ଟି ସଭାପତି ଜେ.ପି.ନଡ୍ଡା, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ନୀତିନ ଗଡକରୀ, ଧର୍ମେନ୍ଦ୍ର ପ୍ରଧାନ ଓ ରାଜସ୍ଥାନ ପ୍ରଭାରୀ ଅରୁଣ ସିଂହଙ୍କୁ ଭେଟି ସାରିଛନ୍ତି । ହେଲେ ପାର୍ଟିର ଅନ୍ୟ କାର୍ଯ୍ୟକର୍ତ୍ତାଙ୍କ ସହ ତାଙ୍କର ସାକ୍ଷାତ ଆଲୋଚନା ଠାରୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଆଲୋଚନା ସମ୍ପୂର୍ଣ୍ଣ ଭିନ୍ନ ବୋଲି ବିଜେପି ନେତାମାନେ କୁହାକୁହି ହେଉଛନ୍ତି । ଏମିତିରେ ଅମିତ ଶାହ ୧୦-୧୫ ମିନିଟ୍ରୁ ଅଧିକ ସମୟ କାହାସହ କଥା ହୋଇପାରନ୍ତି । ବ୍ୟସ୍ତତମ ଦିନଚର୍ଯ୍ୟା ଲାଗି ଗୃହମନ୍ତ୍ରୀ ଏତିକି ସମୟ ହିଁ କାହାକୁ ଦେଇ ପାରନ୍ତି ବୋଲି ଜନୈକ ବରିଷ୍ଠ ବିଜେପି ନେତା କହିଛନ୍ତି । ତେବେ ବସୁନ୍ଧରାଙ୍କ କ୍ଷେତ୍ରରେ ଆଲୋଚନାର ସମୟ ସୀମା ବହୁତ ଅଧିକ ଥିଲା । ହେଲେ ଯାହାବି ହେଉ ରାଜେ ଓ ଅମିତ ଶାହଙ୍କ ମଧ୍ୟରେ ଥିବା ତିକ୍ତତା ହ୍ରାସ ହୋଇପାରିଥାଏ ବୋଲି ସମ୍ପୃକ୍ତ ନେତା ଆଶାବ୍ୟକ୍ତ କରିଛନ୍ତି । ବସୁନ୍ଧରା ଗତ କିଛି ବର୍ଷ ହେଲା ପାର୍ଟିଠାରୁ ଦୂରତା ଅବଲମ୍ବନ କରୁଥିଲେ । ବିଶେଷ କରି ରାଜସ୍ଥାନ ରାଜନୈତିକ ଗତିବିଧିକୁ ନେଇ ସେ ହୁଏତ ଅସନ୍ତୁଷ୍ଟ ଥିଲେ । ତେବେ ବସୁନ୍ଧରାଙ୍କ ନିକଟତମ ଲୋକଙ୍କ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ବସୁନ୍ଧରା ଓ କେନ୍ଦ୍ରଗୃହମନ୍ତ୍ରୀଙ୍କ ବୈଠକ ଏକ ସାଧରଣ ବୈଠକ ଥିଲା । ଫେବୃଆରୀ ୧୦ ତାରିଖରେ ରାଜସ୍ଥାନ ବିଧାନସଭାର ବଜେଟ୍ ଅଧିବେଶନ ତା ପୂର୍ବରୁ ବସୁନ୍ଧରା ରାଜ୍ୟକୁ ଫେରିଆସିବେ ବୋଲି କୁହାଯାଇଛି ।