ଲଙ୍ଗଲକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବେହେରାମାଲ କ୍ଲଷ୍ଟର ଅନ୍ତର୍ଗତ ଲଙ୍ଗଲକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ବରିଷ୍ଠ ବିଜ୍ଞାନ ଶିକ୍ଷକ ଦୀନବନ୍ଧୁ ମେହେରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ସୁଦାମ ଖମାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତି ସଭାପତି ମଧୁସୂଦନ ପଧାନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ବୈଜ୍ଞାନିକ ମନୋବୃତ୍ତିର ପ୍ରମୁଖ ମାଧ୍ୟମ ବିଜ୍ଞାନ ମେଳା ବୋଲି କହିଥିଲେ । ଅନ୍ୟତମ ବିଜ୍ଞାନ ଶିକ୍ଷୟିତ୍ରୀ ବବିତା ସାହୁ ଓ ବେହେରାମାଲ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁରେନ୍ଦ୍ର ରଥ ବିଚାରକ ଭାବେ ଯୋଗଦେଇ ବିଜ୍ଞାନ ପ୍ରକଳ୍ପ ଗୁଡିକର ମୂଲ୍ୟାୟନ କରିଥିଲେ । ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ପ୍ରକଳ୍ପ ଗୁଡିକର ଅନୁଧ୍ୟାନ କରିବା ସହ ବିଭିନ୍ନ ବୈଜ୍ଞାନିକ ପ୍ରକ୍ରିୟାର ଧାରଣା ପାଇଥିଲେ । ବିକଶିତ ଓ ଆତ୍ମନିର୍ଭର ଭାରତ ପାଇଁ ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା, ପରିବେଶ ଓ ଗଣିତ ପ୍ରସଙ୍ଗରେ ସ୍ଥାୟୀ କୃଷି, ଆବର୍ଜନା ବିନିଯୋଗ ଓ ପ୍ଲାଷ୍ଟିକର ବିକଳ୍ପ, ସବୁଜ ଶକ୍ତି, ଉନ୍ନତ ପ୍ରଯୁକ୍ତି ବିଦ୍ୟା, ସୃଜନଶୀଳ ଗଣିତ ପ୍ରତିକୃତି, ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତା, ଜଳ ସଂରକ୍ଷଣ ଓ ପରିଚାଳନା ପରି ସାତଟି ଉପ ପ୍ରସଙ୍ଗ ଆଧାରିତ ପ୍ରକଳ୍ପ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା । ଷଷ୍ଠ, ସପ୍ତମ, ଅଷ୍ଟମ ଛାତ୍ରଛାତ୍ରୀଙ୍କୁ ନେଇ ଏକ କୁଇଜ ପ୍ରତିଯୋଗିତା ହୋଇଥିଲା । ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଆସନ୍ତା ନଭେମ୍ବର ୨୧ ତାରିଖରେ କନ୍ଦାଗାଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବାକୁ ଥିବା ବ୍ଲକ ସ୍ତରୀୟ ବିଜ୍ଞାନ ମେଳାରେ ଯୋଗଦେବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ପ୍ରକଳ୍ପରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ସାନ୍ତ୍ୱନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । ସମସ୍ତ ପାଚିକା, ବିଦ୍ୟାଳୟ ପରିଚାଳନା କମିଟି ଓ ପଞ୍ଚସଖା ଶିକ୍ଷା ସେତୁ କମିଟିର ସଭ୍ୟସଭ୍ୟା ସହଯୋଗ କରିଥିଲେ । ସହକାରୀ ଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠି ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.