ନିଳମ୍ବନ ଆଦେଶ ପ୍ରତ୍ୟାହାର ଦାବୀରେ ଧାରଣା

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାରେ ଗତ ୨୦୧୮-୧୯ ରବି ଧାନ କିଣାରେ ହୋଇଥିବା ଅନିୟମିତତାରେ ୧୦ ଜଣ ପ୍ୟାକ୍ସ ସମ୍ପାଦକଙ୍କୁ ରାଜ୍ୟ ସରକାର ନିଳମ୍ବିତ କରିଥିଲେ । ଏହାର ପ୍ରତିବାଦରେ ଆଜି ଜିଲ୍ଲାର ସମସ୍ତ ପ୍ୟାକ୍ସ ସମ୍ପାଦକ ଏବଂ କର୍ମଚାରୀ କାର୍ୟ୍ୟ ବନ୍ଦ୍ ଆନ୍ଦୋଳନ କରିବା ସହ ବରଗଡ଼ ସମବାୟ ନିବନ୍ଧକଙ୍କ କାର୍ୟ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । କର୍ମଚାରୀଙ୍କ ଏଭଳି ହଠାତ୍ ଧାରଣା ଯୋଗୁଁ ସମସ୍ତ ପ୍ୟାକ୍ସ ଗୁଡିକ ଅଚଳ ହୋଇପଡିଥିଲା । ଏ ସମ୍ପର୍କରେ ବରଗଡ଼ ଜିଲ୍ଲା ସମବାୟ ନିବନ୍ଧକ ଭକ୍ତ ବନ୍ଧୁ ସାହୁଙ୍କୁ ପଚରା ଯିବାରୁ ଗତ ୨୦୧୮-୧୯ ରବି ଋତୁରେ ଧାନ ସଂଗ୍ରହ କିଣା ବିକା ସମୟରେ ଅନିୟମିତତା ‌ହୋଇଥିବା ଅଭିଯୋଗ ହୋଇଥିଲା । ଏହାର ତଦନ୍ତ ରାଜ୍ୟ ସ୍ତରୀୟ ଏକ ସ୍କ୍ୱାର୍ଡ ଦ୍ବାରା କରାଯିବା ପରେ ତାଙ୍କ ରିପୋଟିଙ୍ଗ ଆଧାରରେ ସେମାନଙ୍କ ବିରୋଧରେ ଏଭଳି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି କହିଥିଲେ । ତେବେ ଏଭଳି କାର୍ୟ୍ୟାନୁଷ୍ଠାନ ନେଇ ସମବାୟ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

Leave A Reply

Your email address will not be published.