ଐତିହାସିକ ଡଙ୍ଗା ଭସା ପର୍ବ : ପାରମ୍ପରିକ ମେଣ୍ଢା ଲଢେ଼ଇ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ଅଚଂଳରେ ପବିତ୍ର ମହା କାର୍ତ୍ତିକ ପୂର୍ଣ୍ଣମୀ ଉପଲକ୍ଷେ ଆଜି ବୁଧବାର ପ୍ରତ୍ୟୁଷରୁ ଭକ୍ତ, ଶ୍ରଦ୍ଧାଳୁ, ହବିଷ୍ୟାଳୀମାନେ କାର୍ତ୍ତିକ ବୁଡ ପକାଇ ଆମ ଅତୀତ ଉତ୍କଳର ନୌବାଣିଜ୍ୟର ପ୍ରତୀକ ପରମ୍ପରା ଅନୁଯାୟୀ କଦଳୀ ପଟୁକା, କାଗଜ, ରଙ୍ଗୀନ ଜରି ଓ ସୋଲ ନିର୍ମିତ (ବୋଇତ) ଡଙ୍ଗାରେ ଦୀପ, ଧୂପ, ପାନ, ଗୁଆ, ମୁଗ, ବିରି ଇତ୍ୟାଦି ଥୋଇ ଏବଂ ଦୀପଜାଳି ନଦୀ, ପୋଖରୀ, ଜଳାଶୟରେ (ବୋଇତ ବନ୍ଦାଣ)ଭସାଣ ଉତ୍ସବ ପାଳନ କରିଥିବା ବେଳେ ଆ କା ମା ବୋଇ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର କହିବା ସହ ବିଭିନ୍ନ ମହାଦେବ ମନ୍ଦିରରେ ଲମ୍ବାଧାଡି ଲାଗିଥିବା ଦୃଶ୍ୟମାନ ହୋଇଥିଲା । ଏହା ଆମ ଅସ୍ମିତାର ପ୍ରତୀକ । ଘୋରଡିଆର ସୋମନାଥ ମନ୍ଦିର, କୁଆପଦାର ବଣିବକ୍ରେଶ୍ୱର, ଯୋରକଣୀର ଜାଗେଶ୍ୱର, କଲ୍ୟାଣପୁରର ଭାଗ୍ୟଶ୍ୱର, ପାହାଡଶୀର୍ଷ ବିଶ୍ୱନାଥ, ଅଳଉତାର ନୀଳକଣ୍ଠେଶ୍ୱର, ବେରବୋଇର ବ୍ରହ୍ମେଶ୍ୱର, ଖେଲୋରର ଖେଲେଶ୍ୱର, ହରିରାଜପୁରର ପଶ୍ଚିମ ଶମ୍ଭୁ ସୋମନାଥ ମନ୍ଦିର, କୁନ୍ତେଶ୍ୱର ମନ୍ଦିର ଏବଂ ବିଭିନ୍ନ ଗାଁ ଦେବାଦେବୀ ମନ୍ଦିର, ମଠରେ ପ୍ରବଳ ଜନ ସମାଗମ ହୋଇଥିବା ବେଳେ କୁଆପଦା ବଣିବକ୍ରେଶ୍ୱର ପୀଠ ପାଶ୍ୱର୍ସ୍ଥ ପ୍ରାଙ୍ଗଣରେ ପାରମ୍ପରିକ ବୋଦା ଲଢେ଼ଇ, ପାଇକ ଆଖଡା, ପଟ୍ଟାଖେଳ, ନଦିଆ ସକିଂତ୍‌ର୍ତ୍ତନ, ବାଜା ବାଣ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବହୁ ସଂଖ୍ୟାରେ ଦୋକାନ ବଜାର ସାଙ୍ଗକୁ ରଙ୍ଗ ବେରଙ୍ଗର ଆଲୋକ ସଜ୍ଜା ଓ ଆର୍କଷଣୀୟ ବାଣଫୁଟା ହୋଇଥିଲା । ଚଳିତ ବର୍ଷ ୬୦ ହଜାରରୁ ଅଧିକ ଭକ୍ତ, ଶ୍ରଦ୍ଧାଳୁ ଏହି ସମାରୋହକୁ ଉପଭୋଗ କରିବା ପାଇଁ ଆଖପାଖ ଗାଁ ତଥା କଣାସ, ଡେଲାଙ୍ଗ, ସାକ୍ଷୀଗୋପାଳ, ପିପିଲି, ଜଟଣୀ, ଖୋର୍ଦ୍ଧା ଓ ପୁରୀ ଆଦି ଅଂଚଳରୁ ପ୍ରବଳ ଜନ ସମାଗମ ହୋଇଥିଲା । ବଣି ବକ୍ରେଶ୍ୱେର ମନ୍ଦିର ସନ୍ନିକଟ ବକ୍ରେଶ୍ୱର ମୁଣ୍ଡିଆ ଉପରେ ପୂର୍ବ ମାନସିକ ଅନୁଯାୟୀ ଶ୍ରଦ୍ଧାଳୁମାନେ ଗୋଡିପଥର ସଂଗ୍ରହ କରି ଛୋଟ ଛୋଟ ସାଦୃଶ ମନ୍ଦିର ଗଢ଼ୁଥିବା ଦେଖାଯାଇଥିଲା । ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମେଲୋଡି, ରାମଲୀଳା ଓ ନାଟକ ଦେଖିବା ପାଇଁ ଭିଡ ଲାଗି ରହିଥିଲା । ସ୍ୱେଚ୍ଛାସେବୀ ତଥା ଗ୍ରାମବାସୀଙ୍କ ତରଫରୁ ବଣିବକ୍ରେଶ୍ୱର ମନ୍ଦିର ପରିସରକୁ ପରିଷ୍କାର ପରିଛନ୍ନ ରଖିବା ଓ ମେଳଣ ପଡିଆକୁ ସମ୍ପୂର୍ଣ୍ଣ ସଫେଇ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ଡେଲାଙ୍ଗ ଥାନା ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ସଶସ୍ତ୍ର ପୋଲିସ ମୁତୟନ କରାଯାଇଛି ।

Leave A Reply

Your email address will not be published.