- ମୁଁ ଏହାକୁ ଦୃଢ ନିନ୍ଦା କରୁଛି – ନରସିଂହ
- ନିରୀହଙ୍କୁ ଗିରଫ ନ କରି ପ୍ରକୃତ ଦୋଷୀକୁ ଖୋଜି ବାହାର କରୁ ପୋଲିସ – ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ କିଛି ସପ୍ତାହ ହେଲା ଶାନ୍ତିପୂର୍ଣ୍ଣ ଦେଓଗାଁ ଅଶାନ୍ତ ହୋଇପଡିଛି । ପ୍ରତ୍ୟେକ ଦିନ କୌଣସି ନା କୌଣସି ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି । ସଦ୍ୟ ସଦ୍ୟ ଦେଓଗାଁରେ ଘଟିଯାଇଥିବା ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ । ଏହାକୁ ମୁଁ ଦୃଢ ନିନ୍ଦା କରୁଛି । ପୋଲିସ ଏ କ୍ଷେତ୍ରରେ ବହୁତ ଯତ୍ନବାଦ ହେବା ଦରକାର । ଯାହା କିଛି ବି ଘଟିଯାଇଛି ତାର ସଠିକ୍ ତଦନ୍ତ ନିହାତି ହେବା ଦରକାର ଏବଂ ଏହି ଘଟଣାରେ ନିରୀହଙ୍କୁ ଗିରଫ ନ କରି ପ୍ରକୃତ ଦୋଷୀ ଯିଏ ଅଛି ତାହାକୁ ପୋଲିସ ଖୋଜି ଗିରଫ କରୁ ବୋଲି ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଜଣାଇଛନ୍ତି । ସେ ଏହି ପ୍ରେସ ବିବୃତ୍ତିରେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ଥାନୀୟ ପୋଲିସ ଆଇଆଇସି ବିନା ତଦନ୍ତରେ ନିରୀହ ଲୋକଙ୍କୁ ଉଠାଇ ଆଣୁଥିବାରୁ ଦେଓଗାଁ ଅଂଚଳରେ ଏକ କୋକୁଆ ଭୟ ସୃଷ୍ଟି ହେଇଯାଇଛି । ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ଏପରିକି କାର୍ତ୍ତିକ ପୂର୍ଣ୍ଣମୀ ଦିନ ମଧ୍ୟ ଲୋକେ ମନ୍ଦିର ଦର୍ଶନ କରିବାରେ ଭୟ କରୁଛନ୍ତି । ଯାହାଫଳରେ ପୂର୍ଣ୍ଣମୀ ଦିନ ଦେଓଗାଁର ପ୍ରାୟତଃ ମନ୍ଦିର ଜନଶୂନ୍ୟ ଓ ଖାଁ ଖାଁ ଅଛି । ଶ୍ରୀ ମିଶ୍ର ଏହି ବିବୃତ୍ତିରେ ଏହା ମଧ୍ୟ କହିଛନ୍ତି ଯେ, ଖବର ଅନୁଯାୟୀ ଗାଁ ଲୋକେ ସ୍ଥାନୀୟ ପୋଲିସ ଆଇଆଇସିଙ୍କ ଉପରେ ଭରସା କରୁନାହାନ୍ତି । ତେଣୁ ସ୍ଥାନୀୟ ଆଇଆଇସିଙ୍କୁ ସେହି ଜାଗାର ତୁରନ୍ତ ବଦଳି କରି ଜଣେ ଦକ୍ଷ ପୋଲିସ ଅଧିକାରୀଙ୍କୁ ଦେଓଗାଁରେ ନିଯୁକ୍ତି କରନ୍ତୁ । ତା ସହ ଲୋକଙ୍କ ମନରେ ଥିବା କୋକୁଆ ଭୟକୁ ଦୂର କରିବା ପାଇଁ ପୋଲିସ ଶୀଘ୍ର ପଦକ୍ଷେପ ନେଉ । ଏଠାରେ ସୂଚନାଯୋଗ୍ୟ ଯେ, ଗତ ମାସ ୧୩ ତାରିଖରେ କିଛି ସଂଖ୍ୟା ଲଘୁ ଯୁବକ ଦେଓଗାଁ ଅଂଚଳରେ ଖଣ୍ଡା ତଥା ଅନ୍ୟାନ୍ୟ ମାରଣାସ୍ତ୍ର ଧରି ଲୋକଙ୍କୁ ଭୟଭୀତ କରିଥିଲେ । ତେଣୁ ହିନ୍ଦୁ-ମୁସଲିମ ସମ୍ପ୍ରଦାୟ ଭିତରେ ତିକ୍ତତା ଆଣିବା ପାଇଁ କିଛି ଲୋକ ବିଭ୍ରାନ୍ତିକର ଅପପ୍ରଚାର କରୁଛନ୍ତି । ଏହା ଯେପରି ଆଗକୁ ଉଗ୍ର ରୂପ ନ ନିଏ ସେ ଦିଗରେ ପୋଲିସ ଯତ୍ନବାନ ତଥା ସମ୍ବେଦନଶୀଳ ହୋଇ ପଦକ୍ଷେପ ଗ୍ରହଣ କରୁ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମଧ୍ୟ ଯେତେ ଶୀଘ୍ର ହେବ ଏହି ଘଟଣାରେ ହସ୍ତକ୍ଷେପ କରି ଦେଓଗାଁ ଅଂଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ଶାନ୍ତି କମିଟି ଗଠନ କରିବା ପାଇଁ ପଦକ୍ଷେପ ନିଅନ୍ତୁ ଏବଂ ପୋଲିସ ଏଫ୍ଆଇଆର୍ରେ ଯେଉଁ ଲୋକଙ୍କର ନାଁ ନାହିଁ ଏହି ଘଟଣା ସମ୍ପୂର୍ଣ୍ଣ ତଦନ୍ତ ନ ସରିବା ପର୍ଯ୍ୟନ୍ତ ଅଧିକ ଲୋକଙ୍କୁ ଭୟଭୀତ କରିବା ପାଇଁ ଗିରଫ କରନ୍ତୁ ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।