ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବେଳାଭୂମି ଠାରେ ତିନିଦିନିଆ ବୋଇତ ବନ୍ଦାଣ ମହୋତ୍ସବ-୨୦୨୫ ଜିଲ୍ଲପାଳ ଭି.କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଉଦଘାଟିତ ହୋଇଯାଇଛି । ପ୍ରାଚୀନତମ କଳିଙ୍ଗର ନୌଚାଳନା ଓ ନୌବାଣିଜ୍ୟ ପରମ୍ପରା ଓଡ଼ିଆ ପୁଅର ବୀରତ୍ଵର ଗାଥାକୁ ସ୍ମରଣ କରେ, ଯାହାକି ଭାରତ ଇତିହାସର ଗୌରବମୟ ଗାଥା ସ୍ୱରୂପ ଏକ ସ୍ଵର୍ଣ୍ଣିମ ଅଧ୍ୟାୟକୁ ପ୍ରତିପାଦନ କରେ । ଏହି ସ୍ମୃତି ସ୍ୱରୂପ ଓଡ଼ିଆ ଜାତିର ପରମ୍ପରାକୁ ଚିରସ୍ଥାୟୀ କରିବା ଲକ୍ଷ୍ୟ ନେଇ ବୋଇତ ବନ୍ଦାଣ ଉତ୍ସବ ନଭେମ୍ବର ୫ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଗୋପାଳପୁର ବେଳାଭୂମି ଠାରେ ଅନୁଷ୍ଠିତ କରାଯାଉଛି । ଆଜି ପ୍ରାତଃ ୩ଘଟିକାରୁ ସାଧବ ସାଂସ୍କୃତିକ ସମାରୋହ, ମା’ ମଙ୍ଗଳା ଆରତୀ, ବୋଇତ ନାଟକ, ସାଧବ ଓ ସାଧବାଣୀଙ୍କର ବୋଇତ ବନ୍ଦାଣ, ବୋଇତ ଗମନ ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା । ପୂର୍ବାହ୍ନ ୧୧ ଘଟିକାରେ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନ ୩ ଘଟିକାରେ ପାରମ୍ପରିକ ପିଠା ପ୍ରତିଯୋଗିତା ହୋଇଥିଲା । ସାନ୍ଧ୍ୟ କାର୍ଯ୍ୟକ୍ରମରେ ପ୍ରହଲ୍ଲାଦ ନାଟକ ଓ ସ୍ଥାନୀୟ କଳାକାର ଓ ଓଡ଼ିଶାର ପ୍ରତିଷ୍ଠିତ କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଓଡ଼ିଆ ଗାୟକ ଓ ଗାୟିକା କୁଲଦୀପ ପଟ୍ଟନାୟକ, ଶୀତଳ କୁନମୁନ୍, ପ୍ରିୟଙ୍କା ସ୍ୱାଇଁ, ଆଲୋକ କୁନ୍ଦୁ ସଙ୍ଗୀତ ପରିବେଷଣ କରିଥିଲେ । ତତ୍ ସଙ୍ଗେ ସଙ୍ଗେ ଜିଲ୍ଲା ଓ ଜିଲ୍ଲା ବାହାରୁ ଆସିଥିବା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ଵାରା ପଲ୍ଲୀଶ୍ରୀ ମେଳା ପ୍ରଦର୍ଶିତ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷୀକ ଡକ୍ଟର ଶ୍ରବଣ ବିବେକ ଏମ୍, ବ୍ରହ୍ମପୁର ମହାନଗର କମିଶନର ପ୍ରଥମେସ ଅରବିନ୍ଦ ରାଜଶିର୍କେ, ବ୍ରହ୍ମପୁର ଉପ-ଜିଲ୍ଲାପାଳ ଅବିନାଶ କୁମାର, ଆର୍ମି ଏ.ଡି. କଲେଜର ଲେପ୍ଟନାଣ୍ଟ ଜେନେରାଲ ଆର.ସି. ଶ୍ରୀକାନ୍ତ, ଅତିରିକ୍ତ ଜିଲ୍ଲାପାଳ ଡ଼ଃ.ପ୍ରମୋଦ କୁମାର ପୃଷ୍ଟି ପ୍ରମୁଖ ଉପସ୍ଥିତ ରହିଥିଲେ ।
Next Post