ପୁଇଁତଲା, (କେପିଏନ୍ଏସ୍) : ପୁଇଁତଲା ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଅଟଗାଁ ହାଇସ୍କୁଲ ପରିସରରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁଇଁତଲା ବ୍ଲକ ଶିକ୍ଷା ଅଧିକାରୀ ରତ୍ନମୟୀ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ସବ୍ କଲେକ୍ଟର ଆଲୋକ ପଟେଲ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ସଦର ବ୍ଲକ ବିଇଓ ନୀଳମଣି ପଟେଲ, ସଇଁତଲା ବିଇଓ ଦିଲୀପ ଯୋଶୀ, ଏବିଇଓ ଲଚ୍ଛମନ ପ୍ରଧାନ, ପ୍ରଧାନ ଶିକ୍ଷକ ରୋହିତାଶ୍ୱ ଯୋଶୀ ପ୍ରମୁଖ ମଞ୍ଚାସୀନ ଥିଲେ । ଜୁନିଅର, ସିନିଅର ଓ ସୁପର ସିନିଅର ଏପରି ୩ଟି ବର୍ଗର ୪୦୦ରୁ ଅଧିକ ଛାତ୍ରଛାତ୍ରୀମାନେ ପ୍ରବନ୍ଧ, ବକ୍ତୃତା, ତର୍କ, କୁଇଜ, ସୃଜନଶୀଳ ଲିଖନ, ସଂଗୀତ, ସୁନ୍ଦର ହସ୍ତାକ୍ଷର, ଶିଳ୍ପକଳା ଓ ଚିତ୍ରକଳା, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୁଇଁତଲା ବିଡିଓ ଅମରେନ୍ଦ୍ର ସ୍ୱାଇଁ, ମୁଖ୍ୟବକ୍ତା ଭାବେ ପୁଇଁତଲା ବ୍ଲକ ଚେୟାରମ୍ୟାନ ସରୋଜ ପଧାନ, ପ୍ରକୃତି ବନ୍ଧୁ ଶିକ୍ଷକ ଦିଗମ୍ବର ନାଏକ ପ୍ରମୁଖ ଯୋଗଦେଇ ଶିକ୍ଷା ସହ ଶିଶୁଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ନିମନ୍ତେ ସୁରଭି ହେଉଛି ଏକ ଉତ୍କୃଷ୍ଟ ମଞ୍ଚ ବୋଲି ମତବ୍ୟକ୍ତ କରିଥିଲେ । ଶିକ୍ଷକ ନାରାୟଣ ମିଶ୍ର, ଅଳକା ଦାଶ ଓ ସୈରେନ୍ଦ୍ରୀ ପରିଡା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଶେଷରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କ ସହ ଗତ ମାଟ୍ରିକ ପରୀକ୍ଷାରେ ବ୍ଲକ ଟପ୍ପରଙ୍କ ସମେତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ପୁରସ୍କୃତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ବିଦ୍ୟାଳୟକୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୁଇଁତଲା ବ୍ଲକ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ସମସ୍ତ ସିଆର୍ସିସି, ବିଆର୍ସିସି, ଆଟଗାଁ ହାଇସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ ।