ରାଜ୍ୟସ୍ତରୀୟ ପତଙ୍ଗ ସମତା କପ୍ ଫୁଟବଲ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରାଜେନ୍ଦ୍ର ନାରାୟଣ ସିଂହଦେଓ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ପୁଅ ଓ ଝିଅ ମାନଙ୍କ ମଧ୍ୟରେ ଲିଙ୍ଗ ବିଭେଦ ଏବଂ ସାମାଜିକ ପ୍ରତିବନ୍ଧକକୁ ଦୂର କରି କେବଳ କଥାରେ ନୁହେଁ ବାସ୍ତବରେ ମଧ୍ୟ ପୁଅ ଓ ଝିଅ ମଧ୍ୟରେ ସମାନତା ଆଣିବା ନେଇ ପତଙ୍ଗ ଫାଉଣ୍ଡେସନ ତରଫରୁ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ ପତଙ୍ଗ ସମତା କପ୍ ଫୁଟବଲ ପ୍ରତିଯୋଗିତା ପାଇଁ ଏକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଜେନ୍ଦ୍ର ମାଝୀ, ଜିଲ୍ଲା କ୍ରୀଡ଼ା ସଂସଦ ଫୁଟବଲ ସମ୍ପାଦକ ଶରତ କୁମାର ନନ୍ଦ, ଅନ୍ୱେଷା ରାଉତ, ଦିପ୍ତିମୟୀ ମେହେର ଅତିଥି ଭାବରେ ଯୋଗଦେଇ ଖେଳାଳୀ ମାନଙ୍କ ସହିତ ପରିଚିତ ହୋଇ, ଲିଙ୍ଗଗତ ଭେଦଭାବ ଦୂର କରିବା ପାଇଁ ଜନ ଜାଗରଣ ସୃଷ୍ଟି କରିବାକୁ ଏହିଭଳି ପ୍ରୟାସକୁ ପ୍ରଶଂସା କରିଥିଲେ । ଏଥିରେ ବଲାଙ୍ଗିର କ୍ରୀଡ଼ା ଛାତ୍ରାବାସ ଏବଂ ଟିଟିଲାଗଡ଼ ଦଳର ପୁରୁଷ ଓ ମହିଳା ଖେଳାଳୀ ମାନଙ୍କ ମିଶ୍ରିତ ଦଳ ଯୋଗଦେଇ ଥିଲେ । ଏଥିରେ ବଲାଙ୍ଗିର କ୍ରୀଡ଼ା ଛାତ୍ରାବାସ ଦଳ ୨-୧ ଗୋଲ୍‌ରେ ବିଜୟୀ ହୋଇ ସମ୍ବଲପୁରରେ ହେବାକୁ ଥିବା ମୁଖ୍ୟ ପ୍ରତିଯୋଗିତାରେ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ରେଫରୀ ଭାବରେ ସଞ୍ଜନ କୁମାର କୁଦାଇ, ମଳୟ ଘିବେଲା, ଯଶୋବନ୍ତ ପ୍ରଧାନୀ ଏବଂ ଧନେଶ୍ଵର ସେଠ୍ ଖେଳ ପରିଚାଳନା କରିଥିଲେ । ଏହି ପ୍ରତିଯୋଗୀତାର ବୈଶିଷ୍ଟ୍ୟ ହେଲା ଗୋଟେ ଦଳରେ ଉଭୟ ପୁରୁଷ ଓ ମହିଳା ଖେଳାଳୀ ରହି ଖେଳିଥାଆନ୍ତି । ସମସ୍ତ କାର୍ଯ୍ୟକ୍ରମକୁ କ୍ରୀଡ଼ା ଅଧିକାରୀ ପରାଶର ବାଗ ପରିଚାଳନା କରିଥିବା ବେଳେ ପତଙ୍ଗ ଫାଉଣ୍ଡେସନର ଅଞ୍ଜନ କୁମାର ପ୍ରଧାନ ଓ ଅନ୍ୟମାନେ ସହଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନରସିଂହ ସ୍ଵାମୀ ନାଇଡୁ, ବୀରସେନ୍ ସାହୁ ଏବଂ କ୍ରୀଡ଼ା ଛାତ୍ରାବାସର ସମସ୍ତ କର୍ମୀ ସହଯୋଗ କରିଥିଲେ ।

Leave A Reply

Your email address will not be published.