ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଶନିବାର ମୁରିବାହାଲ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୫’ ଉଦ୍ଯାପିତ ହୋଇଯାଇଛି । ପୂର୍ବାହ୍ନରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀ ମା’ ବାଗଦେବୀଙ୍କଠାରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟ ମଞ୍ଚାସୀନ ଅତିଥିମାନଙ୍କ ମଧ୍ୟରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କୈଳାଶ ଚନ୍ଦ୍ର ଭୋଇ, କାନ୍ତାରାମ ଧରୁଆ, ହାଇସ୍କୁଲ ପ୍ରଧାନଶିକ୍ଷକ ଶ୍ରୀମନ୍ତ କୁମାର ନାୟକ, ପୁରୁଷୋତ୍ତମ ବାଗ, ପଞ୍ଚାନନ ରଣା ଓ ସିଆରସିସି ପ୍ରିୟଦର୍ଶନ ମୁଗ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥିମାନେ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରି ଶିଶୁମାନଙ୍କର ଲୁପ୍ତ ଓ ସୁପ୍ତ ପ୍ରତିଭାର ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ । ଏହାପରେ ବିଭିନ୍ନ ପ୍ରତିଯୋଗିତାରେ ବିତର୍କ, ରଚନା ଲିଖନ, ଚିତ୍ରାଙ୍କନ, କୁଇଜ, ସୃଜନଶୀଳ ଲିଖନ, ବକ୍ତୃତା, ଶୃତଲିଖନ, ପିଏମ ପୋଷଣ, ଶିଳ୍ପ ଓ ଚିତ୍ରକଳା, ସଂଗୀତ ଓ ସାଂସ୍କୃତିକ ପ୍ରତିଯୋଗିତାରେ ସମସ୍ତ ବର୍ଗରୁ ପ୍ରାୟ ୩୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଏମାନଙ୍କ ମଧ୍ୟରୁ ୩୦ଜଣ ପ୍ରତିଯୋଗୀ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପାଇଁ ମନୋନୀତ ହୋଇଥିଲେ । ଦିବ୍ୟାଙ୍ଗ ବର୍ଗର ପ୍ରତିଯୋଗୀମାନେ ମଧ୍ୟ ସକ୍ରିୟ ଭାଗ ନେଇ ସ୍ୱୟଂକୁ ପ୍ରତିଷ୍ଠିତ କରିଥିଲେ । ବିଇଓ ଶ୍ରୀ ପଢ଼ିହାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ହଳଦୀ ପଞ୍ଚାୟତ ସରପଞ୍ଚ ସୌମିନା ସେଠ ଓ ସମ୍ମାନିତ ଅତିଥି ଭାବେ ସମିତିସଭ୍ୟ ଟୁନାମଣି ମହାନନ୍ଦ ଉପସ୍ଥିତ ଥିଲେ । ସଭାପତି ସମସ୍ତ ପ୍ରତିଯୋଗୀମାନଙ୍କୁ ସୁରଭିର ମହତ୍ତ୍ୱ ବିଷୟରେ ଜଣାଇଥିଲେ । ଅତିଥିବୃନ୍ଦଙ୍କ ଦ୍ଵାରା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତ୍ୟେକ ବର୍ଗର ପ୍ରତିଯୋଗୀଙ୍କୁ କୃତିତ୍ୱ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶିଷ୍ଟ ସୁନାମଧନ୍ୟ କଣ୍ଠଶିଳ୍ପୀ ଓ ନୃତ୍ୟ ପ୍ରଶିକ୍ଷକମାନେ ବିଚାରକ ଥିଲେ ଯାହା ଏହି ବର୍ଷର କାର୍ଯ୍ୟକ୍ରମକୁ ଆହୁରି ଗୌରବମୟ କରିଥିଲା । ମଞ୍ଚ ପରିଚାଳନା ଶିକ୍ଷକ ସତ୍ୟ କୁମ୍ଭାର ଓ ଲିଲୁମୋହନ ପଧାନଙ୍କ ଦ୍ୱାରା କରାଯାଇଥିଲା । କାର୍ଯ୍ୟକ୍ରମକୁ ସୁବ୍ୟବସ୍ଥିତ ଓ ଶୃଙ୍ଖଳିତ ଭାବେ ସମ୍ପାଦନ କରିବାରେ ବ୍ଲକର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ସାଧନ କେନ୍ଦ୍ର ସଂଯୋଜକମାନେ ସହଯୋଗ କରିଥିଲେ । ଶେଷରେ ଶିକ୍ଷକ ତୋଷ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।