ls

ସଇଁନ୍ତଲା ବ୍ଲକର ବିଭିନ୍ନ ଡାକ୍ତରଖାନାରେ ଡାକ୍ତର ଅଭାବ, ଚିକିତ୍ସା ପାଇଁ ୫୦ କିଲୋମିଟର ଧାଉଁଛନ୍ତି ରୋଗୀ : ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ ଚେତାବନୀ

sb

ସଇଁନ୍ତଲା, (ଅଜିତ କୁମାର ସାହୁ) : କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଦିନକୁ ଦିନ ଡାକ୍ତରଙ୍କ ସମସ୍ୟା ଏବେ ବଢିବାରେ ଲାଗିଲାଣି । ତେବେ ହଜାର ହଜାର ଲୋକ ଡାକ୍ତରଖାନା ଉପରେ ନିର୍ଭର କରୁଥିବା ବେଳେ ବର୍ତ୍ତମାନ ଅନେକ ଡାକ୍ତରଖାନାରେ ଡାକ୍ତର ପଦବୀ ଖାଲି ପଡିଥିବା ଦେଖିବାକୁ ମିଳୁଛି । ଏଥିପାଇଁ ରୋଗୀ ହନ୍ତସନ୍ତ ହେଉଥିବା ମଧ୍ୟ ନଜରକୁ ଆସୁଛି । ତେବେ ଏଭଳିି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସଇଁନ୍ତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଏହି ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବାରୁ ରୋଗୀମାନେ ଉପଯୁକ୍ତ ଚିକିତ୍ସାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି । ଏନେଇ ଜିଲ୍ଲା ପ୍ରଶାସନ ଠାରେ ଅନେକ ଥର ସଇଁନ୍ତଲାର ବୁଦ୍ଧିଜୀବୀମାନେ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନର ଅଣଦେଖା ଯୋଗୁଁ ଏବେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସୂଚନା ମତେ ଏହି ଡାକ୍ତରଖାନା ଅଧୀନରେ ୨୨ଟି ପଂଚାୟତର ହଜାର ହାଜର ଲୋକ ନିର୍ଭର କରିଥାଆନ୍ତି । ତେବେ ଏହି ଡାକ୍ତରଖାନା ଅନ୍ତର୍ଗତ ବେଲଗାଁ, ଘୁନସର, ଟିକ୍ରାପଡା ଓ ବୁଢାବାହାଲ ସ୍ୱାସ୍ଥ୍ୟ ଉପକେନ୍ଦ୍ର ରହିଥିବା ବେଳେ ୧୮ଟି ଏଏନଏମ କେନ୍ଦ୍ର ରହିଛି । ତାହା ସତ୍ୱେ ମଧ୍ୟ ଲୋକଙ୍କୁ ଉଚିତ ସ୍ୱାସ୍ଥ୍ୟସେବା ମିଳି ପାରୁନାହିଁ । ପ୍ରକାଶ ଥାଉ ଯେ, ଏହି ବ୍ଲକଟି ଦାଦନ ପ୍ରବଣ ଅଂଚଳ ହୋଇ ଥିବା ବେଳେ ଲୋକଙ୍କ ପାଇଁ ଆର୍ଥିକ ସଂଙ୍କଟ ମଧ୍ୟ ଲାଗି ରହିଥାଏ । ହେଲେ ଡାକ୍ତରଖାନାରେ ଡାକ୍ତର ଅଭାବ ଯୋଗୁଁ ଡାକ୍ତର ନ ଥିବା କରଣରୁ ଏବେ ଚିକିତ୍ସା ପାଇଁ ୫୦ କିଲୋମିଟର ଯାଇ ରୋଗୀମାନେ ଚିକିତ୍ସିତ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହି ସଇଁନ୍ତଲା ଡାକ୍ତରଖାନା ଏବେ ଆୟୁଷ ଡାକ୍ତରଙ୍କ ଭରସାରେ ଚାଲୁଥିବା ବେଳେ କିିଛି ଦିନ ତଳେ ସଇଁନ୍ତଲା ବିକାଶ ପରିଷଦ ପକ୍ଷରୁ ମଧ୍ୟ ସଇଁନ୍ତଲା ଡାକ୍ତରଖାନାର ଅଧିକାରୀ ସମରେନ୍ଦ୍ର ମହାପାତ୍ରଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ହେଲେ ଦୀର୍ଘ ଦିନ ବିତି ଯାଇଥିଲେ ସୁଦ୍ଧା ସମସ୍ୟାର ସମାଧାନ ନ ହେବାରୁ ଲୋକେ ଆନ୍ଦୋଳନ ପାଇଁ ସଜବାଜ ହେଉଥିବା ମଧ୍ୟ ଜଣାପଡିଛି । ଏହି ଡାକ୍ତରଖାନାରେ ଇନଚାର୍ଜ, ଶିଶୁ ବିଶେଷଜ୍ଞ ଓ ମେଡିସିନ ବିଶେଷଜ୍ଞ ପଦବୀ ଖାଲି ପଡିଛି । ଅନ୍ୟପଟେ ଘୁନସର, ଟିକ୍ରାପଡା ଡାକ୍ତରଖାନାରେ ଇନଚାର୍ଜ, ପିଏଚଓ, ମୁଖ୍ୟ କିରାଣୀ, ଜନ୍ମ ଓ ମୃତ୍ୟୁ ପଂଜିକରଣ କିରାଣୀ, ଫାର୍ମାସିଷ୍ଟ ଭଳି ଅନେକ ପଦବୀଗୁଡିକ ଖାଲି ରହିଛି । ଅନ୍ୟପଟେ ଡାକ୍ତର ଅଭାବରୁ ହଜାର ହଜାର ଲୋକେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅପର ପକ୍ଷରେ ଏହି ଡାକ୍ତରଖାନାରେ ରୋଗୀଙ୍କୁ ମାଗଣାରେ ଆସୁଥିବା ଖାଦ୍ୟ ଗୁଡିକୁ ଦିଆ ନଯାଇ ବାହାରେ ବିକ୍ରି କରୁଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି । ତେବେ ପ୍ରତିଦିନ ଅଂଚଳର ଅନେକ ଗର୍ଭବତୀ ମହିଳା ଓ ରୋଗୀମାନେ ଚିକିତ୍ସା ପାଇଁ ଆସି ଥାଆନ୍ତି, ହେଲେ ଡାକ୍ତରଖାନାରେ ଭର୍ତି ହେଉଥିବା ରୋଗୀଙ୍କ ପାଇଁ ମାଗଣାରେ ଖାଦ୍ୟ ବ୍ୟବସ୍ଥା ମଧ୍ୟ ରହିଛି । ତେବେ ନିୟମ ଅନୁଯାଇ ୨୪ ଘଂଟାରୁ ଅଧିକ ସମୟ ରହୁଥିବା ରୋଗୀଙ୍କୁ ପ୍ରତିଦିନ ବିସ୍କୁଟ, କ୍ଷୀର, ପାଉଁରୁଟି ଓ ରନ୍ଧାଖାଦ୍ୟ ମଧ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ଦେବାର ବ୍ୟବସ୍ଥା ରହିଛି । ହେଲେ ସେ ସବୁକୁ ବାଟ ମାରଣା ହେଉଥିବା ବେଳେ ରୋଗୀଙ୍କ ପାଖରେ ପହଂଚି ପାରୁନାହିଁ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି । ଏହାକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏବେ ଜନସାଧାରଣଙ୍କ ମଧ୍ୟରେ ପ୍ରଶ୍ନ ଉଠୁଛି, ସରକାରଙ୍କ ପକ୍ଷରୁ ମାଗଣାରେ ଆସୁଥିବା ବିଭିନ୍ନ ସାମଗ୍ରୀଙ୍କୁ କାହିଁକି ରୋଗୀଙ୍କୁ ଦିଆଯାଉ ନାହିଁ, ସେସବୁ ଯାଉଛି କୁଆଡେ ବୋଲି ଏବେ ଡାକ୍ତରଖାନାର ଅଧିକାରୀଙ୍କୁ ନେଇ ସନ୍ଦେହ ସୃଷ୍ଟି ହେଲାଣି । ତେବେ ଡାକ୍ତରଖାନାର ଅଧିକାରୀ ସମରେନ୍ଦ୍ର ମହାପାତ୍ରଙ୍କୁ ବଦଳି କରିବା ପାଇଁ ମଧ୍ୟ ଲୋକେ ଦାବୀ କଲେଣି । ଅନ୍ୟପଟେ ଦୀର୍ଘ ୨ ବର୍ଷରୁ ଅଧିକ ହେବ ଏହି ଡାକ୍ତରଖାନାର ଅଲଟ୍ରାସାଉଣ୍ଡ ଖରାପ ରହିଛି, ହେଲେ ଡାକ୍ତରଖାନାର ଅଧିକାରୀ ଏହାକୁ ଅଣଦେଖା କରୁଥିôବା ସାଧାରଣରେ ଅଭିଯୋଗ ହେଉଛି । ନିଜେ ବାହାରେ କ୍ଲିନିକ ଖୋଲି ଡାକ୍ତର ସେଠାରେ ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କ ଠାରୁ ୭୦୦ ଟଙ୍କା ମଧ୍ୟ ନେଉଛନ୍ତି, ହେଲେ ସରକାର ଯୋଗାଇ ଦେଇଥିବା ଅଲଟ୍ରାସାଉଣ୍ଡ ଖରାପ ଅଛି ବୋଲି ଦୀର୍ଘ ବର୍ଷ ହେଲା କହି ଆସୁଛନ୍ତି । ଅଚଳ ଥିବା ମେସିନକୁ ମରାମତି କରୁ ନାହାନ୍ତି, କାରଣ ଯଦି ମରାମତି ହୁଏ ତେବେ ବାହାରେ କ୍ଲିନିକ ଖୋଲିଥିବା କେନ୍ଦ୍ରକୁ ଟଙ୍କା ଆସି ପାରିବ ନାହିଁ ବୋଲି ଆଲୋଚନା ହେଉଛି । ଏହା ବି କୁହାଯାଉଛି, ଡାକ୍ତର ଜଣକ ନିଜେ ଡାକ୍ତରଖାନାର ଅଧିକାରୀ ହୋଇଥିବା ଯୋଗୁଁ ମନଇଚ୍ଛା ସପ୍ତାହରେ ୩ ଦିନ ଆସୁଛନ୍ତି । କିନ୍ତୁ ତାଙ୍କୁ ଏହି ସବୁ ସମସ୍ୟା ବିଷୟରେ ପଚାରିଲେ, ତୁମେ ମୋ’ ମାମୁଁ ଘର ଗାଁର ଲୋକ ହେଇଥିବା ବେଳେ କାହିକିଁ ଖବର ପ୍ରସାରଣ କରୁଛ ବୋଲି ଓଲଟା ଗଣମାଧ୍ୟମ ପ୍ରତିନିଧିଙ୍କୁ କହୁଥିôବା ଜଣାପଡ଼ିଛି । ତେବେ କିଛିଦିନ ହେବ ସଇଁନ୍ତଲା ବ୍ଲକ ବୁଢ଼ାବାହାଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଉଦଘାଟନ ଦିନର ଗୋଟିଏ ଦିନ ପରେ ସ୍ୱାସ୍ଥ୍ୟକେନ୍ଦ୍ର ସାଜସଜ୍ଜା ସବୁ ଉଭାନ ହୋଇଯାଇଛି । ତେବେ ଜଣେ ଡାକ୍ତରଙ୍କୁ ମଧ୍ୟ ଡେପୁଟେସନ୍‌ରେ ନିଯୁକ୍ତ କରାଯାଇଥିଲା । ହେଲେ ଗୋଟିଏ ଦିନ ପରେ ଡାକ୍ତରଙ୍କ ଆଉ ଦେଖାମିଳି ନଥିଲା । ରାଜନୈତିକ ଉଦେଶ୍ୟ ପାଇଁ ଡାକ୍ତରଖାନାକୁ ଉଦ୍‌ଘାଟନ କରାଯାଇ ଥିବା କଂଗ୍ରେସ ଦଳ ଅଭିଯୋଗ କରିଛି ।

ଅନ୍ୟପଟେ ସଇଁନ୍ତଲା ବ୍ଲକ ଘୁନସର ଡାକ୍ତରଖାନରେ ମଧ୍ୟ ଡାକ୍ତର ପଦବୀ ଖାଲି ରହିଛି । ବର୍ତ୍ତମାନ ଫାର୍ମାସିଷ୍ଟଙ୍କ ଭରସାରେ ଡାକ୍ତରଖାନା ଚାଲିଛି । ତେବେ ଏହି ଡାକ୍ତରଖାନାକୁ କଅଁସର, ଶିଶକେଲା, ଖାସବାହାଲ, ଡଙ୍ଗୁରିପାଲି, ଆମ୍ବପାଲି, ଘୁନସର, କୁଆଁରଗାଁ ଭଳି ଅନେକ ଗ୍ରାମର ଜନସାଧାରଣ ନିର୍ଭର କରିଥାଆନ୍ତି । କିନ୍ତୁ ଡାକ୍ତର ସମସ୍ୟା ସମାଧାନ ହୋଇପାରୁ ନାହିଁ । ଅନେକ ଥର ନେତା, ବିଧାୟକ, ସାଂସଦ ଓ ମନ୍ତ୍ରୀ ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି । ହେଲେ ଯେଉଁ ଦୁଃଖକୁ ସେହି ଦୁଃଖ, ଅଂଚଳବାସୀଙ୍କ ସମସ୍ୟାର ସମାଧାନ ହୋଇ ପାରୁନାହିଁ । କେବେ ସମସ୍ୟାର ସମାଧାନ ହେବ ଓ କେବେ ଅଂଚଳବାସୀ ଉଚିତ ସ୍ୱାସ୍ଥ୍ୟସେବା ପାଇବେ, ତାହା ଏବେ ଏକ ବଡ ପ୍ରଶ୍ନ । ରାଜନେତାଙ୍କ ଇଚ୍ଛା ଶକ୍ତି ଅଭାବରୁ ସବୁଯାକ ଫେଲ ମାରୁଛି ବୋଲି ଆଲୋଚନା ହେଉଛି । ସଇଁନ୍ତଲା ମୁଖ୍ୟ ଡାକ୍ତରଖାନାରେ ଡାକ୍ତରଙ୍କ ମନମାନି ମନୋଭାବକୁ ନେଇ ଲୋକେ ବିରୋଧ କରୁଛନ୍ତି । ଡାକ୍ତରଖାନା ଏବେ ଦୁର୍ନୀତିର ଗନ୍ତାଘର ପାଲଟିବାରେ ଲାଗିଲାଣି । ତେବେ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେଇ ଡାକ୍ତର ନିଯୁକ୍ତ କରିବା ପାଇଁ ସଇଁନ୍ତଲାବାସୀ ଦାବି କରିଛନ୍ତି । ଯଦି ଆଗାମୀ ଦିନରେ ପ୍ରଶାସନ ପଦକ୍ଷେପ ନ ନିଏ, ରାଜରାସ୍ତାକୁ ଓହ୍ଲାଇ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସଇଁନ୍ତଲା ବ୍ଲକ କଂଗ୍ରେସ ସଭାପତି ଗୁଣସାଗର ମାଝୀ, ସଇଁନ୍ତଲା ଆଚଂଳିକ ସାମ୍ବାଦିକ ସଂଘ ସଭାପତି ଦେବେନ୍ଦ୍ର ଯୋଶୀ, ଆଇନଜୀବୀ ରଞ୍ଜନ ବାରିକ, ରାଜେଶ ସାହୁ, ବ୍ଲକ ଉପାଧ୍ୟକ୍ଷ ପ୍ରମୋଦ ଭୋଇ, ଗଦାଧର ସାହୁ, ବିନେଶ ଗହିର ପ୍ରମୁଖ ଚେତାବନୀ ଦେଇଛନ୍ତି । ଏନେଇ ସଇଁନ୍ତଲା ଡାକ୍ତରଖାନା ଅଧିକାରୀ ସମରେନ୍ଦ୍ର ମହାପାତ୍ରଙ୍କୁ ପଚାରିବାରୁ ଅନେକ ଥର ଜିଲ୍ଲା ପ୍ରଶାସନ ଠାରେ ଡାକ୍ତର ସମସ୍ୟାକୁ ନେଇ ଅଭିଯୋଗ କରିଥିବା କହିଛନ୍ତି । ଏନେଇ ବଲାଙ୍ଗିର ଜିଲ୍ଲା ସିଡିଏମଓ ଡା. ଭୀମ ସାହୁଙ୍କୁ ପଚାରିବାରୁ ଡାକ୍ତର ଅଭାବ ଥିବା କଥାକୁ ସ୍ୱୀକାର କରିଛନ୍ତି ଓ କହିଛନ୍ତି ମୁଁ କଣ କରି ପାରିବି, ସାରା ରାଜ୍ୟରେ ଡାକ୍ତର ଅଭାବ ଥିବା ପ୍ରକାଶ କରିଛନ୍ତି । ଏନେଇ ଓଡିଶା ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କୁ ପଚାରିବାରୁ ବଲାଙ୍ଗିର ଜିଲ୍ଲାରେ ଡାକ୍ତର ଅଭାବ ରହିଛି, ତେବେ ଆଗାମୀ ଦିନରେ ସମସ୍ୟାର ସମାଧାନ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଜଣାଇବି ବୋଲି କହିଛନ୍ତି । ଏନେଇ ବାଲଙ୍ଗିର ସାଂସଦ ସଙ୍ଗୀତା ସିଂହଦେଓଙ୍କୁ ପଚାରିବାରୁ ସନ୍ତୋଷଜନକ ଉତ୍ତର ଦେଇ ନଥିଲେ ।

pc pk
Leave A Reply

Your email address will not be published.