ବ୍ଲକସ୍ତରୀୟ କୃଷକ ସୂଚନା ପରାମର୍ଶ ବୈଠକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବ୍ଲକ ସ୍ତରୀୟ କୃଷି ସୂଚନା ପରାମର୍ଶ କେନ୍ଦ୍ରର ପରାମର୍ଶଦାତା ବୈଠକ ଡେଲାଙ୍ଗ କୃଷି ସୂଚନା ପରାମର୍ଶ କେନ୍ଦ୍ର ସଭା କକ୍ଷରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ପରାମର୍ଶ କେନ୍ଦ୍ର ସଭାପତି ଲଡୁକିଶୋର ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବ୍ଲକ କୃଷି ଅଧିକାରୀ ମାନସୀ ମଧୁଭାଷିନୀ ପଶାୟତ, ସହକାରୀ କୃଷି ଅଧିକାରୀ ମନୋଜ କୁମାର ବାରିକ, ବୈଷୟିକ ପରିଚାଳକ ଜ୍ଞାନରଞ୍ଜନ ହରିଚନ୍ଦନ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ବିଷ୍ଣୁପ୍ରିୟା ବେହେରା, ସହକାରୀ ମତ୍ସ୍ୟସମ୍ପଦ ଅଧିକାରୀ ନିରୁପମା ଚିନରା, କୃଷି ସହକାରୀ ଯନ୍ତ୍ରୀ ପାର୍ଥସାରଥୀ ମୁର୍ମୁ ପ୍ରମୁଖ ଯୋଗଦେଇ ଆଗାମୀ ରବି ଋତୁ ପାଇଁ ସରକାରଙ୍କ କୃଷି ବିଭାଗ ପକ୍ଷରୁ ମଂଜୁର ହୋଇଥିବା ବିଭିନ୍ନ କୃଷକ କଲ୍ୟାଣ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଚଳିତ ରବି ଋତୁରେ ପାଞ୍ଚ ଶହ ଏକର ଚିନାବାଦାମ, ଜଣକୁ ପଚାଶ ଡେସିମିଲ ଜମି ପାଇଁ କୋଡିଏ ଜଣଙ୍କୁ କେପ୍‌ସିକମ, ଜଣକୁ ପଚାଶ ଡେସିମିଲ ଜମି ପାଇଁ କୋଡିଏ ଜଣଙ୍କୁ ଗେଣ୍ଡୁଫୁଲ ଚାଷ ପାଇଁ ପ୍ରଦର୍ଶନ କ୍ଷେତ୍ର ପ୍ରୋତ୍ସାହନ ଦିଆଯିବା ପାଇଁ ନିଷ୍ପତି ହୋଇଥିବା ସହ ମହିଳା ଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଜହ୍ନି, ଛତୁ, ଗେଣ୍ଡୁଫୁଲ, ମହୁ, ଅମୃତଭଣ୍ଡା ଚାରା ପ୍ରସ୍ତୁତି କର୍ମଶାଳା ଓ ପ୍ରୋତ୍ସାହନ ସହାୟତା ପ୍ରଦାନ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ସେହିପରି ବିଭିନ୍ନ ଫସଲ ରୋଗ ଓ ପୋକ ନିୟନ୍ତ୍ରଣ ପରିଚାଳନା ପାଇଁ ଦୁଇଟି, ଛତୁଚାଷ, ମହୁ ଚାଷ ଓ ପ୍ରାଣୀ ସମ୍ପଦ ପାଳନ କ୍ଷେତ୍ରରେ ଗୋଟିଏ ଲେଖାଏଁ ମୋଟ ପାଞ୍ଚଟି ସଚେତନତା ଶିବିର ଆୟୋଜନ କରିବାକୁ ନିଷ୍ପତି ହୋଇଛି । କେପ୍‌ସିକମ ଓ ଗେଣ୍ଡୁଫୁଲ ପ୍ରଦର୍ଶନ କ୍ଷେତ୍ର ପାଇଁ ତିରିଶି ପ୍ରତିଶତ ସଂରକ୍ଷିତ ରହିବ ବୋଲି କୃଷି ଅଧିକାରୀ ଶ୍ରୀମତୀ ପଶାୟତ ସୂଚନା ଦେଇଥିଲେ । ଏଥି ସମେତ ବ୍ଲକର ଏକୋଇଶ ଗ୍ରାମ ପଂଚାୟତରେ ଗ୍ରାମ କୃଷି କର୍ମଚାରୀ କିମ୍ବା କୃଷକ ସାଥି ନଥିବା, କେତେକ କୃଷକ ସାଥି ଏହି ସେବା ଛାଡି ଅନ୍ୟ ସେବାରେ ନିୟୋଜିତ ରହିଥିବା ଦର୍ଶାଇ ସବୁ ପଂଚାୟତରେ କୃଷି କର୍ମଚାରୀ କିମ୍ବା କୃଷକ ସାଥି ନିୟୋଜନ କରିବା ପାଇଁ ସଭ୍ୟମାନେ ପ୍ରସ୍ତାବ ଦେଇଥିଲେ । ମାଛ ଯାଆଁଳ ଉତ୍ପାଦନ ପାଇଁ ରହିଥିବା ପ୍ରୋତ୍ସାହନ ସମ୍ପର୍କରେ ସହକାରୀ ମତ୍ସ୍ୟ ସମ୍ପଦ ଅଧିକାରୀ ସୁଶ୍ରୀ ଚିନରା, ବିଭିନ୍ନ କୃଷି ଯନ୍ତ୍ରପାତି, ଉପକରଣ ଆଦି କ୍ରୟ କ୍ଷେତ୍ରରେ ରହିଥିବା ସରକାରୀ ରିହାତି ସମ୍ପର୍କରେ କୃଷି ସହକାରୀ ଯନ୍ତ୍ରୀ ପାର୍ଥସାରଥୀ ମୁର୍ମୁ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଭ୍ୟ ଗୋପାଳ ସ୍ୱାଇଁ, ଅଶୋକ ପ୍ରଧାନ, ସ୍ୱପ୍ନେଶ୍ଵର ପରିଡା, ବିନାୟକ ବସ୍ତିଆ, ମନୋରଞ୍ଜନ ପ୍ରଧାନ, ରବୀନ୍ଦ୍ର ପ୍ରଧାନ, ବେଲାଳସେନ ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଷୟିକ ପରିଚାଳକ ଜ୍ଞାନରଞ୍ଜନ ହରିଚନ୍ଦନ ଧନ୍ୟବାଦ ପ୍ରଦାନ କରିଥଲେ ।

Leave A Reply

Your email address will not be published.