ଗଞ୍ଜାମ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଗୃହରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ୨୦୨୫ ପାଳିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ଡ଼. ପ୍ରମୋଦ କୁମାର ପୃଷ୍ଟି ଯୋଗ ଦେଇ ବରିଷ୍ଠ ନାଗରିକ ହେଉଛନ୍ତି ସମାଜ ଓ ପରିବାରର ଦିଗ ଦର୍ଶନ, ବୟୋଜ୍ୟେଷ୍ଠ ବ୍ୟକ୍ତି ହେଉଛନ୍ତି ଘରର ମେରୁଦଣ୍ଡ, ଘର ଓ ପରିବାରକୁ ସୁରକ୍ଷା ଦିଅନ୍ତି । ଭଲ ସମାଜ ଓ ରାଷ୍ଟ୍ର ଗଠନ କରିବାରେ ଏମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ, ସାମାଜିକ ବିଶୃଙ୍ଖଳା ଦୂର କରିବାକୁ ହେଲେ ବରିଷ୍ଠ ନାଗରିକ ମାନଙ୍କୁ ସମ୍ମାନ ଦେବା ନିହାତି ଆବଶ୍ୟକ ବୋଲି ନିଜ ବକ୍ତବ୍ୟରେ କହିଥିଲେ । ପଦ୍ମଶ୍ରୀ ଡ଼ା. କୃଷ୍ଣ ମୋହନ ପାଠୀ, ବିଭିନ୍ନ ବରିଷ୍ଠ ନାଗରିକ କ୍ଲବର ସଭାପତି ପ୍ରଫୁଲ୍ଲ କୁମାର ପାତ୍ର, ଭାସ୍କର ପାଢ଼ୀ, କେ ଏ ଏସ୍‌ ପାତ୍ର, ସୂର୍ଯ୍ୟକାନ୍ତ ପାତ୍ର, ସୀମାଞ୍ଚଳ ବିଷୋୟୀ, ପ୍ରଶାନ୍ତ କୁମାର ଶତପଥୀ, ରାଧା ଚରଣ ନାୟକ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ବେହେରା ମଞ୍ଚରେ ଉପସ୍ଥିତ ଥିଲେ । ମଞ୍ଚାସୀନ ସମସ୍ତ ଅତିଥି ବରିଷ୍ଠ ନାଗରିକମାନଙ୍କୁ ସମ୍ମାନ ଓ ସ୍ନେହ କରନ୍ତୁ ବୋଲି ମତ ଦେଇଥିଲେ । ଗୃହ ବିଭାଗ ପକ୍ଷରୁ ପରିଚୟ ପତ୍ର ସମସ୍ତ ବରିଷ୍ଠ ନାଗରିକଙ୍କୁ ପ୍ରଦାନ ନିମନ୍ତେ ଅନୁରୋଧ କରିଥିଲେ । ଯୁବପିଢ଼ିଙ୍କୁ ସୁସ୍ଥ ସମାଜ ଗଠନ ଦିଗରେ ମାନବିକତା, ସଂସ୍କାର ଓ ସଂସ୍କୃତି ନିହାତି ଜରୁରୀ ବୋଲି ନିଜ ନିଜ ବକ୍ତବ୍ୟରେ କହିଥିଲେ । ସକାଳେ ଶିଳ୍ପ ତାଲିମ ଅନୁଷ୍ଠାନ ପରିସରରେ ବରିଷ୍ଠ ନାଗରିକମାନେ ଆୟୋଜିତ ହୋଇଥିବା ଯୋଗ ଓ ପ୍ରାଣାୟାମରେ ଅଂଶ ଗ୍ରହଣ କରିଥିଲେ ଏବଂ ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ବିଶିଷ୍ଟ ବରିଷ୍ଠ ବ୍ୟକ୍ତିତ୍ଵଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବ୍ରହ୍ମପୁର ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସାହୁ ଓ ଛତ୍ରପୁର ସାମାଜିକ ସୁରକ୍ଷା ଅଧିକାରୀ ସସ୍ମିତା ସ୍ୱାଇଁ ସହିଯୋଗ କରିଥିଲେ ।

Leave A Reply

Your email address will not be published.