- ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ, ରକ୍ତ ରଞ୍ଜିତ ହେଲା ରାଜରାସ୍ତା
କଳାହାଣ୍ଡିର, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମା’ଙ୍କ ଏହି ଛତର ଯାତ୍ରା ଦେଖିବା ପାଇଁ ଜିଲ୍ଲା ତଥା ରାଜ୍ୟ ବାହାରର ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଭବାନୀପାଟଣା ସହରର ମଧ୍ୟ ଭାଗରେ ରାଜ ପ୍ରାସାଦ ପରିସରରେ ଥିବା ମା’ଙ୍କ ମନ୍ଦିରରେ ସୋମବାର ମଧ୍ୟରାତ୍ରରେ ସନ୍ଧି ପୂଜା କରାଯାଇଥିଲା । ଏହାପରେ ନିଶାର୍ଦ୍ଧରେ ମା’ ମାଣିକେଶ୍ୱରୀଙ୍କ ପ୍ରତୀକ ଛତରକୁ ସହରର ଉପକଣ୍ଠରେ ଥିବା ଆଶା ସାଗର ନିକଟସ୍ଥ ଜେନା ଖାଲକୁ ନିଆ ଯାଇଥିଲା । ସେଠାରେ ରୀତିନୀତି ଅନୁଯାୟୀ ଗୁପ୍ତ ପୂଜା କରାଯିବା ପରେ ମଙ୍ଗଳବାର ମହା ନବମୀ ତିଥିରେ ପ୍ରାତଃ ୪ଟା ୪୫ ମିନିଟରେ ଏକ ବିରାଟ ପଟୁଆରରେ ଛତରକୁ ମନ୍ଦିର ଅଭିମୁଖେ ନିଆଯାଇଥିଲା । ମା’ଙ୍କ ଛତର ଯାତ୍ରାରେ ଘଣ୍ଟ ଦଳ, ନିଶାନ ଦଳ, ଦୂଲଦୁଲି ସମେତ ବିଭିନ୍ନ ସାଂସ୍କୃତିକ ଦଳ ସାମିଲ ହୋଇ ମା”ଙ୍କୁ ମନ୍ଦିର ଅଭିମୁଖେ ପାଛୋଟି ନେଇଥିଲେ । ସେଭଳି କଳାହାଣ୍ଡିର ବୀରବାଦ୍ୟ ଘୁମୁରାର ଘୁମୁଘୁମୁ ନାଦ ସହ ଭକ୍ତ ମାନଙ୍କ ମା’ମାଣିକେଶ୍ୱରୀ କି ଜୟ ନାରାରେ ଗଗନ ପବନ ମୁଖରିତ ହୋଇ ଉଠିଥିଲା । ଶାକ୍ତ ପରମ୍ପରା ଅନୁଯାୟୀ ମାନସିକଧାରୀ ମାନେ ନିଜ ନିଜ ମାନସିକ ପୂରଣ ହେବାପରେ ଶୁକ୍ଳ ଭୋଗ, ଛାଗ, କୁକୁଡ଼ା ବଳି ପ୍ରଦାନ କରିଥିବାବେଳେ କେତେକ ମାନସିକଧାରୀ କପୋତ ଉଡାଇଥିଲେ । ଲକ୍ଷାଧିକ ଭକ୍ତଙ୍କ ଗହଳିରେ ପାରା ଛତର ଉପରେ ବସି ରହିବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା । ହଜାର ହଜାର ବଳି ରକ୍ତରେ ଜେନାଖାଲ ଠାରୁ ମାଣିକେଶ୍ୱରୀ ମନ୍ଦିର ରାସ୍ତା ରକ୍ତ ରଞ୍ଜିତ ହୋଇ ଉଠିଥିଲା । ସେଭଳି ଭବାନୀପାଟଣା ମୁଖ୍ୟ ରାଜରାସ୍ତାକୁ ସଂଯୋଗ କରିଥିବା ଅନ୍ୟ ରାସ୍ତା ଗୁଡିକ ମଧ୍ୟ ରକ୍ତ ରଞ୍ଜିତ ହୋଇ ଉଠିଥିଲା । ବର୍ଷ ତମାମ ମା’ ମାଣିକେଶ୍ୱରୀ ନିଜ ମନ୍ଦିରର ଗର୍ଭ ଗୃହରେ ପୂଜାପାଇ ଭକ୍ତ ମାନଙ୍କୁ ଦର୍ଶନ ଦେଉଥିବାବେଳେ ଛତର ଯାତ୍ରା ଦିନ ରାଜରାସ୍ତାରେ ଭକ୍ତମାନଙ୍କ ନିକଟକୁ ଆସି ଦର୍ଶନ ଦିଅନ୍ତି । ତେଣୁ ଭକ୍ତ ଶ୍ରଦ୍ଧାଳୁମାନେ ମା’ଙ୍କୁ ଅତି ନିକଟରୁ ଦର୍ଶନ କରି ନିଜ ଗୁହାରି ଜଣାଇବା ପାଇଁ ଏହି ଦିନକୁ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଥାନ୍ତି । ଲକ୍ଷାଧିକ ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଏବଂ ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବରକୋଣ୍ଡା ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଥିଲେ । ସହରର ୨୫ଟି ସ୍ଥାନରେ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଥିଲା । ସହରର ବିଭିନ୍ନ ସ୍ଥାନରେ ୩୫ଟି ସିସିଟିଭି କ୍ୟାମେରା ଲଗାଯାଇ ସ୍ଥିତି ଅନୁଧ୍ୟାନ କରାଯାଇଥିଲା । ଟାଉନ ଥାନାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧୩ ପ୍ଲାଟୁନ ପୋଲିସ ମୁତୟନ କରାଯିବା ସହ ଅଭିଜ୍ଞ ପୋଲିସ ଅଧିକାରୀ ମାନଙ୍କୁ ନିୟୋଜିତ କରାଯାଇଥିଲା । ମା’ଙ୍କ ଛତର ମନ୍ଦିର ନିକଟରେ ପହଞ୍ଚିବା ପରେ କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ ଛତର ଗ୍ରହଣ କରି ମନ୍ଦିରରେ ସ୍ଥାପନ କରିଥିଲେ ।