ପଦ୍ମପୁର ବନଦୁର୍ଗା ମନ୍ଦିରରେ କାଳରାତ୍ରୀ ଦେବୀଙ୍କ ବିଶେଷ ପୂଜା ଓ ଆରାଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡ଼ବନ୍ଧ ପାଖ ବନଦୁର୍ଗା ମନ୍ଦିର ଠାରେ ଆଜି ରବିବାର ସକାଳ ୮ଟା ସମୟରେ ମୁଖ୍ୟ ପଣ୍ଡିତ ରଘୁନାଥ ତ୍ରିପାଠୀ, ମନ୍ଦିର ପୂଜକ ପ୍ରଶାନ୍ତ ପଣ୍ଡା, ପଣ୍ଡିତ ଗିରିଶ ଚନ୍ଦ୍ର ହୋତା, ପଣ୍ଡିତ ଅଶୋକ କୁମାର ପଣ୍ଡା, ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ, ପଣ୍ଡିତ ପ୍ରବୀଣ ମିଶ୍ର ଓ ପଣ୍ଡିତ ବିଘ୍ନରାଜ ନନ୍ଦଙ୍କ ମନ୍ତ୍ର ଉଚ୍ଚାରଣ ଓ ଷୋଡଶ ଉପଚାରରେ ଓ ସୂର୍ଯ୍ୟଙ୍କୁ ଆବାହାନ କରି, ନବଦୁର୍ଗା ମନ୍ଦିରର ପାର୍ଶ୍ଵ ଦେବାଦେବୀଙ୍କୁ ପୂଜା କରିବା ସହିତ ନବରାତ୍ରର ସପ୍ତମୀ ଦିନରେ ଦେବୀ ଦୁର୍ଗା କାଳରାତ୍ରୀ ବେଶରେ ପୂଜା ପାଉଛନ୍ତି । କାଳରାତ୍ରୀ ହେଉଛନ୍ତି ମାଁ ଦୁର୍ଗାଙ୍କର ସପ୍ତମ ସ୍ୱରୂପ, ଯିଏ ନବରାତ୍ରର ସପ୍ତମ ଦିନରେ ପୂଜା ପାଇଥାନ୍ତି । ଓଡ଼ିଶାରେ ତାଙ୍କୁ ମଧ୍ୟ ଦେବୀଶକ୍ତିର ଏକ ଭୟଙ୍କର ରୂପ ଭାବରେ ପୂଜା କରାଯାଏ । ସେ ଅଜ୍ଞାନତା ଏବଂ ଭୟକୁ ନାଶ କରି ଶୁଭଫଳ ପ୍ରଦାନ କରନ୍ତି । ଯେଉଁଥିପାଇଁ ତାଙ୍କୁ “ଶୁଭଙ୍କରି” ମଧ୍ୟ କୁହାଯାଏ । କାଳରାତ୍ରୀଙ୍କର ଶରୀର ଅନ୍ଧକାର ପରି କଳା, ମୁଣ୍ଡରେ କେଶ ମୁକୁଳା ଥିବା ମାଳା ରହିଛି । ତାଙ୍କର ତିନୋଟି ଗୋଲ ନେତ୍ର ଅଛି ଏବଂ ନିଶ୍ୱାସରୁ ଅଗ୍ନିଶିଖା ବାହାରିଥାଏ । ସେ ଏକ ଗର୍ଦ୍ଧବ (ଗଧ)ଉପରେ ବସିଥାନ୍ତି, ତାଙ୍କର ଚାରୋଟି ହାତ ଅଛି, ଡାହାଣ ହାତରେ ବରମୁଦ୍ରା (ବରଦାନ) ଏବଂ ଅଭୟ ମୁଦ୍ରା (ଅଭୟପ୍ରଦାନ) ଥାଏ । ବାମ ହାତରେ ଲୁହାର କଣ୍ଟା ଏବଂ ଖଡ୍ଗ ଧରିଥାନ୍ତି । କାଳରାତ୍ରୀଙ୍କର ପୂଜା କରିବା ଦ୍ୱାରା ଭକ୍ତ ସବୁ ପ୍ରକାରର ଭୟ, ଶତୃ ବାଧା, ଭୂତ -ପ୍ରେତ ଏବଂ ନକାରାତ୍ମକ ଶକ୍ତିରୁ ମୁକ୍ତି ପାଏ । ତାଙ୍କର ଉପାସନା ଦ୍ଵାରା ଭକ୍ତର ସାହାସ ବଢେ, ଅଜ୍ଞାନତାର ଅନ୍ଧକାର ଦୂର ହୁଏ । ଓଡ଼ିଶାର ଶକ୍ତିପୀଠ ଏବଂ ଦୁର୍ଗା ପୂଜା ସମୟରେ କାଳରାତ୍ରିର ସପ୍ତମୀ ତିଥିରେ ବିଶେଷ ପୂଜା ଓ ଆରାଧନା କରାଯାଏ । ତାଙ୍କର ଭୟାନକ ରୂପ ପଛରେ ଭକ୍ତଙ୍କୁ ଶୁଭ ଓ ସୁଖ ପ୍ରଦାନ କରିବାର ଏକ ଶକ୍ତି ଲୁଚି ରହିଛି । ଅରୁଣ କୁମାର ଦାନି ଓ ତାଙ୍କ ସହଧର୍ମିଣୀ ରୁପାରାଣୀ ସାହୁ ପ୍ରତ୍ୟେକ ଦିନର କର୍ତ୍ତା ଦାୟିତ୍ୱ ବହନ କରୁଛନ୍ତି । ସକାଳ ୭ଟା ସମୟରେ ପୂଜା, ବାଳଭୋଗ ଆଳତୀ ସହିତ ୭୦ ଟଙ୍କା ବିନିମୟରେ ଭକ୍ତଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା କରାଯାଇଛି । ବନଦୁର୍ଗା ମନ୍ଦିରର ସଭାପତି ଡ଼ା. ପ୍ରଭାତ ନାରାୟଣ ତ୍ରିପାଠୀ, ସମ୍ପାଦକ ଗୋପାଳ ଚନ୍ଦ୍ର ଭୋଇ, କୋଷାଧ୍ୟକ୍ଷ ଅନିଲ କୁମାର ବେହେରାଙ୍କ ତତ୍ୱାବଧାନରେ ଗଜିଆ ଶର୍ମା, ପ୍ରତାପ ମିଶ୍ର, ଗଜୁ ଅଗ୍ରୱାଲ, ଅଜିତ ସତପଥୀ, ସୁଶାନ୍ତ ପଧାନ, ବିଷ୍ଣୁ ଥପା ଓ ଉମେଶ ସାହୁଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ କରି ଆସୁଛନ୍ତି ।

Leave A Reply

Your email address will not be published.