ବାରିପଦା, (ଦେବସ୍ମିତ ଚୌଧୁରୀ) : ୧୦ ବର୍ଷରୁ କମ ପିଲାମାନେ ସାଧାରଣତଃ ଖେଳନା, ଚକଲେଟ, ନୂଆ ସାର୍ଟ ପେଣ୍ଟ ଆଦି କିଣିଦେବା ପାଇଁ ବାପାମାଆଙ୍କ ପାଖରେ ଅଳି କରିଥାନ୍ତି । ମାତ୍ର ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧୫ ନଂ ୱାର୍ଡ ସ୍ଥିତ ପୂର୍ଣ୍ଣଚନ୍ଦ୍ରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୩ୟ ଶ୍ରେଣୀର ଛାତ୍ର ମହାବୀର ଦାସ କ୍ଷେତ୍ରରେ । ୯ ବର୍ଷର ମହାବୀର ବିଦ୍ୟାଳୟରେ ବିଭିନ୍ନ ସମୟରେ ବୃକ୍ଷ ରୋପଣ ଉପରେ ସଚେତନତା କାର୍ୟ୍ୟକ୍ରମ ବିଷୟରେ ଶୁଣି ତଥା ଛାତ୍ରଛାତ୍ରୀଙ୍କ ଦ୍ୱାରା ଗଛ ଲଗାଇବା କାର୍ୟ୍ୟକ୍ରମକୁ ଦେଖି ନିଜ ମା’ ରୁକ୍ମିଣୀଙ୍କୁ ଗଛଟିଏ କିଣିଦେବାକୁ କହିଥିଲେ । ପିତା ମନୋଜ କୁମାର ଦାସ ପୁଅର କଥା ଶୁଣି ଆଶ୍ଚର୍ୟ୍ୟ ହୋଇଯାଇଥିଲେ । ଶେଷରେ ବଜାରରୁ ସାପେଟା ଗଛଚାରାଟିଏ କିଣି ବିଦ୍ୟାଳୟରେ ଦେଇଥିଲେ । ଛାତ୍ରର କଥାଶୁଣି ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ମଧ୍ୟ ଆଶ୍ଚର୍ୟ୍ୟ ହୋଇଯାଇଥିଲେ । ଆଜି ସାରା ଦେଶରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ ଅବସରରେ “ମା’ ପାଇଁ ଗଛଟିଏ” କାର୍ୟ୍ୟକ୍ରମ ଚାଲିଥିବାବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ, କର୍ମଚାରୀ, ଛାତ୍ର ଓ ସି ଆର ସି ସି ଧନଞ୍ଜୟ ସାହୁଙ୍କ ଗହଣରେ ମହାବୀର ନିଜ ମା’ ସହିତ ଚାରାଗଛଟିକୁ ରୋପଣ କରିଥିଲେ । ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଥିବା କୁନି ଶିଶୁକୁ ଆସନ୍ତା ଶିଶୁ ଦିବସ ତଥା ଏବର୍ଷ ବାର୍ଷିକ ଉତ୍ସବରେ ସ୍ୱତନ୍ତ୍ର ଭାବେ ପୁରସ୍କୃତ କରାଯିବ ବୋଲି ପ୍ରଧାନ ଶିକ୍ଷକ ସୌମ୍ୟ ଦାଶ ପ୍ରକାଶ କରିଛନ୍ତି ।