pr

ସଂସ୍କୃତ ଭାଷାର ସୁରକ୍ଷା ପାଇଁ ମିଳିତ ଉଦ୍ୟମ ଲୋଡା

dr. purohit
  • ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସରେ ମତ ପ୍ରକାଶ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଂସ୍କୃତ ଓ ସଂସ୍କୃତି ପରସ୍ପର ପରିପୂରକ । ଆଦର୍ଶ ସଭ୍ୟତା ଓ ସଂସ୍କୃତିକୁ ବଞ୍ଚାଇବା ପାଇଁ ସଂସ୍କୃତ ଭାଷାର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ରହିଥିବା ବେଳେ ସଂସ୍କୃତ ଭାଷା ବିନା ସଂସ୍କୃତି ଅସମ୍ପୂର୍ଣ୍ଣ । ତେଣୁ ସଂସ୍କୃତ ଓ ସଂସ୍କୃତିର ସୁରକ୍ଷା ପାଇଁ ମିଳିତ ଉଦ୍ୟମ ଲୋଡା ବୋଲି ବରଗଡ଼ ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସରେ ମତ ପ୍ରକାଶ ପାଇଛି । ପାଇକମାଲ ସ୍ଥିତ ମହର୍ଷି ଦୟାନନ୍ଦ ଗୁରୁକୁଳ ଆଶ୍ରମ ପରିସର ସଭାପତି ରମେଇ ଚରଣ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଂସ୍କୃତ ଭାଷା ବଞ୍ଚିଲେ ଆମ ସଂସ୍କୃତି ବଞ୍ଚିବ ଏଥି ପାଇଁ ସମସ୍ତଙ୍କ ମିଳିତ ଉଦ୍ୟମ ଲୋଡା ବୋଲି ମତ ପ୍ରକାଶ କରି ପାଇକମାଲଠାରେ ସଂସ୍କୃତ ଭବନ ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ଘୋଷଣା କରିଥିଲେ । ସଭାପତି ରମେଇ ଚରଣ ଦାଶ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ସମ୍ପାଦକ ଅଗସ୍ତି ପ୍ରଧାନ ବିବରଣୀ ଉପସ୍ଥାପନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ ଭୁଏ ସଂସ୍କୃତ ବିଦ୍ୱାନ ନବ ପ୍ରଭାତ ଗୁରୁକୁଳ ଆଚାର୍ଯ୍ୟ ବୃହସ୍ପତି ଶାସ୍ତ୍ରୀ, ପଣ୍ଡିତ ବେଦ ପ୍ରକାଶ ଶାସ୍ତ୍ରୀ, ପ୍ରଧାନ ଶିକ୍ଷକ ଦ୍ୱାଦଶ ପ୍ରଧାନ, ଜିଲ୍ଲା ସଙ୍କୀର୍ତ୍ତନ ପରିଷଦ ସଭାପତି ଗୁରୁ ପ୍ରମୋଦ ଦାଶ ପ୍ରମୁଖ ଯୋଗ ଦେଇ ସଂସ୍କୃତ ଦିବସ ପାଳନର ମହନୀୟତା ପରିପ୍ରକାଶ କରିଥିଲେ । ଏହି ଅବସରରେ ଶ୍ରୀ ଜଗନ୍ନାଥ ସଂସ୍କୃତ ମହା ବିଦ୍ୟାଳୟ ଅଧ୍ୟକ୍ଷ ଡ ବଦ୍ରି ନାରାୟଣ ପୂଜାରୀ ଓ ଅଞ୍ଚଳ ମହାବିଦ୍ୟାଳୟ ସଂସ୍କୃତ ଅଧ୍ୟାପକ ପ୍ରଭାତ ମହାପାତ୍ର ପ୍ରମୁଖ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଅଭିଜ୍ଞାନ ଶାକୁନ୍ତଲମ ନାଟକ ଓ ମେଘଦୂତ କାବ୍ୟ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଏହି ଅବସରରେ ପଣ୍ଡିତ ବେଦ ପ୍ରକାଶ ଶାସ୍ତ୍ରୀ ସଂସ୍କୃତ ଭବନ ନିର୍ମାଣ ପାଇଁ ଏକ ଲକ୍ଷ ଟଙ୍କା ଓ ପ୍ରଧାନ ଶିକ୍ଷକ ଦ୍ୱାଦଶ ପ୍ରଧାନ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ଦେବା ପାଇଁ ନିଜ ଆଡୁ ଘୋଷଣା କରିଥିଲେ । ଆଶ୍ରମର ମୁଖ୍ୟ ପରିଚାଳକ ଅନନ୍ତ ଶାସ୍ତ୍ରୀଙ୍କ ସମେତ ଜିଲ୍ଲାର ୭ ଜଣ ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବରଗଡ଼ ଜିଲ୍ଲାରେ ଯୋଗ ଦେଇ ଥିବା ସମସ୍ତ ନବାଗତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ଵାଗତ କରାଯାଇଥିଲା । ସଂଘର ଉପ ସଭାପତି ଦୟାସାଗର ସାହୁ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମକୁ ରାଜ୍ୟ ଯୁଗ୍ମ ସଂପାଦକ ଗୋପବନ୍ଧୁ ପୁରୋହିତ ଓ ଲିଙ୍ଗରାଜ ସାହୁ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ରେ ବରଗଡ଼ ଜିଲ୍ଲାର ସମସ୍ତ ହାଇସ୍କୁଲ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଏହି ଅବସରରେ ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଝିଟିକି ଉଚ୍ଚ ବିଦ୍ୟାଳୟ ମୁନିକେଲ ଓ ମହର୍ଷି ଦୟାନନ୍ଦ ଗୁରୁକୁଳ ଆଶ୍ରମର ଛାତ୍ରଛାତ୍ରୀଙ୍କ ଦ୍ଵାରା ଚିତ୍ତାକର୍ଷକ ସଂସ୍କୃତ ନୃତ୍ୟ ପରିବେଷଣ କରାଯାଇଥିଲା । ତେବେ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ ପାଇଁ ପାଇକମାଲ ବ୍ଲକକୁ ପୁରସ୍କୃତ କରାଯାଇଥିଲା ଓ ଆସନ୍ତା ବର୍ଷ ଅତାବିରା ବ୍ଲକରେ ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ ପାଳନ ପାଇଁ ସର୍ବ ସମ୍ମତି କ୍ରମେ ଘୋଷଣା କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ବ୍ଲକ ପ୍ରତିନିଧି ସକ୍ରିୟ ସହଯୋଗ କରିଥିଲେ । ଶେଷରେ ଲିଙ୍ଗରାଜ ସାହୁ ଧନ୍ୟବାଦ ଦେଇଥିଲେ ।

nrusinghnath
Leave A Reply

Your email address will not be published.