
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ମ୍ୟୁନିସପାଲିଟୀ ମାନ୍ୟତାପ୍ରାପ୍ତ ହୋଇଛି, ଏନେଇ ଛତ୍ରପୁରଠାରେ ଆୟୋଜିତ ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ଏକ ନିଆରା ଖୁସିର ଲହରୀ ଖେଳିଯାଇଛି । ସରକାରଙ୍କ ସହରୀ ଯୋଜନା ତଥା ନଗର ଉନ୍ନୟନ ବିଭାଗ ତରଫରୁ ଗଞ୍ଜାମ ଜିଲ୍ଲାର ଆସ୍କା, ଭଞ୍ଜନଗର, ଛତ୍ରପୁର ଏନ୍ଏସିକୁ ମୁନିସିପାଲିଟି ମାନ୍ୟତାପ୍ରାପ୍ତ ହୋଇଥିବା ସରକାରଙ୍କ ଘୋଷଣାକୁ ସ୍ୱାଗତ ଯୋଗ୍ୟ ବିଷୟ ବୋଲି ଆତସବାଜି, ରୋଷଣୀରେ ଉତ୍ସବ ସ୍ଥଳପରିସର ମୁଖରୀତ ହୋଇଉଠିଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମର ମାହଲରେ ଯୋଗଦେଇଥିବା ମାନ୍ୟବର ମନ୍ତ୍ରୀ ତଥା ନେତ୍ତୃବର୍ଗଙ୍କୁ ରାଜ୍ୟ ସରକାରଙ୍କୁ ଶୁଭେଚ୍ଛା ପୂର୍ବକ ଅତିଥି ଦେବଙ୍କୁ ସୁନ୍ଦର ପୁଷ୍ପଗୁଚ୍ଛ ମାଳାରେ ଉଚ୍ଛ୍ଵସୀତ ସମ୍ବର୍ଦ୍ଧନା ଦିଆଯାଇଛି । ଛତ୍ରପୁର ପୌର ପରିଷଦ ପକ୍ଷରୁ ଆୟୋଜିତ ସ୍ୱାୟତ୍ତ ଶାସନ ଦିବସର ସ୍ୱତନ୍ତ୍ର ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ବର୍ଣ୍ଣାଢ଼୍ୟ ଉତ୍ସବ ସମାରୋହରେ ମାନ୍ୟବର ବାଣିଜ୍ୟ, ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ବରେଣ୍ୟ ମନ୍ତ୍ରୀ (ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଅଣୁ କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିଭାଗ), ଗୋକୁଳା ନନ୍ଦ ମଲ୍ଲିକ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଛତ୍ରପୁର ଉପ-ଜିଲ୍ଲାପାଳ ପ୍ରମୁଖ ଶିବାଶିଷ ବରାଳ, ପୌର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷା ଜି.ପାପା ରାଓ, ପ୍ରମୁଖ କାଉନସିଲର ଗଣ ଏବଂ ସହରର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଏହି ମହୋତ୍ସବରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଅପରାହ୍ନରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ସମାରୋହ ମାହାଲରେ ଲଘୁ ସଙ୍ଗୀତ ପରିବେଷଣ ଆଦି ଦର୍ଶକଙ୍କୁ ବିମୋହିତ କରିଥିଲା । ସ୍ଵତନ୍ତ୍ର ଭାବେ ଛତ୍ରପୁର ସହର ପାଇଁ ନିୟୋଜିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉପଢୌକନ ସହ ମାନପତ୍ର ପ୍ରଦାନ ସାଂଗକୁ ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କୃତିତ୍ତ୍ଵ ହାସଲ କରିଥିବା ବିଭିନ୍ନ ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ ହୋଇଛନ୍ତି । ମୁଖ୍ୟଅତିଥି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ବିଭୂତି ଭୂଷଣ ଜେନାଙ୍କ କରକମଳରେ ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ଭିତ୍ତି ପ୍ରସ୍ତର ଏବଂ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଲୋକାର୍ପଣ କରାଯାଇଛି ।