ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ପୋଲିସ ଏକ ଗୁରୁତର ଜମି ଜାଲିଆତି ଓ ବିକ୍ରି ମାମଲାର ଫର୍ଦଫାଶ କରିଛି । ପୋଲିସ ପ୍ରାଥମିକ ତଦନ୍ତରେ ତିନିଜଣଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ମନୋଜ କୁମାର ଗୌଡ଼ (୩୦), ଦିଲୀପ ମାଳି (୫୧) ଓ ଦଣ୍ଡପାଣି ବେହେରା (୭୮) । ସେମାନଙ୍କଠାରୁ ନକଲି ଆଧାର କାର୍ଡ ଓ ବ୍ୟାଙ୍କ ପାସବୁକ ପୋଲିସ ଜବତ କରିଥିବା ଜଣା ପଡିଛି । ଅଭିଯୋଗ ଅନୁସାରେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ନକଲି ମାଲିକ ସହ ଦୁଇଜଣ ଦଲାଲ ରହିଛନ୍ତି । ସେମାନେ ମୃତ୍ୟୁ ଲୋକଙ୍କୁ ଜୀବିତ କରାଇ ଜମି ବିକ୍ରି କରିଥିବା ଅଭିଯୋଗରେ ବନ୍ଧା ହୋଇଥିବା ଥାନା ଏସଆଇ ଅନିରୁଦ୍ଧ ସ୍ୱାଇଁ ସୂଚନା ଦେଇଛନ୍ତି । ଏତଲାରୁ ମିଳିଥିବା ତଥ୍ୟ ଅନୁଯାଇ ହଳଦିଆ ପଦର ବାସିନ୍ଦା ଦଣ୍ଡପାଣି ବେହେରାଙ୍କ ଗତ ୨୦୦୪ ରେ ମୂର୍ତବରଣ କରିଥିଲେ । ମୃତ ଦଣ୍ଡପାଣିଙ୍କ ନାମରେ ମଲାଡ଼ ପଞ୍ଚାୟତରେ ଦୁଇ ଏକର ୬୪୨ ଡେସିମେଲ ଜମି ରହିଥିଲା । ପରିବାର ପ୍ରାୟ ସଦସ୍ୟମାନେ ବାହାରେ ସ୍ଥାୟୀ ଭାବରେ ଥିବାରୁ, ସେହି ଜମି ବିଷୟରେ ଗୁରୁତ୍ୱ ଦେଉନଥିଲେ । ସେହି ସୁଯୋଗର ଫାଇଦା ଉଠାଇ ଗିରଫ ବ୍ୟକ୍ତି ମାନେ ଦଲାଲ ସାଜି ଜାଲିଆତି ଭାବେ ଜମି ବିକ୍ରି କରିଥିବା ମଣ୍ଡି ଆବେଦନ କରିବା ପାଇଁ ସିସ୍ତୁ ରସିଦ କାଟିବା ସମୟରେ ଜାଣିବାକୁ ପାଇଥିଲେ ଦଣ୍ଡପାଣିଙ୍କ ପୁଅ ମାନସ । ଏନେଇ ଅଗଷ୍ଟ ୨୦ ରେ ମାନସ ବେହେରା ଗଞ୍ଜାମ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହା ଅଧାରରେ କେସ୍ ନଂ. ୨୭୦/୨୦୨୫ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଗଞ୍ଜାମ ଥାନା ପୋଲିସ । ଥାନା ଆଇଆଇସି ଦାୟିତ୍ୱରେ ଥିବା ଶ୍ରଦ୍ଧାଞ୍ଜଳି ସୁବୁଦ୍ଧିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ଖୋଳତାଡ଼ । ରିପୋର୍ଟ ଅନୁସାରେ ୨୦୨୪ ମସିହାରେ, ଅଭିଯୁକ୍ତମାନେ ନକଲି ଆଧାର କାର୍ଡ ବ୍ୟବହାର କରି ୭୮ ବର୍ଷୀୟ ଦଣ୍ଡପାଣି ବେହେରାଙ୍କ ପରିଚୟ ଦେଇ ସ୍ଥାନୀୟ ବ୍ୟକ୍ତି ଡି ବିକାଶଙ୍କୁ ଜମି ବିକ୍ରି କରିଥିଲେ । ୨୦୨୪ ସେପ୍ଟେମ୍ବର ୧ରେ ଗଞ୍ଜାମ ସବ୍-ରେଜିଷ୍ଟ୍ରାର ଅଫିସରେ ଏହି ଜମିର ରେଜିଷ୍ଟ୍ରି ହୋଇଥିଲା । ଅଧିକା ଟଙ୍କା ଥିବା ଜମିକୁ କମ ଟଙ୍କାରେ ମିଳୁଥିବାରୁ ଜମି କିଣା ଯାଇଥିଲା । ଉକ୍ତ ଘଟଣାରେ ମୋଟ ୧୫ ଲକ୍ଷ ଟଙ୍କା କାରବାର ହୋଇଥିବା ପୋଲିସ ସ୍ପଷ୍ଟ କରିଛି,ଯାହାର ୧.୫ ଲକ୍ଷ ଟଙ୍କା ଦଣ୍ଡପାଣିଙ୍କୁ ଦିଆଯାଇଥିଲା ଏବଂ ୧୩.୫ ଲକ୍ଷ ଟଙ୍କା ଦୁଇ ଦଲାଲଙ୍କ ମଧ୍ୟରେ ବଣ୍ଟା ହୋଇଥିଲା । ଅଭିଯୁକ୍ତମାନେ ଜାଲିଆତି କରିଥିବା ସ୍ୱୀକାର କରିଛନ୍ତି । ଏଥିସହ ପୋଲିସ କହିଛି, ପ୍ରାଥମିକ ତଦନ୍ତ ଚାଲୁ ଥିବାବେଳେ ତଦନ୍ତ ଶେଷ ହେଲାପରେ ଘଟଣାର ପ୍ରକୃତ ସତ୍ୟାସତ୍ୟ ସ୍ପଷ୍ଟ ହେବ । ଏହି ଘଟଣାରେ ଗିରଫ ସଂଖ୍ୟା ବଢିବାର ସମ୍ଭାବନା ରହିଛି ।
