- ୟୁକ୍ରେନ ଏବଂ ପଶ୍ଚିମ ଏସିଆ କ୍ଷେତ୍ରରେ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ପ୍ରୟାସ ଉପରେ ମତ ବିନିମୟ କଲେ ଦୁଇ ନେତା
- ଶାନ୍ତି ଓ ସ୍ଥିରତାର ଶୀଘ୍ର ପୁନଃପ୍ରତିଷ୍ଠା ପାଇଁ ଭାରତର ନିରନ୍ତର ସମର୍ଥନକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ ମୋଦୀ
- ଭାରତ-ଫ୍ରାନ୍ସ ରଣନୀତିକ ସହଭାଗୀତାକୁ ଆହୁରି ମଜବୁତ କରିବା ପାଇଁ ଉପାୟ ବିଷୟରେ ଆଲୋଚନା କଲେ ଉଭୟ ନେତା
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଫ୍ରାନ୍ସ ରାଷ୍ଟ୍ରପତି ମହାମହିମ ଇମାନୁଏଲ ମାକ୍ରୋଁଙ୍କ ଠାରୁ ଏକ ଫୋନ୍ କଲ୍ ପାଇ ତାଙ୍କ ସହିତ କଥା ହୋଇଛନ୍ତି । ଦୁଇ ନେତା ୟୁକ୍ରେନ ଏବଂ ପଶ୍ଚିମ ଏସିଆ କ୍ଷେତ୍ରରେ ଦେଖା ଦେଇଥିବା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଚାଲିଥିବା ପ୍ରୟାସ ଉପରେ ମତ ବିନିମୟ କରିଥିଲେ । ରାଷ୍ଟ୍ରପତି ମାକ୍ରୋଁ ୱାଶିଂଟନରେ ୟୁରୋପ, ଆମେରିକା ଏବଂ ୟୁକ୍ରେନର ନେତାମାନଙ୍କ ମଧ୍ୟରେ ହୋଇଥିବା ସାମ୍ପ୍ରତିକ ବୈଠକର ମୂଲ୍ୟାଙ୍କନ ବିଷୟରେ ମତ ରଖିଥିଲେ । ସେ ଗାଜା ପରିସ୍ଥିତି ଉପରେ ତାଙ୍କର ବିଚାର ମଧ୍ୟ ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଏବଂ ଶାନ୍ତି ଓ ସ୍ଥିରତାର ଶୀଘ୍ର ପୁନଃପ୍ରତିଷ୍ଠା ପାଇଁ ଭାରତର ନିରନ୍ତର ସମର୍ଥନକୁ ଦୋହରାଇଥିଲେ । ଦୁଇ ଦେଶର ନେତା ବାଣିଜ୍ୟ, ପ୍ରତିରକ୍ଷା, ବେସାମରିକ ପରମାଣୁ ସହଯୋଗ, ପ୍ରଯୁକ୍ତିବିଦ୍ୟା ଏବଂ ଶକ୍ତି କ୍ଷେତ୍ର ସମେତ ଦ୍ୱିପାକ୍ଷିକ ସହଯୋଗ କାର୍ଯ୍ୟସୂଚୀରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିଥିଲେ । ସେମାନେ ଭାରତ-ଫ୍ରାନ୍ସ ରଣନୀତିକ ସହଭାଗୀତାକୁ ସୁଦୃଢ଼ କରିବା ଏବଂ ୨୦୨୬କୁ ଉପଯୁକ୍ତ ଭାବରେ ‘ନବୋନ୍ମେଷ ବର୍ଷ’ ଭାବରେ ପାଳନ କରିବା ପାଇଁ ମିଳିତ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ରାଷ୍ଟ୍ରପତି ମାକ୍ରୋଁ ମଧ୍ୟ ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମାର ଶୀଘ୍ର ସମ୍ପାଦନ ପ୍ରତି ସମର୍ଥନ ଜଣାଇଥିଲେ । ନେତାମାନେ ସମସ୍ତ ପ୍ରସଙ୍ଗରେ ଆପୋସ ସମ୍ପର୍କ ବଜାୟ ରଖିବାକୁ ସହମତ ହୋଇଥିଲେ ।