କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଭାଲୁ ଆତଙ୍କ । ଶୌଚ ପାଇଁ ଯିବା ବେଳେ ଆକ୍ରମଣ କଲା ଭାଲୁ । ଆମପାଣି ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବରାଡଙ୍ଗା ପଞ୍ଚାୟତ ତେତେଲପଡା ଗାଁର ବୃଦ୍ଧ ନନ୍ଦ ରାଉତ(୫୫ବର୍ଷ) ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସୂଚନା ମୁତାବକ, ବୁଧବାର ଭୋର ସମୟରେ ତେତେଲପଡା ଗାଁର ନନ୍ଦ ରାଉତ ଶୌଚ ପାଇଁ ଗାଁ ନିକଟସ୍ଥ ନଦୀକୁ ଯାଉଥିଲେ । ଏତିକି ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ । ଏନେଇ ଆମପାଣି ବନ ବିଭାଗ କର୍ମଚାରୀଙ୍କୁ ଖବର ଦିଆଯାଇଛି । ପ୍ରାଥମିକ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବା ନେଇ ସୂଚନା ମିଳିଛି ।