- ଧନୀ ଗରିବଙ୍କ ମଧ୍ୟରେ ପାର୍ଥକ୍ୟ କମ୍ କରିବା ସରକାରର ଲକ୍ଷ୍ୟ ହେଉ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଶ ଆଜି ୭୯ତମ ସ୍ୱାଧିନତା ଦିବସ ପାଳନ କରୁଛି । ଆମେ ପ୍ରତ୍ୟେକେ ଆଜିର ଦିବସକୁ ଉତ୍ସାହ ସହିତ ପାଳନ କରୁଛୁଁ । ଦେଶ ଆଜି ଅନେକ କ୍ଷେତ୍ରରେ ପ୍ରଗତି କରିଛି । ଏ ବର୍ଷର ସ୍ୱାଧିନତା ଯୋଗୁଁ ଗଣତନ୍ତ୍ର ନିଶ୍ଚିତ ଭାବେ ଦେଶରେ ସୁଦୃଢ ହେବା କଥା କିନ୍ତୁ ଦେଖାଯାଉଛି ଯେ ଧିରେ ଧିରେ ଦେଶରେ ଗଣତନ୍ତ୍ର ବୋଲି ଆଉ କିଛି ନାହିଁ । ସମ୍ବିଧାନ ପ୍ରଣେତାମାନେ ସମ୍ବିଧାନରେ ସମସ୍ତଙ୍କ ପାଇଁ ସମାନ ଅଧିକାର ରଖିଛନ୍ତି କିନ୍ତୁ ବର୍ତ୍ତମାନ ଦେଶ ଅର୍ଥନୀତି ଏପରି ଢଙ୍ଗରେ ଚାଲିଛି ଯେ ଧନୀକ ଶ୍ରେଣୀ ଧନୀ ହେବାରେ ଲାଗିଛନ୍ତି ଓ ଗରିବ ଗରିବି ଆଡକୁ ଗତି କରୁଛି । ତେଣୁ ଆଜିର ଦିନରେ ସରକାର ଧନୀ ଗରିବଙ୍କ ମଧ୍ୟରେ ଥିବା ପାର୍ଥକ୍ୟକୁ କମ୍ କରିବା ଲକ୍ଷ୍ୟକୁ ନେଇ କାମ କରିବା ଉଚିତ ବୋଲିି ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ସ୍ଥାନୀୟ ମାରୱାଡି ସେବା ସଦନରେ ସ୍ୱାଧିନତା ଦିବସରେ ତ୍ରିରଙ୍ଗା ଉତ୍ତୋଳନ କରି ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିଥିଲେ । ସେ ଏହି ମର୍ମରେ ଆହୁରି କହିଥିଲେ ଯେ ଦେଶର ସିଂହଭାଗ ଅର୍ଥ କିଛି ମୁଷ୍ଟିମେୟ ଲୋକଙ୍କ ହାତରେ ରହିଯାଉଛି ଫଳରେ ସାଧାରଣ ଜନତା ଧିରେ ଧିରେ ଗରିବି ଆଡକୁ ଗତି କରୁଛନ୍ତି । ଏହାକୁ ନେଇ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଆଗାମୀ ଦିନରେ ଏକ ବଡ ଅଘଟନ ହୋଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି । ବର୍ତ୍ତମାନର ସରକାରମାନେ ବିଭିନ୍ନ ସମ୍ବିଧାନିକ ସ୍ୱୟଂ ଶାସିତ ସଂସ୍ଥାମାନଙ୍କ ଉପରେ ଅଙ୍କୁଶ ଲଗାଇବାରେ ଚେଷ୍ଟା କରୁଛନ୍ତି । ସେ ସଂସ୍ଥା ଗୁଡିକର ଅପବ୍ୟବହାର ଯୋଗୁଁ ଧିରେ ଧିରେ ଦେଶରେ ଗଣତନ୍ତ୍ର ଘୋର ଦୁର୍ବଳ ହେବାରେ ଲାଗିଛି । ଏପରି ଏକଛତ୍ରବାଦିତା ଭାରତ ଭଳିଆ ଏକ ବିରାଟ ଦେଶର ବିକାଶ ରେ ଘୋର ପ୍ରତିବନ୍ଧକ ସାଜିବ ଓ ଏଥି ପାଇଁ ସାଧାରଣ ଜନତା ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗିବେ ବୋଲି ଶ୍ରୀ ମିଶ୍ର କହିଥିଲେ । ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ଆଜିର ଦିବସରେ ଶାନ୍ତି, ମୈତ୍ରୀ ଓ ପ୍ରଗତିର ବାର୍ତ୍ତାକୁ ସମସ୍ତେ ପ୍ରଚାର କରନ୍ତୁ ଓ ଦେଶରେ ଗଣତନ୍ତ୍ରକୁ ସୁଦୃଢ କରନ୍ତୁ ବୋଲି ସେ କହିଥିଲେ । ଏ ଅବସରରେ ମାରୱାଡି ସେବା ସଦନ ଠାରେ ମାରୱାଡି ସମାଜର ବରିଷ୍ଠ ନାଗରିକ, ଯୁବା ମଂଚର କର୍ମକର୍ତ୍ତା ଓ ନାରୀ ସମୃଦ୍ଧି ଶାଖାର ମହିଳାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।