ବରଗଡ଼ର ଉପାନ୍ତ ଅଂଚଳରେ ମିଳୁନି ବିଏସଏନଏଲ ସୁବିଧା : ପ୍ରଦୀପ ପୁରୋହିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଓ ଝାରସୁଗୁଡ଼ାର ଉପାନ୍ତ ଅଂଚଳରେ ମିଳୁନି ବିଏସଏନଏଲ ସୁବିଧା । ଏନେଇ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ଆଲୋଚନା କରିଛନ୍ତିି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ଏହି ଦୁଇ ଜିଲ୍ଲାର ଉପାନ୍ତ ଅଂଚଳରେ ନେଟୱର୍କ ସେବାର ଉନ୍ନତି ଏବଂ ବିଏସଏନଏଲ ନେଟୱର୍କର ଅପଗ୍ରେଡେସନ ବ୍ୟବସ୍ଥା କରିବାକୁ କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀଙ୍କୁ ଭେଟି ଦାବି କଲେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ବିଶେଷକରି ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ଆଭ୍ୟନ୍ତରୀଣ ଅଂଚଳରେ ଟେଲି ଯୋଗାଯୋଗ ନେଇ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ଆଲୋଚନା କରିଛନ୍ତି ପ୍ରଦୀପ ପୁରୋହିତ । ଏସବୁ ଅଂଚଳର ଗାଁ ଲୋକମାନେ ସମ୍ମୁଖୀନ ହେଉଥିବା ଟେଲି ଯୋଗାଯୋଗ ଅସୁବିଧା ଉପରେ ସେ ଆଲୋକପାତ କରିଛନ୍ତି । ଅପର୍ଯ୍ୟାପ୍ତ ବିଏସଏନଏଲ ଭିତ୍ତିଭୂମି ଯୋଗୁଁ ମୋବାଇଲ ସଂଯୋଗର ଗମ୍ଭୀର ଅଭାବକୁ ଦର୍ଶାଇଛନ୍ତି । କିଛି ଟାୱାର ଥିବା ସତ୍ତ୍ୱେ ସେମାନେ ଅନେକ ଗ୍ରାମାଂଚଳ ଏବଂ ଉପାନ୍ତ ଅଂଚଳରେ ପର୍ଯ୍ୟାପ୍ତ କଭରେଜ ପ୍ରଦାନ କରିବାରେ ବିଫଳ ହୋଇଛନ୍ତି । ଡଜିଟାଲ ଭାରତ ନିଧି ଯୋଜନାରେ ଉପଲବ୍ଧ ଥିବା ଆର୍ଥିକ ସହାୟତା ବ୍ୟବହାର କରି ବିଏସଏନଏଲ ଭିତ୍ତିଭୂମିକୁ ଅପଗ୍ରେଡ୍ କରି ସମସ୍ୟାର ସମାଧାନ କରିବାକୁ ପ୍ରଦୀପ ପୁରୋହିତ ଅନୁରୋଧ କରିଛନ୍ତି । ଏହି ଯୋଜନା ଦେଶର ଅନୁନ୍ନତ ଏବଂ ଗ୍ରାମାଂଚଳରେ ଟେଲିକମ୍ ଭିତ୍ତିଭୂମି ସ୍ଥାପନକୁ ବିଶେଷ ଭାବେ ସହାୟକ ହୋଇଥାଏ । ଆଜିର ଡିଜିଟାଲ ଯୁଗରେ ମୋବାଇଲ ସେବା ଓ ନେଟୱର୍କ ନିତ୍ୟାନ୍ତ ଆବଶ୍ୟକ । କୋଟିକୋଟି ଲୋକ ମୋବାଇଲରେ କଥାବାର୍ତ୍ତା, ସୁଚନା ନେଣଦେଣ, ମେସେଜିଂ ସହ ମୋବାଇଲ ବ୍ୟାଙ୍କିଂ, ମନୋରଂଜନ ଭଳି ସେବା ପାଉଛନ୍ତି । ହେଲେ ଦୁର୍ଭାଗ୍ୟର ବିଷୟ ହେଉଛି, ବରଗଡ଼ ଜିଲ୍ଲାର ପଦ୍ମପୁର, ପାଇକମାଳ, ଝାରବନ୍ଧ ଓ ଅମ୍ବାଭୋନା ଏବଂ ଝାରସୁଗୁଡ଼ାର ଜିଲ୍ଲାର ଲଖନପୁର ବ୍ଲକରେ ବିଏସଏନଏଲ ନେଟୱର୍କ ସୁବିଧା ନାହିଁ । ଏସବୁ ଅଂଚଳରେ ବିଏସଏନଏଲ ଟାୱାର ସ୍ଥାପନା କରାଯାଇଥିଲେ ବି ଉପାନ୍ତ ଅଂଚଳ ପାଇଁ ଏହା ପର୍ଯ୍ୟାପ୍ତ ନୁହେଁ ବୋଲି ସାଂସଦ ଦର୍ଶାଇଛନ୍ତି । ଏହାକୁ ଗୁରୁତ୍ୱର ସହ ବିଚାରକୁ ନେଇ ପଦକ୍ଷେପ ନେବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ସେ ଅନୁରୋଧ କରିଛନ୍ତି । ଆବଶ୍ୟକ ସ୍ଥାନରେ ନୂଆ ମୋବାଇଲ ଟାୱାର ସ୍ଥାପନା ବା ବିଏସଏନଏଲ ଭିତ୍ତିଭୂମିକୁ ଅପଗ୍ରେଡେସନ କରାଯାଉ ବୋଲି ସାଂସଦ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ କହିଛନ୍ତି ।

jittmm
Leave A Reply

Your email address will not be published.