ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ସୁନ୍ଦରଗଡ ଜିଲ୍ଲାର ୧୬ ଗୋଟି ବ୍ଲକରେ ଲିମ୍ଫାଟିକ ଫାଇଲେରିଆସିସ୍ (ଏଲଏଫ) ଦୂରୀକରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ (ଏମଡିଏ) ଆୟୋଜିତ ହେବ । ସେ ସମ୍ପର୍କରେ ଆଜି ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀଙ୍କ ସମ୍ମିଳନୀ କକ୍ଷଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏଥିରେ ଡା. ସୁରେଶ ଚନ୍ଦ୍ର ମହାନ୍ତି, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଡ଼ା ଶିବାଶିଷ ମହାରଣା, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଡା.ଭକ୍ତ ମୋହନ ସ୍ୱାଇ ଏଡିପିଏଚଓ (ଭିବିଡି), ବିଶ୍ୱମ୍ବର ବେହେରା ଡିପିଏମ୍, ଏନ୍ଏଚ୍ଏମ୍, ବସନ୍ତ କୁମାର ପଣ୍ଡା, ଜିଲ୍ଲା ପରାମର୍ଶଦାତା (ଭିବିଡି) ଏବଂ ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ବୈଠକରେ ଫାଇଲେରିଆସିସ୍ ଦୂରୀକରଣ କାର୍ଯ୍ୟକ୍ରମକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ଉପରେ ଆଲୋଚନା କରାଯାଇଥିଲା । ଚଳିତ ଅଗଷ୍ଟ ୧୦ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ଅନୁଷ୍ଠିତ ହେବ ଫାଇଲେରିଆ ନିରାକରଣ ପାଇଁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ । ନୂଆଗାଁ ବ୍ଲକ ବ୍ୟତୀତ ଅନ୍ୟ ସମସ୍ତ ୧୬ ଗୋଟି ବ୍ଲକରେ ଏହି ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ କରାଯିବ । ଏହି ଔଷଧ ସେବନ କରାଇବା ନିମନ୍ତେ ୪୯୦୫ ସଂଖ୍ୟକ ତାଲିମ ପ୍ରାପ୍ତ ସ୍ୱେଚ୍ଛାସେବୀ ମାନେ ପ୍ରତି ଘରକୁ ଘର, ବିଦ୍ୟାଳୟ, ମହାବିଦ୍ୟାଳୟ, ଫ୍ୟାକ୍ଟ୍ରି ଆଦି ମାନଙ୍କରେ ଔଷଧ ସେବନ କରାଇବେ । ଜିଲ୍ଲାର ଏହି ୧୬ ଗୋଟି ବ୍ଲକର ୧୪ ଲକ୍ଷ ୫୫ ହଜାର ୩୯୨ ଜଣ ଲୋକ ଏହି ଔଷଧ ଖାଇବେ । ଏହି ଅଭିଯାନକୁ ୫୦୨ ଜଣ ସୁପରଭାଇଜର ତଦାରଖ କରିବେ । ତେବେ ଏହି ଔଷଧ କୁ ଦୁଇ ବର୍ଷରୁ କମ ବୟସ୍କ ଶିଶୁ, ଗର୍ଭବତୀ ମହିଳା, ଗୁରୁତର ଅସୁସ୍ଥ ବ୍ୟକ୍ତି ଖାଇବେ ନାହିଁ । ୬ ବର୍ଷ ଏବଂ ତା ଠାରୁ ଅଧିକ ବୟସର ପିଲାମାନଙ୍କୁ ଆଇଭରମେକଟିନ (Ivermectin) ବଟିକା ଖାଇବେ । ପ୍ରସବର ପ୍ରଥମ ସପ୍ତାହ ମଧ୍ୟରେ ସ୍ତନ୍ୟପାନ କରାଉଥିବା ମାମାନଙ୍କୁ ଆଇଭରମେକଟିନ (Ivermectin) ବଟିକା ଖାଇବାକୁ ବାରଣ ରହିଛି । ସେହିଭଳି ୨-୫ ବର୍ଷ ବୟସର ପିଲାମାନଙ୍କୁ କେବଳ DEC ଏବଂ ଆଲବେଣ୍ଡାଜୋଲ ବଟିକା ଖାଇବେ ।DEC ଏବଂ Ivermectin ବଟିକା କୁ ପାଣି ସହିତ ଗିଳିବା ଉଚିତ୍ । ଆଲବେଣ୍ଡାଜୋଲ ବଟିକାକୁ ଚୋବାଇ ଖାଇବା ଉଚିତ୍ । ଖାଲି ପେଟରେ ଏହି ଔଷଧକୁ ଖାଇବାକୁ ବାରଣ ରହିଛି । ଏହି ଔଷଧ ସମ୍ପୂର୍ଣ୍ଣ ନିରାପଦ। ଯଦି ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ହେଲେ ଭୟଭୀତ ନ ହୋଇ ନିକଟସ୍ଥ ସ୍ୱାସ୍ଥ୍ୟକର୍ମୀଙ୍କୁ ପରାମର୍ଶ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଥିଲେ । ସେହିଭଳି ସାମୁହିକ ଔଷଧ ସେବନ କରି ସୁନ୍ଦରଗଡ ଜ଼ିଲ୍ଲାକୁ ଫାଇଲେରିଆ ମୁକ୍ତ କରିବାରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।
