ସଇଁତଳା : ବଲାଙ୍ଗିର ଜିଲ୍ଲା ସଇଁତଳା ବଡ଼ମାଳ ଗୋଳାବାରୁଦ କାରଖାନା କର୍ମଚାରୀ ଗୁରୁତର । ଜଙ୍ଗଲରେ ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସେ ଗୁରୁତର ହୋଇଥିବା ଜଣାପଡ଼ିଛି । କର୍ମଚାରୀ ଜଣକ ବିପିବିହାରୀ ଏକ୍କା ବୋଲି ଜଣାପଡ଼ିଛି । ସୂଚନାନୁସାରେ, ବିପିବିହାରୀ କୌଣସି କାମ ପାଇଁ ଡିଏସି ଲାଇନ ପାଖ ଅଞ୍ଚଳକୁ ଯାଇଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ । ପରେ ତାଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତର ଖାନାରେ ପ୍ରାଥମିକ ଚିକିତ୍ସା ପରେ ଅନ୍ୟତ୍ର ଡାକ୍ତରଖାନାକୁ ନିଆଯାଇଛି । ଅନ୍ୟପକ୍ଷେ କାରଖାନା କର୍ତ୍ତୃପକ୍ଷ ଡାକବାଜି ଯନ୍ତ୍ର ଦ୍ୱାରା କର୍ମଚାରୀମାନେ ଜଙ୍ଗଲ ଅଞ୍ଚଳକୁ ନ ଯିବା ପାଇଁ ପରାମର୍ଶ ଦେଇଛନ୍ତି । ପ୍ରକାଶ ଥାଉକି ଗତ କିଛି ମାସ ପୂର୍ବରୁ ସେହି ଜଙ୍ଗଲରୁ ବାର୍ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାର ଫାଶରେ ପଡ଼ିଥିବା ଏକ ମୃତ ବାର୍ହାକୁ ବନବିଭାଗ ଜବତ କରିଥିଲେ । ଏଥିସହ ସମ୍ପୃକ୍ତ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ପୁନର୍ବାର ଏଭଳି ଘଟଣା ଦେଖାଦେଇଥିବାରୁ ଜଙ୍ଗଲରେ ବନ୍ୟଜନ୍ତୁ ଶିକାରୀ ମାତିଥିବା ଆଲୋଚନା ହେଉଛି ।
