oom

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଇସ୍ତଫା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର କୁଳପତି ଡ. ଉମାବଲ୍ଲଭ ମହାପାତ୍ର କୁଳାଧିପତି ତଥା ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇଥିବା ଏକ ସୂତ୍ରରୁ ସୂଚନା ମିଳିଛି । ଅଧ୍ୟାପକ ମରୁଡ଼ି, ବିଶ୍ବବିଦ୍ୟାଳୟ ପରିଚାଳନା ସହ ଛାତ୍ର ଅସନ୍ତୋଷ କାରଣରୁ ସେ କୁଳପତି ଦାୟିତ୍ୱରୁ ଅବ୍ୟାହତି ନେବା ପାଇଁ ଏଭଳି ନିଷ୍ପରି ନେଇଥିବା ନିକଟତମ ମହଲରୁ ଜଣାପଡ଼ିଛି । ପ୍ରକାଶ ଯେ, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ପ୍ରଫେସର, ସହ ପ୍ରଫେସର ପଦ ପୂରଣ ଦିଗରେ କୁଳପତି ଡ. ମହାପାତ୍ର ନିରନ୍ତର ଉଦ୍ୟମ କରୁଥିଲେ ହେଁ ତାହା କାର୍ଯ୍ୟକାରୀ ହୋଇପାରୁ ନଥିବା, ଅନୁଦାନ ଆୟୋଗର ରିପୋର୍ଟ ମଧ୍ୟ ସନ୍ତୋଷଜନକ ହୋଇ ନ ଥିବା ବେଳେ ବିଶ୍ବବିଦ୍ୟାଳୟର ଉନ୍ନୟନ କାର୍ଯ୍ୟ ତ୍ୱରାନ୍ବିତ ହେବାରେ ସମସ୍ୟା ସୃଷ୍ଟି ହେଉଥିଲା । ଏସବୁ ପାଇଁ କୁଳପତି ଡ. ମହାପାତ୍ର ନିନ୍ଦିତ ଓ ସମାଲୋଚିତ ହେଉଥିଲେ। ସେହିପରି କିଛି ଦିନ ତଳେ ଛାତ୍ରାବାସ ଫି’ ବୃଦ୍ଧି ନେଇ ବିଶ୍ବବିଦ୍ୟାଳୟ ପରିସରରେ ବଡ଼ଧରଣର ଛାତ୍ର ଆନ୍ଦୋଳନ ଦେଖା ଦେଇଥିଲା । ବୁଝାସୁଝା କରି ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲେ ହେଁ ଏହା ତାଙ୍କୁ ମର୍ମାହତ କରିଥିବା ଜଣାପଡ଼ିଛି । ନୂତନ କୁଳପତି ମନୋନୟନ ପ୍ରକ୍ରିୟା ଆରମ୍ଭ ହୋଇଛି । କୁଳପତି ଡ.ମହାପାତ୍ରଙ୍କ ୪ ବର୍ଷ କାର୍ୟ୍ୟକାଳ ଶେଷ ପରେ ଅତିରିକ୍ତ ୬ ମାସ କାର୍ଯ୍ୟକାଳ ବୃଦ୍ଧି କରିଥିଲେ । କୁଳାଧିପତି ଅତିରିକ୍ତ ସମୟ ଦେବେ କି ନୂଆ କୁଳପତି ନିଯୁକ୍ତ କରିବେ ତାକୁ ନେଇ ବି ଦ୍ବନ୍ଦ୍ବ ରହିଥିଲା । ତାଙ୍କ ଅତିରିକ୍ତ ସମୟ ମଧ୍ୟରୁ ଆଉ ମାସେ ବାକି ରହିଛି । ଏଭଳି ଘଡ଼ିସନ୍ଧି ସମୟରେ କୁଳପତି ପ୍ରଫେସର ଡ. ମହାପାତ୍ର ୨ ଦିନ ପୂର୍ବେ କୁଳାଥିପତି ତଥା ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଇସ୍ତଫା ପତ୍ର ପଠାଇଥିବା ଜଣାପଡ଼ିଛି । ତାହା ମଞ୍ଜୁର ନହେବା ଯାଏଁ ସେ କାର୍ଯ୍ୟ କରୁଥିବେ । ଏହି ପରିପ୍ରେକ୍ଷୀରେ କୁଳପତି ଡ.ମହାପାତ୍ରଙ୍କ ପ୍ରତିକ୍ରିୟା ନେବା ପାଇଁ ଯୋଗାଯୋଗ କରାଯାଇଥିଲେ ହେଁ ସମ୍ଭବପର ହୋଇପାରି ନାହିଁ ।

jittmm
Leave A Reply

Your email address will not be published.