ପ୍ରଧାନ ଶିକ୍ଷକ ଅଶ୍ୱିନୀ କୁମାର ଦାଶଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଆଦିବାସୀ ଉଚ୍ଚ ବିଦ୍ୟାଳୟ ସହଲାର ପ୍ରଧାନ ଶିକ୍ଷକ ଅଶ୍ୱିନୀ କୁମାର ଦାଶଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପଞ୍ଚାନନ ବାରିକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ଜିଲ୍ଲାପରିଷଦ ସଦସ୍ୟ ମଞ୍ଜୁଶ୍ରୀ ମାଝୀ ମୁଖ୍ୟ ଅତିଥି, ପଞ୍ଚସଖା ଶିକ୍ଷାସେତୁ ସଭାପତି ହରିବନ୍ଧୁ ପଧାନ, ସରପଞ୍ଚ ପଟୁଆରୀ ପଧାନ, ବିଦ୍ୟାଳୟ ପରିଚାଳନା କମିଟିର ପ୍ରଥମ ସଭାପତି କବିଶ୍ଚନ୍ଦ୍ର ପଧାନ, ପ୍ରଥମ ସମ୍ପାଦକ ଯାଦବ ସିଂ ବରିହା, ଅବସରପ୍ରାପ୍ତ ଶିକ୍ଷକ ସୁବୋଧ ନାରାୟଣ ସା, ବସୁଦେବ ପଧାନ, ଜୟକୃଷ୍ଣ ପଧାନ, ଜିତେନ୍ଦ୍ରିୟ ବୁଡ଼େକ ସମ୍ମାନିତ ଅତିଥିଭାବେ ଯୋଗଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦାଶଙ୍କ କୃତିତ୍ୱ ଅବତାରଣା କରିଥିଲେ । ଡୁଙ୍ଗୁରିପାଲି ବ୍ଲକକୁ ଗଣିତ କ୍ଷେତ୍ରରେ ଆଗେଇ ନେବା ପାଇଁ ତାଙ୍କ ଅବଦାନ ଥିଲା ଅନନ୍ୟ । ସେ ପ୍ରଥମେ ଗଣିତ ଶିକ୍ଷକ ଓ ପରେ ପ୍ରଧାନ ଶିକ୍ଷକ ଭାବେ କରିଯାଇଥିବା ଉତ୍ତମ କାର୍ଯ୍ୟ ଶିକ୍ଷକ ସମାଜର ପଥ ପ୍ରଦର୍ଶକ ହୋଇ ରହିବ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ । ଶ୍ରୀଯୁକ୍ତ ଦାଶ ନିଜ ଶିକ୍ଷକତା ଜୀବନର ବିଗତ ଦିନର କଥା ର ସ୍ମୃତି ଚାରଣ କରିବା ସହ ଛାତ୍ରଛାତ୍ରୀଙ୍କୁ ଆଶୀର୍ବଚନ ପ୍ରଦାନ କରିଥିଲେ । ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଫୁଲତୋଡ଼ା ଓ ଉପଢୌକନ ପ୍ରଦାନ ପୂର୍ବକ ଆଶୀର୍ବାଦ ନେଇଥିଲେ । ଛାତ୍ରଛାତ୍ରୀମାନେ ସଭା ପ୍ରାରମ୍ଭରେ ସ୍ୱାଗତ ସଂଗୀତ ଓ ଶେଷରେ ବିଦାୟ ସଂଗୀତ ଗାଇ ନିଜର ଗୁରୁଭକ୍ତି ପ୍ରଦର୍ଶନ କରିଥିଲେ । ପୁରାତନ ଛାତ୍ର ଅମୁଲ୍ୟକୁମାର ବେହେରା ସଭା ପରିଚାଳନା କରିଥିଲେ । ଲିଙ୍ଗମାର୍ଣ୍ଣି ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନାତନ ବେହେରା, ଗଧାପାଲି ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ସଦାନନ୍ଦ ପଧାନ, ପୁରାତନ ଛାତ୍ର ଫଗୁନୁ ନାଏକ, ଲକ୍ଷ୍ମୀଧର ମେହେର, ସ୍ଥାନୀୟ ଶିକ୍ଷକ ଧନେଶ୍ୱର ଭୁଏ, ଜପିଲା ମହାନନ୍ଦ, ବୃଷଭ ସାହୁ, ଦିଲୀପ ଭୁଏ, ଅବିଭାବକ, ଛାତ୍ରଛାତ୍ରୀ ଓ ସହଲା ଅଂଚଳର ଜନସାଧାରଣ ସହଯୋଗ କରିଥିଲେ । ଶେଷରେ ମନୋରଞ୍ଜନ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ତାଙ୍କ ସ୍ମୃତିରେ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ ସପ୍ତାହ ଅବସରରେ ବୃକ୍ଷ ରୋପଣ ମଧ୍ୟ କରାଯାଇଥିଲା । ପରେ ଏକ ବିରାଟ ପଟୁଆର ରେ ସମସ୍ତେ ଶୋଭାଯାତ୍ରାରେ ଯାଇ ଘରକୁ ପାଛୋଟି ନେଇ ଆନ୍ତରିକ ସମ୍ମାନ ଦେଇଥିଲେ ।

Leave A Reply

Your email address will not be published.