ମୁରିବାହାଲ ସିଏଚସିରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ

  • ପୂରଣ ହେବ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ସହ ଡ଼ାକ୍ତର ପଦବୀ- ବିଧାୟକ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସଭା ଗୃହରେ ରୋଗୀ କଲ୍ୟାଣ ସମିତିର ସାଧାରଣ ପରିଷଦ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ ସିଏଚସି ସୁପରିଟେଣ୍ଡନ ଡ. ଥବିର ମେହେରଙ୍କ ଆବାହକତ୍ୱରେ ଅନୁଷ୍ଠିତ ବୈଠକରେ ରୋଗୀ କଲ୍ୟାଣ ସମିତି ଅଧ୍ୟକ୍ଷ ତଥା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ । ବ୍ଲକ ଅଞ୍ଚଳର ଦୀର୍ଘ ଦିନର ଦାବୀ ମୁତାବକ ତଥା ଚଳିତ ବର୍ଷ ଏବେ ସୁଦ୍ଧା ବ୍ଲକର ୫ଜଣ ପ୍ରସୂତିଙ୍କ ମୃତ୍ୟୁ ହୋଇସାରିଥିବାରୁ ସିଏଚସିରେ ଜଣେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ସହ ଅନ୍ୟ ବିଶେଷଜ୍ଞ ପଦବୀ ନିଶ୍ଚିତ ପୂରଣ କରାଯିବ ବୋଲି ସେ ନିର୍ଭର ପ୍ରତିଶୃତି ଦେଇଛନ୍ତି । ବୈଠକ ଚାଲିଥିବା ବେଳେ ସେ ସ୍ଵାସ୍ଥ୍ୟମନ୍ତ୍ରୀ ଡ ମୁକେଶ ମହାଲିଙ୍ଗଙ୍କ ସହ ଆଲୋଚନା କରି ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦିଆଯିବ ବୋଲି ପ୍ରକାଶ କରିଥିଲେ । ଏହା ସହିତ ଏହି ସିଏଚସିରେ ନିଯୁକ୍ତି ପାଇ ଦରମା ନେଉଥିବା ବେଳେ ଜାମଗାଁ ସିଏଚସିକୁ ଡେପୁଟେଶନରେ ଯାଇଥିବା ଡ ବୀଣାପାଣି ସାହୁଙ୍କ ଡେପୁଟେସନ୍ ମଧ୍ୟ ବାତିଲ କରାଯିବ ବୋଲି ବିଧାୟକ ପ୍ରକାଶ କରିଥିଲେ । ପ୍ରତିଦିନ ସିଏଚସିକୁ ସଫା ସୁତୁରା ରଖିବା, ସିସିଟିଭି କ୍ୟାମେରା ତଦାରଖ, ରୋଗୀଙ୍କୁ ଠିକ୍ ସମୟରେ ସମସ୍ତ ପ୍ରକାରର ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦିଆଗଲେ ଏହା ରେଫରାଲ ହସ୍ପିଟାଲ ହେବ ନାହିଁ ଓ ବର୍ଷେ ପରେ ବି ସ୍ଥାଣୁ ପାଲଟିଥିବାରୁ ପ୍ରତି ୩ମାସରେ ରୋଗୀ କଲ୍ୟାଣ ସମିତି ବୈଠକ କରାଯିବା ପାଇଁ ବିଧାୟକ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ ପିଏଚସିରୁ ସିଏଚସି ହେଲା ପରେ ବି ୨୪ଘଣ୍ଟା ଖୋଲାନରହି ଦିନ ୧୨ଟାରେ ଆଉଟ୍ ଡୋର ବନ୍ଦ ରହୁଥିବା ବେଳେ ଏହା ଏକ ରେଫରାଲ ହସ୍ପିଟାଲ ପାଲଟିଥିବା ସମାଜସେବୀ ନାରାୟଣ ସାହୁ ଗୁରୁତର ଅଭିଯୋଗ କରିଥିଲେ । ସମ୍ମାନିତ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ଅର୍ଥ ଅଧିକାରୀ ଘେନୁରାମ ତାଣ୍ଡି, ସିଡିପିଓ ପୂର୍ଣ୍ଣିମା ବୈଠାରୁ, ଏବିଇଓ କୈଳାସ ଚନ୍ଦ୍ର ଭୋଇ, ଡ. ଶୁଭମ୍ ପରିଡ଼ାଙ୍କ ସହ ରୋଗୀ କଲ୍ୟାଣ ସମିତି ସଦସ୍ୟ ଗଙ୍ଗାଧର ହେର୍ଣ୍ଣା, ଖଗେଶ୍ୱର ସାହୁ,ସୁଧାଂଶୁ ପୋଡ ଯାଦବ, ପଦ୍ମଲୋଚନ ସାହୁ, ଦିବ୍ୟସୁନ୍ଦର ସାହୁ, ହିମାଂଶୁ ଜାଲ, ଦୈତାରୀ ହାତୀ, ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ । ସିଏଚସିର ଫାର୍ମାସିଷ୍ଟ ମାନସ ଦଳାଇ, ବାମ ଘନଶ୍ୟାମ ମେହେର, ପିଏଚଇଓଙ୍କ ସହ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜନା କରୁଥିବା ବିପିଏମ ଯୁଗଳ କିଶୋର ସାହୁ ସିଏଚସିର ବିଭିନ୍ନ ଆୟବ୍ୟୟ ତଥ୍ୟ ପ୍ରଦାନ ଓ ଶୌଚାଳୟର ଅସୁବିଧା ସମ୍ପର୍କରେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଧନ୍ୟବାଦ୍ ଦେଇଥିଲେ ।

Leave A Reply

Your email address will not be published.