
ନୂଆପଡ଼ା : ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ । ଖବର ପାଇ ଚଢାଉ କଲା ଲଖନା ପୋଲିସ । ଏହି ଚଢାଉରେ ୧୫ ଜଣଙ୍କୁ ଗିରଫ କରିବା ସହ ୨୭ ହଜାର ୭୯୦ ଟଙ୍କା ଜବତ କରିଛି ପୋଲିସ । ନୂଆପଡ଼ା ଜିଲ୍ଲା କୁରୁମପୁରୀ ନିକଟ ଏକ ଜଙ୍ଗଲରେ ଏହି ରେଡ୍ କରାଯାଇଛି । ସୂଚନା ମୁତାବକ, ଶୁକ୍ରବାର ରାତିରେ କୁରୁମପୁରୀ ନିକଟ ଏକ ଜଙ୍ଗଲରେ ଜୁଆଖେଳ ଚାଲିଥିଲା । ଏନେଇ ଲଖନା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା । ଖବର ପାଇ ଲଖନା ଥାନା ଅଧିକାରୀ ଦୁର୍ଗା ମାଧବ ବାଘଙ୍କ ନେତୃତ୍ୱରେ ଏକ ଟିମ୍ ଜଙ୍ଗଲରେ ଚଢ଼ାଉ କରିଥିଲା । ସେଠାରେ ୧୫ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ନଗଦ ୨୭ ହଜାର ୭୯୦ ଟଙ୍କା ଜବତ କରିଥିଲା । ସେମାନଙ୍କ ମଧ୍ୟରୁ ୧୨ ଜଣ ଜୁଆଡ଼ିଙ୍କୁ ଥାନାରୁ ନୋଟିସ ଦେଇ ଛାଡ଼ି ଦେଇଥିଲା । ଅନ୍ୟ ୩ ଜଣ ଜୁଆଡ଼ିଙ୍କ ନାଁରେ ପୂର୍ବରୁ ମାମଲା ରହିଥିବାରୁ କୋର୍ଟ ଚାଲାଣ କରାଯିବ । ଏନେଇ ଅଧିକ ତଦନ୍ତ ଚାଲିଥିବା ଲଖନା ଥାନା ଅଧିକାରୀ ଶ୍ରୀ ବାଘ ସୂଚନା ଦେଇଛନ୍ତି ।