
ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ପବିତ୍ର ଧର୍ମ କ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳି ହରିଶଙ୍କର ଠାରେ ହେବାକୁ ଥିବା ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ଆଜିଠୁ ଆରମ୍ଭ । ୧୨ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ମେଳା ହେବ ବୋଲି ଜଣାଯାଇଛି । ସାସ୍କୃତିକ, ପୌରାଣିକ , ଧାର୍ମିକ, ଐତିହାସିକ ଓ କିମ୍ବଦନ୍ତୀ ଅନୁସାରେ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳାର ସ୍ୱତନ୍ତ୍ରତା ରହିଆସିଛି । ଗନ୍ଧମାର୍ଦ୍ଧନ ପାହାଡ଼ର ଗୋଟିଏ ପଟେ ହରିଶଙ୍କର ଓ ଅନ୍ୟପଟେ ବରଗଡ଼ ଜିଲ୍ଲାର ନୃସିଂହନାଥ ପୀଠ ରହିଛି । ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକଙ୍କ ସମାଗମ ହେଉଥିବା ବେଳେ ବୈଶାଖ ଚତୁର୍ଦ୍ଦଶୀ ମେଳାରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ । ଓଡ଼ିଶା ତଥା ସୁଦୂର ଛତିଶଗଡ ରାଜ୍ୟରୁ ହଜାର ହଜାର ଶ୍ରଦ୍ଧାଳୁ ଗନ୍ଧମାର୍ଦନ ପାହାଡ଼ ଚଢ଼ିବାର ମଜା ନେଇଥାନ୍ତି । ମେଳାରେ କିଭଳି ଶାନ୍ତି ଓ ଶୃଙ୍ଖଳା ରହିବ ସେଥିପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ ଥିବା ସୂତ୍ରରୁ ଜଣାପଡିଛି । ସେହିପରି ଖପ୍ରାଖୋଲ ସ୍ଥିତ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଲାଠୋର ଯୁବ ରେଡ୍କ୍ରସ୍ରେ ଥିବା ଛାତ୍ରଛାତ୍ରୀ ମାନେ ମଧ୍ୟ ଲୋକଙ୍କ ସେବା ପାଇଁ ଏହି ମହୋତ୍ସବରେ ଯୋଗଦେଇଥିବା ଜଣାପଡିଛି ।