
ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲୋଇସିଂହା ବ୍ଲକ ସିଂଘାଣିମୁଣ୍ଡା ସରଗାଡ଼ ପୂର୍ତ୍ତ ରାସ୍ତାରୁ କୁଶଙ୍ଗ ଝାରମୁଣ୍ଡାକୁ ସଂଯୋଗ ପାଇଁ ବିର୍କେଲ ଗ୍ରାମ ଦେଇ ଏକ ଗ୍ରାମସଡ଼କ ଯୋଜନା ଆଜକୁ ପାଞ୍ଚ ବର୍ଷ ହେଲା ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି । ଫଳରେ ସ୍ଥାନୀୟ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦାୟିତ୍ୱରେ ଥିବା ଠିକାଦାର ଜଣକ ରାସ୍ତାକୁ ଉପାଡ଼ି ଦେଇ ରାସ୍ତାରେ ମେଟାଲ ପକାଇ ମାସ ମାସ ଧରି କାମ ବନ୍ଦ ରଖିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏପରିକି ମେଟାଲ ପକାଇ ଥିବା ରାସ୍ତାରେ ପିଚୁ ଢାଳି ନ ଥିବାରୁ ଯାତାୟାତ କରୁଥିବା ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିପାଇଁ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟି ଲୋକେ ଖଣ୍ଡିଆଖାବରା ହେଉଥିବା ଦେଖିବାକୁ ମିଳୁଛି । ଅପରପକ୍ଷେ ଉକ୍ତ ରାସ୍ତାର ବିର୍କେଲ- ଆମ୍ବପାଲି ରାସ୍ତା ମଝିରେ କୁଶଙ୍ଗାଇ ନାଲା ଉପରେ ଏକ ସେତୁ ଆଜକୁ ଚାରି ବର୍ଷ ହେଲା ନିର୍ମାଣାଧୀନ ଅବସ୍ଥାରେ ପଡ଼ି ରହିଥିବା ବେଳେ କେବେ ତାହା ସଂପୂର୍ଣ୍ଣ ହେବ କହି ହେଉନାହିଁ । ଆମ୍ବପାଲି ପାର୍ଶ୍ୱରେ ଥିବା ଜଣେ ଚାଷୀଙ୍କ ଚାଷଜମି ଉପରେ ଉକ୍ତ ରାସ୍ତା ସଂଯୋଗ ହେଉଥିବା ବେଳେ ଜମି ଅଧିଗ୍ରହଣ ଅଥବା ସଂପୃକ୍ତ ଚାଷୀଙ୍କ ସହିତ କୌଣସି ବୁଝାମଣା ହୋଇ ନ ଥିବାରୁ କାମ ଅଟକି ରହିଥିବା ଜଣାଯାଇଛି । ପାଖାପାଖି ଅଢେଇ କୋଟି ଟଙ୍କା ବିନିମୟରେ ଉକ୍ତ ପ୍ରକଳ୍ପଟି ଆରମ୍ଭ ହୋଇଥିଲେ ସୁଦ୍ଧା ବିଭାଗୀୟ ଯନ୍ତ୍ରୀ ତଥା ନିର୍ବାହୀ ଅଧିକାରୀଙ୍କ ଦୁରଦୃଷ୍ଟିର ଅଭାବ ଏବଂ ଠିକାଦାରଙ୍କ ଅପାରଗତା ହେତୁ ପ୍ରକଳ୍ପଟି ଦୀର୍ଘଦିନ ଧରି ପଡିରହିଛି । ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀଙ୍କ ମତାମତ ପାଇଁ ଯୋଗାଯୋଗ କରାଯାଇଥିଲେ ହେଁ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନଥିଲା । ପ୍ରକଳ୍ପର ମନ୍ଥର ଗତି ଓ ଅବହେଳା ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିବା ସହିତ ଜିଲ୍ଲାପାଳ ଏଥିପ୍ରତି ସ୍ଵତନ୍ତ୍ର ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।