
ଭୁବନେଶ୍ୱର : ଶ୍ରୀନଗରରେ ପହଞ୍ଚିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ମୃତକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଅପରାଜିତା । ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ମୃତ ଓଡ଼ିଶାର ପ୍ରଶାନ୍ତ କୁମାର ଶତପଥୀଙ୍କ ପରିବାରକୁ ମଧ୍ୟ ଭେଟିଛନ୍ତି ଭୁବନେଶ୍ୱର ସାଂସଦ । ମୃତ ଓଡ଼ିଆ ପ୍ରଶାନ୍ତ ଶତପଥିଙ୍କ ପତ୍ନୀ ପ୍ରିୟଦର୍ଶିନୀ, ତାଙ୍କ ପୁଅ ଏବଂ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ଏ ନେଇ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଭିଡ଼ିଓ ସେୟାର କରିଛନ୍ତି । ସେ ଲେଖିଛନ୍ତି, ଜାମ୍ମୁ କାଶ୍ମୀର ପହଲଗାମ୍ରେ ଆତଙ୍କବାଦୀ ଆକ୍ରମଣରେ ଅକାଳ ନିଧନ ହୋଇଥିବା ନାଗରିକ ମାନଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କରିଛି । ଏହି ଆକ୍ରମଣରେ ନିଧନ ଓଡ଼ିଶାର ପ୍ରଶାନ୍ତ କୁମାର ଶତପଥିଙ୍କ ପରିବାରବର୍ଗଙ୍କ ସହ ସାକ୍ଷାତ କରି ସମବେଦନା ଜ୍ଞାପନ କରିବା ସହ ଦୁଃଖରେ ସାମିଲ ହେଲି । ମହାପ୍ରଭୁ ଜଗନ୍ନାଥ ଅମର ଆତ୍ମାକୁ ସଦଗତି ଏବଂ ପରିବାର ବର୍ଗଙ୍କୁ ଶକ୍ତି ପ୍ରଦାନ କରନ୍ତୁ । ମଙ୍ଗଳବାର ଜମ୍ମୁ ଓ କାଶ୍ମୀରର ପହଲଗାମ୍ରେ ପର୍ଯ୍ୟଟକଙ୍କ ଉପରେ ହୋଇଥିଲା ବଡ଼ ଆତଙ୍କୀ ହମଲା । ଆତଙ୍କବାଦୀଙ୍କ ଆକ୍ରମଣରେ ଏପର୍ଯନ୍ତ ୨୮ ଜଣଙ୍କର ମୃତ୍ୟୁ ହୋଇସାରିଛି । ଏହି ଆକ୍ରମଣକୁ ବିଶ୍ୱସ୍ତରରେ ତୀବ୍ର ନିନ୍ଦା କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦୀ ସାଉଦି ଆରବରୁ ଫେରି ଦିଲ୍ଲୀ ବିମାନବନ୍ଦରରେ ବୈଦେଶିକ ମନ୍ତ୍ରୀ, ଏନଏସଏ ଏବଂ ବୈଦେଶିକ ସଚିବଙ୍କ ସହ ଏକ ବୈଠକ କରିଛନ୍ତି । ସେପଟେ ପହଲଗାମ ଆତଙ୍କବାଦୀ ଆକ୍ରମଣର ତଦନ୍ତ ଜାରି ରହିଛି । ସୁରକ୍ଷା ଏଜେନ୍ସିଗୁଡ଼ିକ ପ୍ରତ୍ୟେକ୍ଷଦର୍ଶୀଙ୍କୁ ପଚରାଉଚରା କରିବା ପରେ ୩ ଜଣ ଆତଙ୍କବାଦୀଙ୍କ ସ୍କେଚ୍ ଜାରି କରିଛନ୍ତି । ସେମାନେ ହେଲେ ଅସିଫ୍ ଫୌଜୀ, ଅବୁ ତଲ୍ଲା, ସୁଲେମାନ ସା । ଏମାନଙ୍କୁ ଧରିବାକୁ ଜୋରଦାର କସରତ ଜାରି ରହିଛି । ଏମାନଙ୍କ ମଧ୍ୟରେ କିଛି ସ୍ଥାନୀୟ ଆତଙ୍କବାଦୀ ଥିବା ଜଣାପଡିଛି ।