
ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ସାଧନା ଡ଼୍ୟାନ୍ସ ଏକାଡେମୀ ବାର୍ଷିକ ପରୀକ୍ଷା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଏକାକ୍ଷ ଗୋପବନ୍ଧୁ ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି । ନୃତ୍ୟଗୁରୁ ସାଧନା ଓ ମାନଭଞ୍ଜନ ସାମନ୍ତରାୟଙ୍କ ଆବାହକତ୍ଵ ତଥା ସୀମାଙ୍କ ମଞ୍ଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟଅତିଥି ଓ ପାଠାଗାରର ସର୍ବଶ୍ରୀ ନବଘନ ସାହୁ, ପ୍ରାଧ୍ୟାପକ ଗିରିଜା ଶଙ୍କର ଗୋସ୍ୱାମୀ, ଜୟନ୍ତ ମିଶ୍ର, ପ୍ରଶାନ୍ତ ସେଠୀ, ଗୁରୁ ବିନାୟକ ସାମଲ, ଗୁରୁ ଦୀପକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ମୁଖ୍ୟଅତିଥି ଶ୍ରୀ ନାୟକ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ରାଉରକେଲାର ନୃତ୍ୟଶିଳ୍ପୀଙ୍କ ପ୍ରତିଭାକୁ ଲୋକଲୋଚନରେ ଆଣିବାରେ ଏହା ସହାୟକ ହେବ ବୋଲି ମତ ରଖିଥିଲେ । ସେହିପରି ଓଡ଼ିଆ ଅସ୍ମିତା, ସଂସ୍କୃତିକୁ ବଞ୍ଚାଇବା ପାଇଁ ଏହା ଏକ ସଫଳ ଉଦ୍ୟମ ବୋଲି ମତ ରଖିଥିଲେ । ଚଳିତବର୍ଷ ପରୀକ୍ଷାରେ ଶ୍ରେଷ୍ଠ ନୃତ୍ୟଶିଳ୍ପୀ ଭାବେ ଆରାଧ୍ୟା ଦାଶଙ୍କୁ ଶିବାଙ୍ଗୀ ସମ୍ମାନ ୨୦୨୫ର ସମ୍ମାନିତ କରାଯାଇଥିଲା । ସେହିପରି ବିଭିନ୍ନ ବିଭାଗର କୃତି ଶିଳ୍ପୀଙ୍କୁ ସମ୍ମାନିତ କରାଯାଇଥିଲା । ପରେ ଅନୁଷ୍ଠାନର ନୃତ୍ୟ ଶିଳ୍ପୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଆବାହକ ଶ୍ରୀ ସାମନ୍ତରାୟ ଅନୁଷ୍ଠାନର ଆଭିମୁଖ୍ୟ ସମ୍ପର୍କରେ ଓ ଗୁରୁ ବିନାୟକ, ଗୁରୁ ଦୀପକ ଓଡିଶୀ ନୃତ୍ୟର ବୈଶିଷ୍ଟ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।