
ସାଲେପୁର : ଦାଦାବଟିକୁ ନେଇ ବୋମାମାଡ଼ । କଟକ ଜିଲ୍ଲା ସାଲେପୁର ଥାନାରେ ବୋମାମାଡ଼ ନେଇ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ଜଣଙ୍କୁ ଅଟକ ରଖି ଜେରା କରୁଥିବା ଜଣାପଡିଛି । ଖବର ଅନୁସାରେ କଟକ ଜିଲ୍ଲା ସାଲେପୁର ଥାନା ଭିମଦାଶପୁର ପଞ୍ଚାୟତର କୁସୁପୁର ଗାଁର ମସୁଦ୍ ଖାଁ ପାଗା ଗୋପୀନାଥପୁରରେ ଏକ ମାଂସ ଦୋକାନ କରିଛନ୍ତି । ଦୀର୍ଘ ଏକ ମାସ ହେବ ପାଞ୍ଚଜଣ ଅଜଣା ବ୍ୟକ୍ତି ମସୁଦ୍ଙ୍କ ଦୋକାନକୁ ଆସି ୫ ଲକ୍ଷ ଟଙ୍କାର ଦାଦା ବଟି ମାଗିଥିଲେ । ଠିକ୍ ସମୟରେ ଟଙ୍କା ନଦେଲେ ବେପାର ବନ୍ଦ କରିଦେବୁ ବୋଲି ଧମକ ମଧ୍ୟ ଦେଇଥିଲେ । ଧମକକୁ ଶୁଣି ମସୁଦ୍ ଡରିନଥିଲେ । ସୋମବାର ବିଳମ୍ବିତ ରାତି ପ୍ରାୟ ୧୨ଟା ସମୟରେ ମସୁଦ୍ ଖାଁ ଘରେ ଶୋଇଥିବା ସମୟରେ ଦୁର୍ବୃତ୍ତମାନେ ଆସି ବୋମାମାଡ଼ କରିଥିଲେ । ଏକାସାଙ୍ଗେ ଦୁଇଟି ବୋମା ଘର ଉପରକୁ ଫିଙ୍ଗି ଚମ୍ପଟ୍ ମାରିଥିଲେ । ତେବେ ବୋମାମାଡ଼ରେ କାହାର କୌଣସି କ୍ଷତି ହୋଇନଥିବା ବେଳେ ଘର ଆଶିଂକ ନଷ୍ଟ ହୋଇଥିବା ଜଣାପଡିଛି ।