ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହାରାଧନ ବେରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ବଟକୃଷ୍ଣ ପାଢ଼ୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ସବୁରି ମୂଳରେ ଶିକ୍ଷା ବୋଲି ମତବ୍ୟକ୍ତ କରିବା ସହ ଭଲ ଭାବେ ପାଠ ପଢିବାକୁ ଛାତ୍ରଛାତ୍ରୀଙ୍କୁ ଶପଥ ପାଠ କରାଇଥିଲେ । ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ଟିକେଲାଲ ରଣା ଯୋଗଦେଇ ସମ୍ମିଳିତ ଉଦ୍ୟମ ଦ୍ୱାରା ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ । ସିଆରସିସି ନରେନ୍ଦ୍ର କୁମାର ପୁରୋହିତ, ଅବିଭାବକ ବିବେକାନନ୍ଦ ପୁଟେଲ, ସମ୍ମାନିତ ଅତିଥିଭାବେ ଯୋଗଦେଇ ମନ ଯୋଗୀ ହୋଇ ପାଠପଢି ଉଜ୍ୱଳ ଭବିଷ୍ୟତ ଗଢିବାକୁ ପ୍ରେରଣା ଦେବା ସହ ବିଭିନ୍ନ ଶ୍ରେଣୀରେ ପ୍ରଥମ ହୋଇଥିବା ଓ ବାର୍ଷିକ କ୍ରୀଡା ତଥା ଅନ୍ୟାନ୍ୟ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ । ଛାତ୍ରୀମାନେ ସ୍ୱାଗତ ନୃତ୍ୟ ସହ ଅତିଥିଙ୍କୁ ଫୁଲତୋଡ଼ା ଓ ଉପଢୌକନ ଦେଇ ସ୍ୱାଗତ କରିଥିଲେ । ଏହି ଅବସରରେ ପଞ୍ଚମ ଶ୍ରେଣୀ ବୃତ୍ତି ପାଇ ଗୌରବ ଆଣିଥିବା ମେଧାବୀ ଛାତ୍ରୀ ଜ୍ୟୋତିର୍ମୟୀ ରଣା ଓ ଏକଲବ୍ୟ ବିଦ୍ୟାଳୟରେ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ଛାତ୍ରୀ ଅଲିଶା ବାଗଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ବିକାଶ ଭରାସାଗର ସଭାପରିଚାଳନା କରିଥିବା ବେଳେ ଶିକ୍ଷକ ଦିବାକର ବଢ଼େଇ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ସଞ୍ଜୟ ଭୋଇ, ପ୍ରଶାନ୍ତଜ୍ୟୋତି ପ୍ରଧାନ, ଗୋବିନ୍ଦ ସାହୁ, ଦିନେଶ ନାଏକ, ସମସ୍ତ ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଏସ୍ଏମ୍ସି ସଭ୍ୟସଭ୍ୟା ଓ ଅବିଭାବକ ସହଯୋଗ କରିଥିଲେ । ଶିକ୍ଷୟିତ୍ରୀ ମାନସୀ ନାଗ, ଲଳିତା ଭୁଏ ଓ ବର୍ଷାରାଣୀ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନାରୀ ସଶକ୍ତିକରଣ ଉପରେ ଏକ ସୁନ୍ଦର ନାଟିକା ଦର୍ଶକଙ୍କ ମନ ମୋହିଥିଲା ।