oom

ଭିନ୍ନକ୍ଷମ ଶିଶୁମାନଙ୍କ ପାଇଁ ସଙ୍ଗୀତ କାର୍ଯ୍ୟକ୍ରମ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହରର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ “ସୁଦିଂ ନୋଟ୍ସ” ତଥା ପ୍ରଖ୍ୟାତ ସମାଜ ସେବୀ ଅନୁଷ୍ଠାନ”ନୀଲମ୍ ଫାଉଣ୍ଡେସନ”ର ଯୁଗ୍ମ ପ୍ରୟାସ ଏବଂ “ଟ୍ରାଇବାଲ୍ ଦୃଷ୍ଟି ଟିଭି”ର ମିଳିତ ସହଯୋଗରେ ନୋଷ୍ଟାଲ୍ଜିକ୍ ୯୦s’ (ସିଜନ୍ – ୫) ଦାତବ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ଭିନ୍ନକ୍ଷମ ଶିଶୁମାନଙ୍କ ଉପଲକ୍ଷେ ନିକଟରେ ସେକ୍ଟର ୨୦ ସ୍ଥିତ ରାଉରକେଲା କ୍ଲବ୍ ଠାରେ ଆୟୋଜିତ ହୋଇଯାଇଛି । ଇସ୍ପାତ ସହରର ପ୍ରତିଭା ସମ୍ପନ୍ନ କଳାକାରମାନେ ଏଇ ସଙ୍ଗୀତ ସନ୍ଧ୍ୟାରେ ବଲିଉଡ୍‌ର ନବେ ଦଶକର ବିଭିନ୍ନ ରୁଚିର ମନ ଛୁଆଁ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କ ମନମୁଗ୍ଧ କରିଥିଲେ । ସନ୍ଧ୍ୟାର ବିଶେଷ ଆକର୍ଷଣ ଥିଲା ଶ୍ରଦ୍ଧା ଅନୁଷ୍ଠାନର ଭିନ୍ନକ୍ଷମ ଶିଶୁମାନଙ୍କ ଦ୍ଵାରା ପରିବେଷିତ ପର୍ଯ୍ୟାବରଣ ତଥା ପ୍ରକୃତିର ସଂରକ୍ଷଣ ଉପରେ ଆଧାରିତ ଏକ ସୁନ୍ଦର ଶିକ୍ଷାମୂଳକ ନୃତ୍ୟ ନାଟିକା ଏବଂ ଦୁର୍ଘଟଣାରେ ଏକ ଗୋଡ଼ ଓ ଏକ ହାତ ହରାଇଥିବା ଭିନ୍ନକ୍ଷମ ଯୁବତୀ ସୁଶ୍ରୀ ସାଗରିକା ମହାନ୍ତିଙ୍କ ବଲିଉଡ୍ ସଙ୍ଗୀତର ତାଳେ ତାଳେ ଚମତ୍କାର ନୃତ୍ୟ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଅତନୁ ଭଉମିକ୍ (ପୂର୍ବତନ ଡି. ଆଇ. ସି. ରାଉରକେଲା ଇସ୍ପାତ କାରଖାନା), ସମ୍ମାନିତ ଅତିଥି ସୁନିଲ୍ କାୟାଲ୍,(ପୂର୍ବତନ ଅଧ୍ୟକ୍ଷ, ରାଉରକେଲା ଚାମ୍ବରସ୍ ଅଫ୍ କମର୍ସ ଆନଡ୍ ଇଣ୍ଡଷ୍ଟ୍ରି), ଅତୁଲ୍ ଗର୍ଗ (ଅଧ୍ୟକ୍ଷ, କାଶିନି ଷ୍ଟିଲ୍ସ୍), ଆରୁନ୍ ଅଗର୍ବଲ୍ (ଅଧ୍ୟକ୍ଷ, ପରଫେକ୍ଟ୍ ସେଲ୍ସ), ଜି.ଏସ୍. ସିଂହ, ଆର୍.କେ ପାଣ୍ଡେ, ଶ୍ରୀ ପାଣି (ମାନସ ପରିଷଦ), ଶ୍ରୀମତୀ ସୁଶ୍ରିତା ଦାସ (ଅଧ୍ୟକ୍ଷା, ଇସ୍ପାତ ଇଂଲିଶ୍ ମିଡ଼ିଅମ୍ ସ୍କୁଲ୍), ଶ୍ରୀମତୀ ମେଘା (ଅଧ୍ୟକ୍ଷା, ମାରୱାଡ଼ି ମଞ୍ଚ ମହିଳା ବିଭାଗ) ପ୍ରମୁଖ ଯୋଗଦେଇ ଏହି ବିରଳ ପଦକ୍ଷେପର ଭୂୟସୀ ପ୍ରଶଂସା କରି ଆୟୋଜୋକଙ୍କୁ ଓ କଳାକାରମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ । “ନୀଲମ୍ ଫାଉଣ୍ଡେସନ”ର ଅଧ୍ୟକ୍ଷା ତଥା ଖ୍ୟାତନାମା ସମାଜ ସେବୀ ଶ୍ରୀମତୀ ଅମ୍ରୀତ୍ ନୀଲମ୍ ସ୍ୱାଗତ ଭାଷଣ ଦେବା ସହ ସମାଜରେ ଭିନ୍ନକ୍ଷମ ଶିଶୁ ତଥା ଛାତ୍ରଛାତ୍ରୀମାନଙ୍କ ପ୍ରତି ଆମ ସମ୍ବେଦନଶୀଳତା ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ । “ସୁଦିଂ ନୋଟ୍ସ”ର ସଭାପତି ସନ୍ତୋଷ ଦାସ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ସନ୍ଧ୍ୟାର କଳାକାରମାନେ ଥିଲେ ସନ୍ତୋଷ ଦାସ, ତପନ ନାୟକ, ସତ୍ୟବ୍ରତ ମହାନ୍ତି, ପ୍ରଦୀପ ମହନ୍ତ, ଅଶୋକ ପଟେଲ୍, ନିବେଦିତା, ସୀମା , ଶ୍ରାବଣୀ ଓ ମୌସୁମୀ । ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ସମୁହ ପ୍ରଦୀପ ପ୍ରଜ୍ୱଳନ ସହ ଶୁଭାରମ୍ଭ କରିଥିଲେ । ବିଭିନ୍ନ ସ୍ୱାଦର ହିନ୍ଦୀ ଗୀତ ପରିବେଷଣ କରି କଳାକାରମାନେ ଦର୍ଶକଙ୍କୁ ମନମୁଗ୍ଧ କରିଥିଲେ । ଏଥିରେ ଅନେକ ଲୋକପ୍ରିୟ ଗୀତ ସହ ସାଗର୍ ଡାନସ୍ ଗ୍ରୁପ୍‌ର କଳାକାରମାନଙ୍କ ମନୋରମ ନୃତ୍ୟରେ ଦର୍ଶକ ଝୁମି ଉଠିଥିଲେ ଓ ଏହିପରି କାର୍ଯ୍ୟକ୍ରମ ପୁନର୍ବାର କରିବାକୁ ଅନୁରୋଧ କରିଥିଲେ । ଫିରୋଜ୍ କାର୍ଯ୍ୟକ୍ରମରେ ମଞ୍ଚ ସଂଯୋଜନା ଏବଂ ଅଶୋକ ପଟେଲ୍, ଅଶ୍ଵିନୀ ସିଂହ୍, ଲକ୍ଷଣ ମହନ୍ତ ଓ ରାମ ମହନ୍ତ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.