ଡୁଙ୍ଗୁରିପାଲି, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ସ୍ଥିତ ସୁଲେଇ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସମାଜସେବୀ ବୃନ୍ଦାବନ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ଧାରିବାଞ୍ଜି ସରପଞ୍ଚ ତେଜମୟୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍ଘାଟନ କରିବା ସହ ବିଦ୍ୟାଳୟର ଉନ୍ନତି ପାଇଁ ଛାତ୍ରଛାତ୍ରୀ, ଅବିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀ ସମର୍ପିତ ହେବାକୁ ପ୍ରେରଣା ଦେଇଥିଲେ । ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ରଣା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମାନିନୀ ବାଘ ବାର୍ଷିକ ବିବରଣୀ ପଠନ କରିଥିଲେ । ମୁଖ୍ୟବକ୍ତା ଭାବେ ଗୋଷ୍ଠୀ ସହ ଶିକ୍ଷାଧିକାରୀ ବଟକୃଷ୍ଣ ପାଢ଼ୀ ଯୋଗଦେଇ ସମୟର ସଦୁପଯୋଗ ଉଜ୍ୱଳ ଭବିଷ୍ୟତର ଚାବିକାଠି ବୋଲି ମତପ୍ରକାଶ କରିଥିଲେ । ଏସ୍ଏମ୍ସି ଅଧ୍ୟକ୍ଷ ପୁରୋତ୍ତମ ପଧାନ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଭାପତି ଶେଷଦେବ ବିଶ୍ୱାଳ, ସିଆର୍ସିସି ନରେନ୍ଦ୍ର ପୁରୋହିତ, ପୂର୍ବ ଏସ୍ଏମ୍ସି ଚେୟାରପର୍ସନ କିଶୋର ବିଶ୍ୱାଳ, ପୂର୍ବ ୱାର୍ଡମେମ୍ବର ପ୍ରେମାନନ୍ଦ ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମନଯୋଗୀ ହୋଇ ପାଠପଢି ଉଜ୍ଜ୍ୱଳ ଭବିଷ୍ୟତ ଗଢିବାକୁ ପ୍ରେରଣା ଦେବା ସହ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରି ଉତ୍ସାହିତ କରିଥିଲେ । ସମସ୍ତ ଛାତ୍ରଛାତ୍ରୀ ତଥା ଅବିଭାବକ ସହଯୋଗ କରିଥିଲେ । ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାଇବା ସହ ଅତିଥିଙ୍କୁ ଫୁଲତୋଡ଼ା ଓ ଉପଢୌକନ ଦେଇ ସ୍ୱାଗତ କରିଥିଲେ । ଶିକ୍ଷକ ନିତାଇ ମଟାରୀ ସଭା ପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ଅଲ୍ଲୀକା ନାଗ ଧନ୍ୟବାଦ ଅର୍ପଣ କରିଥିଲେ । ପୁରାତନ ଛାତ୍ର ଆକାଶ ସାହୁ, ପୁରାତନ ଛାତ୍ରୀ ଅଳିମା ମାଝୀ, ପାଚିକା ପୁଷ୍ପାଞ୍ଜଳି ମଟାରୀ ସହଯୋଗ କରିଥିଲେ । ଶତାଧିକ ଛାତ୍ରଛାତ୍ରୀ ଓ ଅବିଭାବକ ଭାଗ ନେଇଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିଥିଲା ।
Next Post