ରାଉରକେଲା, (ସସ୍ମିତା ପ୍ରଧାନ) : ଜାତୀୟ ନାଟ୍ୟ ବିଦ୍ୟାଳୟ ନୂଆଦିଲ୍ଲୀରେ ଆୟୋଜିତ ‘ଭାରତ ରଙ୍ଗ ମହୋତ୍ସବ-୨୦୨୫ର ଶେଷ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ‘ବିଶ୍ୱ ଜନ ରଂଗ’ ନାମରେ ଏକ ଅଭୂତପୂର୍ବ ନାଟ୍ୟ ଉତ୍ସବରେ ସାରା ବିଶ୍ୱର ସହସ୍ରାଧିକ ନାଟ୍ୟାନୁଷ୍ଠାନ ମହର୍ଷି ଭରତମୁନିଙ୍କ ନାଟ୍ୟଶାସ୍ତ୍ର ଆଧାରିତ ନାଟକ ମଞ୍ଚସ୍ଥ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛି । ଏହି ନାଟ୍ୟ ମହାକୁମ୍ଭରେ ରାଉରକେଲାର ଅଗ୍ରଣୀ ନାଟ୍ୟାନୁଷ୍ଠାନ ‘ସମ୍ପର୍କ ‘ ସ୍ଥାନୀୟ ମ୍ୟୁଜିକ ସର୍କଲ ପ୍ରେକ୍ଷାଳୟରେ ନାଟକ ପଞ୍ଚମବେଦ ମଞ୍ଚସ୍ଥ କରି ଦର୍ଶକୀୟ ସ୍ୱୀକୃତି ଲାଭ କରିଛି । ଏହି ନାଟକଟିର ରଚୟିତା ଓ ନିର୍ଦ୍ଦେଶକ ହେଉଛନ୍ତି ବରିଷ୍ଠ ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ର, ଏହାକୁ ସଂଗୀତରେ ସଜାଇଛନ୍ତି ପ୍ରଦୀପ ଗୁରୁବାରା । ସସ୍ମିତା ବେକ୍ ନାଟକର ସଂଯୋଜନା କରିଥିବାବେଳେ ପ୍ରଳୟ ଶତପଥି ମଞ୍ଚସଜ୍ଜା, ହରିବଳ ରୂପସଜ୍ଜା, ବିଶ୍ୱଜିତ ଦାଶ ଶବ୍ଦ ସଂଯୋଜନା ଓ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବିଜୟ ପାତ୍ର ମଂଚ ପରିଚାଳନା କରିଥିଲେ । ଯେଉଁମାନଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ସେମାନେ ହେଲେ ଭାସ୍କର ଚନ୍ଦ୍ର ମହାପାତ୍ର, ମୂରଲୀଧର ଦାଶ, ସୁରେନ୍ଦ୍ର କୁମାର ପାଢୀ, ବିବେକାନନ୍ଦ ଦାଶ, ପ୍ରଳୟ ଶତପଥି, ସୂଦେଷ୍ଣା ରାଣୀ ରାଉତ, ପୁଷ୍ପଲତା ବିଶୋଇ ଓ ଶ୍ରେୟାଂସି ପାତ୍ର । ବିଶେଷ କରି ଏହି ନାଟକରେ କଳାକାରମାନେ ନାଟ୍ୟ ଶାସ୍ତ୍ରର ସଂକ୍ଷିପ୍ତ ବିବରଣୀ ଦେବା ଅବସରରେ ଯେପରି ଶୃଙ୍ଗାର, ହାସ୍ୟ, କରୁଣ, ରୌଦ୍ର, ବୀର, ଭୟାନକ, ବିଭତ୍ସ, ଅଦ୍ଭୁତ ଆଦି ନାଟ୍ୟଶାସ୍ତ୍ର ବର୍ଣ୍ଣିତ ଆଠ ଗୋଟି ରସକୁ ଅଭିନୟ ମାଧ୍ୟମରେ ଉପସ୍ଥାପନ କଲେ, ବାସ୍ତବରେ ତାହା ପ୍ରଶଂସନୀୟ ।