- ଥାନାରେ ମାମଲା ରୁଜୁ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସେଣ୍ଟ୍ରାଲ କୋପରେଟିଭ୍ (ବି.ସି.ସି. ବ୍ୟାଙ୍କ) ଛତ୍ରପୁର ଶାଖାରେ ଋଣ ଦେବା ନାମରେ ଋଣ ପ୍ରଦାନ କରି ୭୦ ଲକ୍ଷରୁ ଅଧି ଟଙ୍କା ଆତ୍ମସାତ ହୋଇଥିବା ଛତ୍ରପୁର ଥାନାରେ ଅଭିଯୋଗ ହୋଇଛି । ପ୍ରକାଶ ଥାଉକି, ଲୋନ ନାଁରେ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଛନ୍ତି ବୋଲି ପୂର୍ବତନ ମ୍ୟାନେଜର ଏନେଇ ଛତ୍ରପୁର ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ହୋଇଥିବା ଅଡିଟ୍ ବେଳେ ଏହା ସାମ୍ନାକୁ ଆସିଛି । ପୂର୍ବତନ ମ୍ୟାନେଜର ଦେବାଶିଷ ପଟ୍ଟନାୟକ ଗତ ବର୍ଷ ଜୁଲାଇ ମାସରୁ ଡିସେମ୍ବର ପର୍ଯ୍ୟନ୍ତ ଛତ୍ରପୁର ଶାଖାରେ ମ୍ୟାନେଜର ଭାବେ ନିଯୁକ୍ତ ହୋଇଥିଲେ । ସେହି ସମୟରେ ମୃତବ୍ୟକ୍ତିଙ୍କ ନକଲି କାଗଜପତ୍ର ଆଦି ତିଆରି କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି ବୋଲି ଜଣାପଡ଼ିଛି । ଏଭଳି ନକଲି କାଗଜପତ୍ର କରି ୭୦ ଲକ୍ଷରୁ ଅଧିକ ଟଙ୍କା ହଡ଼ପ କରିନେଇଥିବା ଜଣାପଡିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ବି.ସି.ସି. ବ୍ୟାଙ୍କ ସମ୍ପାଦକ ଏବଂ ଶାଖା ପରିଚାଳକ ଭରତ କୁମାର ସାହୁ ଛତ୍ରପୁର ଥାନାରେ ଏତଲା ଦେଇଛନ୍ତି । ଅଭିଯୋଗ ଅନୁସାରେ ଦେବାଶିଷ ପଟ୍ଟନାୟକ ଟଙ୍କା ହଡ଼ପ ମାମଲାରେ ବର୍ତ୍ତମାନ ବ୍ରହ୍ମପୁର ଜେଲରେ ସଜା କାଟୁଛନ୍ତି । କିଛି ଦିନ ତଳେ ବିଜିପୁର ଶାଖାରେ ଗତ ୨୦୨୩-୨୪ ଆର୍ଥିକ ବର୍ଷରେ ବ୍ୟାଙ୍କର ସମସ୍ତ କାରବାର ନେଇ ଅଡିଟ୍ ବ୍ୟାଙ୍କ ବାଲାନ୍ସ ସିଟ୍ରେ ଫରକ ଦେଖିବାକୁ ମିଳିଥିଲା । ପ୍ରାୟ ୧ କୋଟି ୪୬ ଲକ୍ଷରୁ ଅଧିକ ଟଙ୍କା କମ ରହିଥିଲା । ଏହାର ତଦନ୍ତ ପରେ ଜଣା ପଡ଼ିଥିଲା ଯେ’ ବିଭିନ୍ନ ଲୋନ ନାଁରେ ମିଥ୍ୟା କାଗଜପତ୍ର କରି ମୋଟ ୧ କୋଟି ୪୬ ଲକ୍ଷରୁ ଅଧିକ ଟଙ୍କା ହେରଫେର ହୋଇଥିବା ଜଣାପଡିଥିଲା । ଏହି ଘଟଣାରେ ଅଧିକ ଖୋଳତାଡ଼ କରିବା ସମୟରେ ବ୍ୟାଙ୍କରେ ଦାୟିତ୍ୱରେ ରହିଥିବା ଶାଖା ପରିଚାଳକ ମୁଖ୍ୟ ଅଭିଯୁକ୍ତ ଦେବାଶିଷ ପଟ୍ଟନାୟକ ଓ ଅନ୍ୟ କର୍ମଚାରୀଙ୍କ ବ୍ୟାଙ୍କ ଆଇ.ଡି. ବ୍ୟବହାର କରି ଏହିପରି ବ୍ୟାଙ୍କ ଅର୍ଥ ହେରଫେର କରିଥିଲେ ବୋଲି କୁହାଯାଉଛି । ଏହାପରେ ଦେବାଶିଷଙ୍କ ସମେତ ଦୁଇଜଣକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲା । ତେବେ ଛତ୍ରପୁର ଶାଖାରେ ଏଭଳି ହେରଫେର ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଏହି ଘଟଣାର ତଦନ୍ତ ଚଳାଇଛି ।