- ଧାମରା ସାହିତ୍ୟ ସଂସଦର ସୃଜନ ସନ୍ଧ୍ୟା
ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆୟୋଜିତ ୩୦ତମ ରାଉରକେଲା ପୁସ୍ତକ ମେଳାର ଷଷ୍ଠ ସନ୍ଧ୍ୟାରେ ଧାମରା ସାହିତ୍ୟ ସଂସଦର ସୃଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ କାର୍ଯ୍ୟକ୍ରମରେ ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ୱ ଓ ଅଶୋକ କୁମାର ବଳଙ୍କ ସଂଯୋଜନାରେ ପ୍ରଥମ ପର୍ଯ୍ୟାୟର ଉଦ୍ଘାଟକ ଭାବେ ଇଂ ଅଭୟ କୁମାର ଦାସ ଯୋଗ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଉଦ୍ଘାଟକ ଇଂ ଦାସ ଅନୁଷ୍ଠାନର କାର୍ଯ୍ୟକ୍ରମ ଓ ପୁସ୍ତକମେଳା ଆୟୋଜନର ଆବଶ୍ୟକତା ଓ ଭାଷା ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ପାଠାଗାରର ପ୍ରତିବଦ୍ଧତା ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ କାର୍ଯ୍ୟକ୍ରମ ଧାମରା ସାହିତ୍ୟ ସଂସଦ ଆନୁକୂଲ୍ୟରେ ସୃଜନ ସନ୍ଧ୍ୟା କାର୍ଯ୍ୟକ୍ରମରେ ସଭାପତିଭାବେ ପ୍ରଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱ ଓ ନିରୁପମା ପତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇସ୍ପାତ ସାହିତ୍ୟ ସଂସଦର ସମ୍ପାଦକ ସାହିତ୍ୟିକ ନୃସିଂହ ଚରଣ ବିଶ୍ୱାଳ ମୁଖ୍ୟ ଅତିଥି ଓ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ସାମ୍ପ୍ରତିକ କବିତାର ବ୍ୟବଛେଦ ସମ୍ପର୍କରେ ଆଲୋଚନା କରିଥିଲେ । ସେ ତାଙ୍କ ବକ୍ତବ୍ୟରେ କବିତାର ଆଙ୍ଗିକ ଓ ଆତ୍ମିକ, ଯୁକ୍ତ ଛନ୍ଦ, ମୁକ୍ତ ଛନ୍ଦ, ଧାରା, ନୀତି ସମ୍ପର୍କରେ ମାର୍ମିକ ଆଲୋଚନା କରିଥିଲେ । ସମ୍ମାନିତ ବକ୍ତାଭାବେ ଆର୍ତ୍ତତ୍ରାଣ ମହାପାତ୍ର ଆଲୋଚ୍ୟ ବିଷୟ ଓଡ଼ିଆ ଭାଷାର ଭବିଷ୍ୟତ ସମ୍ପର୍କରେ ଆଲୋଚନା କରି ଭାଷା କିପରି କ୍ଷତିଗ୍ରସ୍ତ ହୋଇଛି ଓ ସେଥିରେ ଆମେ ଏହାକୁ ବଞ୍ଚାଇବା ପାଇଁ କି ପ୍ରଯତ୍ନ କରିଛନ୍ତି, ତାହାକୁ ଆତ୍ମସମୀକ୍ଷା କରିବା ପାଇଁ ସେ ଆହ୍ୱାନ ଦେଇଥିଲେ । ମୁଖ୍ୟଅତିଥି ଶ୍ରୀ ବିଶ୍ୱାଳ ତାଙ୍କ ବକ୍ତବ୍ୟରେ ଉଭୟ ଆଲୋଚ୍ୟ ବିଷୟକୁ ତର୍ଜମା କରିଥିଲେ । ପ୍ରାରମ୍ଭରେ ସାଂସ୍କୃତିକ ସମ୍ପାଦକ ସୁଶାନ୍ତ କୁମାର ନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ରାଜକୁମାର ମହାନ୍ତିଙ୍କ ସଭାପତିତ୍ୱ, ମୋନାଲିସା ଗୌଡ ଓ ସୁଚିତ୍ରା ଲେଙ୍କାଙ୍କ ସଂଯୋଜନାରେ ସହରର ବହୁ କବି ତଥା ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ନିରୁପମା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ପାଠାଗାରର ଉପଦେଷ୍ଟା ଡାକ୍ତର ଉତ୍ତମ ଚରଣ ଜେନା, କାର୍ୟ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର,, ବାଉରୀବନ୍ଧୁ ସାହୁ,ପର୍ଶୁରାମ ପଟ୍ଟନାୟକ, କୁଞ୍ଜବିହାରୀ ରାଉତ ,ଡା ବସନ୍ତ କୁମାର ଦାସ,ଟୁକଲା ପାଢ଼ୀ ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।