ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ପଞ୍ଚାୟତି ଉଚ୍ଚ ବିଦ୍ୟାଳୟରେ ଛାତ୍ର ପୋଲିସ କେଡେଟ୍ର ଶୁଭାରମ୍ଭ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତି ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷକ ସୁନୀଲ କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁରିବାହାଲ ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ମୁରିବାହାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢ଼ିହାରୀ, ସଦର ସରପଞ୍ଚ ବିଶ୍ୱବିହାରୀ ଯୋଷୀ, ପୋଲିସ କନେଷ୍ଟବଳ ସୁଦାମ ନାଗ ଓ ଉଙ୍ଗା ମାଡ଼କାମୀ ସମ୍ମାନିତ ଅତିଥି ରୂପେ ଯୋଗଦେଇ ମତବ୍ୟକ୍ତ କରିଥିଲେ । ଛାତ୍ରଛାତ୍ରୀ ପ୍ରଥମେ ନିଜେ କିପରି ଶୃଙ୍ଖଳିତ ହେବା ସଙ୍ଗେସଙ୍ଗେ ଜନସାଧାରଣଙ୍କୁ କିଭଳି ଶୃଙ୍ଖଳିତ କରାଯାଇପାରିବ, ନିୟମମାନି ଚଳିବା, ନିଜେ କୌଣସି ଅପରାଧ ନକରିବା ତଥା ଲୋକଙ୍କୁ କୌଣସି ଅପରାଧ ନ କରିବାକୁ ବୁଝାଇବା ଉପରେ ଅତିଥିମାନେ ନିଜ ବକ୍ତବ୍ୟରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଛାତ୍ର ପୋଲିସ କେଡେଟରେ ସାମିଲ ହୋଇଥିବା ଉଚ୍ଚ ବିଦ୍ୟାଳୟର ସମସ୍ତ ୪୪ଜଣ ଛାତ୍ରଛାତ୍ରୀ ମୁରିବାହାଲ ପୋଲିସ ଥାନା ମଧ୍ୟ ପରିଦର୍ଶନ ପାଇଁ ଯାଇ ପୋଲିସର ବିଭିନ୍ନ କର୍ଯ୍ୟଧାରା ସମ୍ପର୍କରେ ପଚାରି ବୁଝିଥିଲେ । ଏଥିରେ ଥାନାର ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ । ସମ୍ପର୍କରେ ଥାନା ଆଇଆଇସି ଲୁଗୁନଙ୍କୁ ପଚାରିବାରୁ ପ୍ରଥମ ଥର ପାଇଁ ଗଠିତ ଏହି କେଡେଟ୍ରେ ସାମିଲ ସ୍ୱେଚ୍ଛାସେବୀମାନଙ୍କ ପାଇଁ ଅଲଗା ୟୁନିଫର୍ମ ସହ ସେମାନେ ବିଭିନ୍ନ ସମୟରେ ପୁଲିସକୁ ସହଯୋଗ କରିବେ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉଚ୍ଚ ବିଦ୍ୟାଳୟ ସହକାରୀ ଶିକ୍ଷକ ଚନ୍ଦ୍ରଧ୍ଵଜ ଭୋଇ, ହେମନ୍ତ ନାଗ, ରଶ୍ମିଲତା ପାତ୍ର, ଦିପ୍ତିମୟୀ ଲେଙ୍କା ଓ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ । ଉଚ୍ଚ ବିଦ୍ୟାଳୟ କ୍ରୀଡା ଶିକ୍ଷକ ତଥା ଏସପିସି ଇନଚାର୍ଜ ନୀତେଶ କୁମାର ତାଣ୍ଡି ଧନ୍ୟବାଦ ଦେଇଥିଲେ ।