ଭତ୍ତା ବଣ୍ଟନରେ ଅନିୟମିତତା : ୨୧ ମାସର ଭତ୍ତା ଖାଇଗଲେ ଅଧିକାରୀ

ନୂଆପଡ଼ା : ୨୧ ମାସର ଭତ୍ତା ଖାଇଗଲେ ବିଭାଗୀୟ ପଞ୍ଚାୟତ ଅଧିକାରୀ ଓ ଜନପ୍ରତିନିଧି । ଗରିବ ନିରୀହ ଜନସାଧାରଣଙ୍କ ପାଇଁ ସରକାର ଅନେକ ଯୋଜନା କରି ସହାୟତା କରୁଛନ୍ତି ହେଲେ କିଛି ଦୁର୍ନୀତିଖୋର ଅଧିକାରୀ କର୍ମଚାରୀଙ୍କ ପାଇଁ ଗରିବ ନିରୀହ ଲୋକେ ସେହି ସହାୟତା ପାଇବାରୁ ବଞ୍ଚିତ ରହୁଛନ୍ତି । ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଦର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରହୁଥିବା କୁନ୍ତି ମେହେର (୮୦) ୨୧ ମାସର ଭତ୍ତା ବିଭାଗୀୟ ପଞ୍ଚାୟତ ଅଧିକାରୀ ଓ ଜନପ୍ରତିନିଧି ମିଶି ଖାଇ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ କୁନ୍ତିଙ୍କ ସ୍ୱାମୀ ରାମେଶ୍ଵର ମେହେରଙ୍କ ଗତ ୨୪ ଡିସେମ୍ବର ୨୦୨୪ ମସିହାରେ ମୃତ୍ୟୁ ହେଲାପରେ ସିନାପାଲି ବ୍ଲକ ସାମାଜିକ ସୁରକ୍ଷା ବିଭାଗକୁ ବିଧବା ଭତ୍ତା ଆବେଦନ କରିବାକୁ ଗତ ୨୭ ଜାନୁଆରୀରେ ଯାଇଥିଲେ । ହେଲେ ସେଠାରେ ଗତ ୧୩ ଏପ୍ରିଲ ୨୦୨୩ ମସିହାରେ ତାଙ୍କ ବୃଦ୍ଧା ଭତ୍ତା ସେକସନ୍‌ ହୋଇଥିବା ବିଭାଗୀୟ ସୁତ୍ରରୁ ସୂଚନା ପାଇଥିଲେ । କିନ୍ତୁ ସ୍ଥାନୀୟ ପଞ୍ଚାୟତ ଭତ୍ତା ବିଷୟରେ କୌଣସି ସୂଚନା କିମ୍ବା ଭତ୍ତା କାର୍ଡ ବା ଭତ୍ତାରେ ଗୋଟିଏ ଟଙ୍କା ମଧ୍ୟ ପଞ୍ଚାୟତ ଅଧିକାରୀ କିମ୍ବା ଜନପ୍ରତିନିଧି ଦେଇନଥିବା ଅଭିଯୋଗ କରିଥିଲେ । ଅଭିଯୋଗ ପରେ କୁନ୍ତି ଏହି ବିଷୟରେ ଜାଣିବାକୁ ପାଇଲେ ଯେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଭତ୍ତା କାର୍ଡ ଓ ଭତ୍ତା ଟଙ୍କା ୨ହଜାର ଦେଉଥିଲେ ହେଲେ କୁନ୍ତି ଟଙ୍କା ପାଇନଥଲେ ଏବଂ ୨୧ ମାସର ଭତ୍ତା ଟଙ୍କା ପ୍ରଦାନ କରିବାକୁ ଅଧିକାରୀଙ୍କୁ ଦାବୀ ମଧ୍ୟ କରିଥିଲେ । ସେହିପରି ସ୍ୱାମୀଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କୁ ହରିଶ୍ଚନ୍ଦ୍ର ଯୋଜନାର ସହାୟତା ତୁରନ୍ତ ସ୍ଥାନୀୟ ପଞ୍ଚାୟତ ପ୍ରଦାନ କରିବା ନିୟମ ରହିଛି ହେଲେ ସେହି ସହାୟତା ମଧ୍ୟ କରିନଥିବା ଅଭିଯୋଗ ହୋଇଛି । ପ୍ରକାଶ ଯୋଗ୍ୟ ଯେ ଏହି ପଞ୍ଚାୟତରେ ଏଭଳି ଅନେକ ଲୋକଙ୍କ ଭତ୍ତା ବଣ୍ଟନରେ ଅନିୟମିତତା କରି ହିତାଧିକାରୀ ଭତ୍ତା ଟଙ୍କା ଖାଇଯାଉଥିବାରୁ ଜନସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଏନେଇ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଶାନ୍ତ ବେହେରାଙ୍କୁ ପଚାରିବାରୁ ଦୁଇ ତିନି ମାସ ହେବ ମୁଁ ଯୋଗଦାନ କରିଛି, କିଛି କିଛି ମାସ କରି ସମସ୍ତ ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି । ପୁଣି ସିନାପାଲି ବିଡିଓ କାର୍ମୀ ଓରାମଙ୍କୁ ପଚାରିବାରୁ ତଦନ୍ତ କରି ଉଚିତ୍ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ଏ ସମସ୍ୟାକୁ ନେଇ ବ୍ଲକ ତଥା ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟିଦେଇ ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.