ଧର୍ମଗଡ଼ ମଦଭାଟି ଡକାୟତି ଘଟଣା : କଳାହାଣ୍ଡି ପୁଲିସକୁ ବଡ ସଫଳତା

  • ଧରାପଡିଲେ ଆନ୍ତଃ ରାଜ୍ୟ ଡାକାୟତ ଦଳ ସହ ନଗଦ ୩ କୋଟି ୫୧ ଲକ୍ଷ ଟଙ୍କା ଜବତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ପୋଲିସ ଏକ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି । ଧର୍ମଗଡ଼ ଥାନା ପୋଲିସ ଏକ ବଡ ଧରଣର ଡକାୟତି ଘଟଣାରେ ସମ୍ପୃକ୍ତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ନଗଦ ୩ କୋଟି ୫୧ ଲକ୍ଷ ଟଙ୍କା, ବନ୍ଧୁକ, ଗୁଳି, ଅପରାଧରେ ବ୍ୟବହୃତ ଗାଡି ଏବଂ ମରଣାସ୍ତ୍ର ଆଦି ଜବତ କରିଛି । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ଝାଡ଼ଖଣ୍ଡ ରାଜ୍ୟର ବୋଲି ସୂଚନା ମିଳିଛି । ଗତ ୩୦ ତାରିଖରେ ଧର୍ମଗଡ଼ ଠାରେ ଥିବା ଏକ ଦେଶୀ ମଦ ଭାଟିରେ ଏହି ଡକାୟତି ସଂଗଠିତ ହୋଇଥିଲା । ବିଳମ୍ବିତ ରାତିରେ ପ୍ରାୟ ୮ଜଣ ଡକାୟତ ମାରଣାସ୍ତ୍ର ଧରି ଡକାୟତି କରିବା ଉଦ୍ଦେଶ୍ୟରେ ଏହି ଭାଟିରେ ପଶିଥିଲେ । ସେଠାରେ ବନ୍ଧୁକ ଏବଂ ମରଣାସ୍ତ୍ର ଦେଖାଇ ଧମକ ଦେଇ ଟଙ୍କା ଲୁଟି ନେଇଥିଲେ । ଏନେଇ ଧର୍ମଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ଡକାୟତଙ୍କୁ ଧରିବାକୁ କଳାହାଣ୍ଡି ଏସ୍‌ପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରାଯାଇଥିଲା । ଡକାୟତି କରିବା ପରେ ଅଭିଯୁକ୍ତମାନେ ବୋଲେରୋ ଯୋଗେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଅନୁସନ୍ଧାନ ସମୟରେ ଅପରାଧରେ ବ୍ୟବହୃତ ଗାଡିକୁ ଝାଡ଼ଖଣ୍ଡରେ ଚିହ୍ନଟ କରାଯାଇ ଠାବ କରାଯାଇଥିଲା । ପୋଲିସ ତଦନ୍ତ ବେଳେ ସ୍ଥାନୀୟ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ସଙ୍ଗେ ସଙ୍ଗେ ଗିରଫ କରିଥିଲା । ଅନ୍ୟ ଅଭିଯୁକ୍ତମାନେ ଝାଡ଼ଖଣ୍ଡ ଅଭିମୁଖେ ଫେରାର ହୋଇଥିବା ସମ୍ପର୍କରେ ପୋଲିସ ସୂଚନା ପାଇଥିଲା । ବର୍ତ୍ତମାନ ସୁଦ୍ଧା ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.