ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ : ବିଶ୍ୱବିଦ୍ୟାଳୟ ଖୋଲୁଖୋଲୁ ବାଣୀବିହାର ଅଶାନ୍ତ

ଭୁବନେଶ୍ୱର : କରୋନା କଟକଣ ପରେ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ ଖୋଲୁ ଖୋଲୁ ପୁଣି ଅଶାନ୍ତ ହୋଇଉଠିଛି । କ୍ୟାଣ୍ଟିନ୍‌ରେ ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ ହେବାରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଗୋଟିଏ ଗୋଷ୍ଠୀର ଆକ୍ରମଣରେ ଅନ୍ୟଗୋଷ୍ଠୀର ଜଣେ ଛାତ୍ର ଗୁରୁତର ଆହତ ହୋଇଛି । ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ଛାତ୍ରଙ୍କ ନାଁ ରଶ୍ମିରଞ୍ଜନ ସାହୁ ବୋଲି ଜଣାପଡିଛି । ଏ ନେଇ ଭବରଞ୍ଜନ ବେହେରା ଥାନାରେ ଏତଲା ଦେଇଛନ୍ତି । ଏହାର ପ୍ରତିବାଦ କରିବା ସହ କ୍ୟାମ୍ପସରେ ଦାଦାଗିରି ବନ୍ଦ କରିବା ଦାବିରେ ଗୋପବନ୍ଧୁ ଛାତ୍ରାବାସ ସମ୍ମୁଖରେ ଏହି ଗୋଷ୍ଠୀର ଛାତ୍ରମାନେ ଧାରଣା ଦେଇଛନ୍ତି । କ୍ୟାଣ୍ଟିନ୍‌ରେ ଖାଦ୍ୟ ଖରାପ ଥିବା ଅଭିଯୋଗ ହେବା ପରେ ଏହି ତୁମୁଳକାଣ୍ଡ ହୋଇଥିବା କୁହାଯାଉଥିଲେ ମଧ୍ୟ ଏହା ପଛରେ ପୂର୍ବ ବିବାଦ ରହିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି । ଉଭୟ ପକ୍ଷରୁ ଦୁଇଟି ଏତଲା ହୋଇଛି । ଏତଲାକୁ ଆଧାର କରି ପୁଲିସ ତଦନ୍ତ କରୁଛି । ଆସନ୍ତାକାଲି କୁଳପତିଙ୍କ ଉପସ୍ଥିତରେ ଆଲୋଚନା କରି ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ବୋଲି ପିଜି କାଉନସିଲ ଚେୟାରମ୍ୟାନ ବସନ୍ତ ମଲ୍ଲିକ ପ୍ରତିଶ୍ରୁତି ଦେବା ପରେ ଛାତ୍ରମାନେ ଧାରଣାରୁ ଉଠିଛନ୍ତି ।

Leave A Reply

Your email address will not be published.