ଅଶୁର୍ଲା-ଖଇରଭାଡ଼ି ଅର୍ଜୁନି ନଦୀରେ ବ୍ରିଜ ନିର୍ମାଣ ଦାବି : ଆନ୍ଦୋଳନ କରିବା ପାଇଁ ଅଞ୍ଚଳବାସୀ ସଜବାଜ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ସାପ୍ତାହିକ ବଜାର ଠାରେ ବିଶିଷ୍ଟ ସମାଜସେବୀ ଦୁର୍ଦ୍ଦକ୍ଷ ହଂସଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କପିଳାଭଟା ପଂଚାୟତ ଅନ୍ତର୍ଗତ ଅଶୁର୍ଲା ଗ୍ରାମରୁ ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ତୁକୁଲା ପଞ୍ଚାୟତର ଖଇରଭାଡ଼ିକୁ ସଂଯୋଗ କରିଥିବା ଅର୍ଜୁନି ନଦୀରେ ବ୍ରିଜ ନିର୍ମାଣ ପାଇଁ ବୈଠକରେ ଆନ୍ଦୋଳନ କରିବା ପାଇଁ ଅଞ୍ଚଳବାସୀ ସଜବାଜ ହେଉଥିବା ଦେଖିବାକୁ ମିଳିଛି । ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନଦୀ ନିର୍ମାଣ ପାଇଁ ମାଟି ପରୀକ୍ଷା କରାଯାଇଥିଲା ହେଲେ ଆଜି ପର୍ଯ୍ୟନ୍ତ ୨ ବର୍ଷ ବିତିଯାଇଥିଲେ ମଧ୍ୟ ନିର୍ମାଣ କାମ ଆରମ୍ଭ ହୋଇନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ବିଭିନ୍ନ ସମୟରେ ବିଧାୟକ, ସାଂସଦ, ମନ୍ତ୍ରୀ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ । ଗତ ୨୦୧୨ ମସିହା ଠାରୁ ଦାବି କରାଯାଇଥିଲେ ମଧ୍ୟ କେହି ଧ୍ୟାନ ଦେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ପଡୋଶୀ ତୁକୁଲା ସ୍କୁଲ କଲେଜ ଉପରେ ନିର୍ଭର କରୁଥିବା ବେଳେ ବର୍ଷା ମାସରେ ସ୍କୁଲ ବନ୍ଦ ହୋଇଯାଏ । ୨ କିମି ଦୂର ଜାଗାକୁ ୨୦ କିମି ବୁଲି ଗନ୍ତବ୍ୟ ସ୍ଥାନକୁ ପହଞ୍ଚିବାରେ ମିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଅଶୁର୍ଲା-ଖଇରଭାଡ଼ି ଅର୍ଜୁନି ନଦୀରେ ବ୍ରିଜ ନିର୍ମାଣ ପାଇଁ ସରପଞ୍ଚଙ୍କ ପ୍ରତିନିଧି ତେଜରାଜ ଭୋଇ, ସମିତି ସଭ୍ୟ କେଦାର ଭୋଇ, ବେଦାନ୍ତ ସାହୁ, ଧର୍ମେନ୍ଦ୍ର ଦାସ, କୁଞ୍ଜବିହାରୀ ବେହେରା, ମାଁ ସାହାଜି ଯୁବକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ, ଜୟନ୍ତୀଲାଲ ହଂସ, ପ୍ରଶାନ୍ତ ଦାସ, ପରମାନନ୍ଦ ପୁଟେଲ, ଝସକେତନ ମହାନନ୍ଦ ପ୍ରମୁଖଙ୍କ ସହ ଶତାଧିକ ଅଞ୍ଚଳବାସୀ ମାନେ ଉପସ୍ଥିତ ରହି ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଆଗାମୀ ଦିନରେ ବିରାଟ ଜନ ଆନ୍ଦୋଳନ କରାଯିବ ସେତେବେଳେ ପ୍ରଶାସନ ଦାୟୀ ରହିବ ବୋଲି କୁହାଯାଇଛି । ପରବର୍ତ୍ତୀ ବୈଠକରେ କ୍ରିୟାନୁଷ୍ଠାନ କମିଟି ଗଠନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ କପିଲାଭଟା, ଗନ୍ଧରାବନ୍ଧ, ଚୁଲିଫୁଙ୍କା, ବଲଧା, ତୁକୁଲା ପଞ୍ଚାୟତର ନେତୃବୃନ୍ଦ ମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.